ରାଜନଗର : ୨୧/୧୧ ରାଜନଗର ବନଖଣ୍ଡ ଅଧୀନରେ ଥିବା ଗହୀରମଥା ବନାଞ୍ଚଳ କାର୍ଯ୍ୟାଳୟ ଆଗରେ ଆଜି ସାମୁଦ୍ରିକକଇଁଛ ସୁରକ୍ଷାସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଗହୀରମଥାକୁ ଆସୁଥିବା ବିରଳ ଅଲିଭରିଡଲେ କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବା ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ର ମୂଳଲକ୍ଷ୍ୟ । ଏସିଏଫ ଗଗନ ବିହାରୀ ମଲ୍ଲିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ଯୋଗଦେଇ ଗତବର୍ଷ ଗହୀରମଥାରେ ୫ ଲକ୍ଷ ୧୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ । ସେଥିମଧ୍ୟରୁ ୨ କୋଟି ୧୯ ଲକ୍ଷ କଇଁଛ ଶାବକ ବାହାରିଥିଲେ । ଗତବର୍ଷ ୪୩ଟି ଟ୍ରଲର ଜବତ କରାଯାଇଥିବା ବେଳେ ୩୫୦ ମତ୍ସ୍ୟଜିବୀଙ୍କୁ ଗିରଫ କରାଯାଇଥିଲା ଓ ୪୦ ଲକ୍ଷ ଟଙ୍କା ର ଜବତମାଛ ବିକ୍ରି କରି ରେଭେନ୍ୟୁ ଆଦାୟ ହୋଇଥିଲା । ମତ୍ସ୍ୟଜିବୀଙ୍କ ବୋଟ ଯିବା ଆସିବା ପାଇଁ ଇନୋସେଂଟ ପ୍ୟାସେଜ ପାଇଁ ବ୍ୟବସ୍ଥା କରାଯାଉଛି । ଟ୍ରାଡିସନାଲ ଓ ନନ୍ଟ୍ରାଡିସନାଲ ମତ୍ସ୍ୟଜିବୀ ସମସ୍ତେ କିପରି ସହାୟତା ପାଇବେ, ସେ ନେଇ ପଦକ୍ଷେପ ନିଆଯାଉଛି । ସ୍ମାର୍ଟଫୋନ ମାଧ୍ୟମରେ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ ଓ ଆଭେଞ୍ଜର ମ୍ୟାପ ଆପ୍ ବ୍ୟବହାର କରି ଆପଣ କେଉଁ ସ୍ଥାନରେ ମାଛ ମାରୁଛନ୍ତି ଏବଂ ସେ ସ୍ଥାନଟି ନିଷିଦ୍ଧାଂଚଳ ମଧ୍ୟରେ ନାଁ ବାହାରେ ତାହା ଜାଣିହେବ । ଏଥିସହ ଘୋଷନେଟ୍ କଇଁଛଙ୍କ ପାଇଁ ବିପଦର କାରଣ ହେଉଛି । ପ୍ଲାଷ୍ଟିକ, ପଲିଥିନ ସମୁଦ୍ର ଓ ନଦୀରେ ନଫିଙ୍ଗି ଟ୍ରଲର ଓ ବୋଟରେ ଡଷ୍ଟବିନ ରଖି ସେଥିରେ ରଖନ୍ତୁ ଓ କୂଳକୁ ଆସିବା ପରେ ତାହାକୁ ନଷ୍ଟ କରିଦେବାକୁ ପରାମର୍ଶ ଦେଇଥିଲେ ବନଖଣ୍ଡ ଅଧିକାରୀ। ମତ୍ସ୍ୟଜିବୀମାନେ କଇଁଛ ସୁରକ୍ଷାରେ ସହଯୋଗ କରିବାକୁ ନିବେଦନ କରିଥିଲେ । ଏହି ସଚେତନତା ଶିବିରରେ ସହକାରୀ ମତ୍ସ୍ୟ ଅଧିକାରୀ ରାଜନ କୁମାର ବେହେରା ଯୋଗଦେଇ କଇଁଛ ପ୍ରଜନନ ଋତୁ ସମୟରେ ସରକାର ମତ୍ସ୍ୟଜିବୀଙ୍କ ସହାୟତା ରାଶି ୭୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ନିଷିଦ୍ଧାଂଚଳ ମଧ୍ୟରେ କୃତ୍ରିମ ଶୈବାଳ ସ୍ଥାପନ ଉପରେ ମତ ରଖିବା ସହ କଇଁଛ ମରିବାର କାରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥଲେ। ଏହି ସଚେତନତା ଶିବିରରେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା ଯୋଗଦେଇ ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅତିଥି କଇଁଛ ଅଲିଭରିଡଲେ ସମୁଦ୍ରରେ ମାଛ ବଂଶ ବୃଦ୍ଧିରେ ସହାୟକ ହୋଇଥାନ୍ତି । ମାଛ ଯାଆଁଳ ଖାଉଥିବା ଜେଲିଫିସ୍ ସେମାନଙ୍କ ମୁଖ୍ୟ ଖାଦ୍ୟ ହୋଇଥିବାରୁ କଇଁଛ ଆସିବା ଦ୍ୱାରା ଆମ ସମୁଦ୍ରରେ ମାଛ ବଂଶ ବୃଦ୍ଧି ପାଇପାରୁଛି । ଏଥିସହ ଗତ ୫ବର୍ଷର ଜବତ ଟ୍ରଲର ରିପୋର୍ଟକୁ ତର୍ଜମା କରି ଏକାଧିକବାର ଧରା ପଡିଥିବା ଟ୍ରଲର ଗୁଡିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏହି ଶିବିରରେ କୋଷ୍ଟଗାର୍ଡର ଏୟାର ଇଂଜିନିୟର କେ.ସତ୍ୟନାରାୟଣ ଯୋଗଦେଇ ସମୁଦ୍ର ଭିତରେ କିପରି ଜୀବନ ସୁରକ୍ଷିତ ରହିପାରିବ, ସେ ନେଇ ମତ ରଖିଥିଲେ । ଏହି ଶିବିରରେ ପରିବେଶବିତ୍ ବିଜୟ କୁମାର କବି, ହେମନ୍ତ କୁମାର ରାଉତ, ସାମ୍ବାଦିକ ଦୋଳଗୋବିନ୍ଦ ଜେନା, ଅଶୋକ କୁମାର ସ୍ୱାଇଁ, କଳ୍ପତରୁ ସାମଲ, ଅରକ୍ଷୀତ ନାଥ ପ୍ରମୁଖ ଯୋଗଦେଇ ସମସ୍ତଙ୍କ ମିଳିତ ସହଯୋଗରେ ଅତିଥି କଇଁଛଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କହିଥିଲେ । ଏହି ଶିବିରରେ ମତ୍ସ୍ୟଜିବୀ ନିରଂଜନ ମଣ୍ଡଳ, ପ୍ରଭୁ ପ୍ରସାଦ ମହାପାତ୍ର, ମା’ରାମଚଣ୍ଡୀ ବୋଟ ଆସୋସିଏସନର ତୁଷାରକାନ୍ତ ସରକାର ଓ ଭକ୍ତଚରଣ ମହାଳିକ ଯୋଗଦେଇ ଆମ ଜାଲରେ କଇଁଛ ମରୁନି, ଟ୍ରଲର ହିଁ କଇଁଛ ମାରୁଛି । ଟ୍ରଲର ମାଲିକ ଜାଣିଶୁଣି ସଚେତନତା ମିଟିଂକୁ ଆସୁନାହାଁନ୍ତି । ବନବିଭାଗ ସହିତ ପାରମ୍ପାରିକ ମତ୍ସ୍ୟଜିବୀ ଅଛନ୍ତି । ବେଆଇନ ମାଛ ମାରୁଥିବା ଟ୍ରଲରଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ । ମିଟିଂ ରେ ବିଶ୍ଵ ମତ୍ସ୍ୟଦିବସ ସମ୍ପର୍କରେ ସୂଚନା ଦେଇଥିଲେ ତୁଷାରକାନ୍ତ ସରକାର।