ବିମଳ ପ୍ରସନ୍ନ ଦାସ : ଓଡ଼ିଶାର ରଜପର୍ବ ତା’ର ନିଜସ୍ୱ ସଂସ୍କୃତି ଓ ପରମ୍ପରାର ଅଲିଭା ଆଲେଖ୍ୟ । ମାଟି ଆଉ ମେଘର ହୁଏ ମହାମିଳନ । ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳିରେ ମୁଖରିତ ହୁଏ କିଶୋରୀମାନଙ୍କର ମନମତ୍ତାଣିଆ ସଙ୍ଗୀତରେ ଝଙ୍କାର ।
“ବନସ୍ତେ ଡାକିଲା ରଜ – ବରଷକେ ଥରେ ଆସିଛି ରଜ ଲୋ
ଘେନି ନୂଆ ସଜବାଜ”
“ଯାରେ ରଜଦୋଳି ଓଡ଼ି ଯା – ମାଟି ମୋର ମରମ କଥା
ମେଘ ଲୋକେ କହି ଆ”
ରଜ ଆମ ରାଜ୍ୟରେ ଏକ କୃଷି ପ୍ରଧାନ ପର୍ବ ମଧ୍ୟ । ତେଣୁ କୃଷକ ମାଟିକୁ ରଜ ତିନି ଦିନ ଆରାଧନା କରେ । ଅନ୍ୟ ଅର୍ଥରେ କହିଲେ, ନାରୀ ପରି ମାଟି ରଜ ତିନିଦିନ ଋତୁମତି । ତାକୁ ଛୁଇଁବା ମନା । ସେ ନିଜକୁ ପ୍ରସ୍ତୁତ କରିନିଏ ନିର୍ଦ୍ଦିଷ୍ଟ ଭାବରେ ପୃଥିବୀର କଲ୍ୟାଣ ଲାଗି । କାରଣ ଏକ ସୁଖ, ସମୃଦ୍ଧି ଭବିଷ୍ୟତକୁ ଜନ୍ମ ଦେବା ତା’ର ଲକ୍ଷ । ଏହି ତ୍ରିଦିବସୀୟ ପର୍ବର ଶେଷ ଦିନଟି ବେଶ ତାତ୍ପର୍ଯ୍ୟପୂର୍ଣ୍ଣ । ଏହାକୁ “ଧରିତ୍ରୀ ସ୍ନାନ” କୁହାଯାଏ । ଏହି ତିନି ଦିନ ଲଙ୍ଗଳ, ଲୁହା, ଶିଳପୁଆ, କୃଷିର ଅନ୍ୟ ସକଳ ଉପକରଣ ଓ ଉପଯୋଗୀ ଉପାଦାନକୁ ଧୋଇ ପୂଜା କରିବାର ବିଧି ରହିଛି । ହଳଦୀ ପାଣିରେ ଏ ସବୁକୁ ସ୍ନାନ କରାଇ ନୂତନ ବସ୍ତ୍ର ପିନ୍ଧାଇ ଦିଆଯାଏ । ଚନ୍ଦନ, ସିନ୍ଦୁର ଓ କଜଳରେ ମଣ୍ଡି ଦିଆଯାଏ । ପୂଜା ଶେଷରେ ପ୍ରଣାମ କରି ମା “ଧରିତ୍ରୀର” ଆଶିଷ ଭିକ୍ଷା କରାଯାଏ ।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ରଜ ଏକ ପର୍ବ । କୃଷକ ସମେତ ସ୍ଥାନୀୟ ଲୋକେ ଆନନ୍ଦରେ ଅପେକ୍ଷା କରିଥାନ୍ତି ଏହି ଗଣପର୍ବକୁ । ଝିଅମାନେ ନୂଆ ବେଶଭୂଷାରେ ମଣ୍ଡିତ ହୋଇଯାନ୍ତି । ଆପାଦ ମସ୍ତକ ବିଭିନ୍ନ ରଙ୍ଗର ସମାହାର । ପାଦରେ ଅଳତା, ମଥାରେ ଟିପି ଟିପି ଚନ୍ଦନ ଓ ଆଖିରେ ଆକର୍ଷଣୀୟ କଜଳ ସେମାନଙ୍କ କଣ୍ଠରୁ ଖୁସି ଆସେ ନିଜ ଭାଇ ନିମନ୍ତେ ଶୁଭ କାମନାର ମନମତାଣିଆ ରଜଦୋଳି ଗୀତ ମାଧ୍ୟମରେ ଯଥା :- “ରଜ ଦୋଳି କଟମଟ – ମୋ ଭାଈ ମୁଣ୍ଡରେ ସୁନା ମୁକୁଟଲୋ ଦିଶୁଥାଏ ଝଟଝଟ” ତା ସହିତ ଆହୁରି ଥଟ୍ଟା, ମଜ୍ଜା ଓ ହସ କୌତୁକର ମନଛୁଆଁ ଆଳାପ । ସେଇମାନଙ୍କ କଣ୍ଠରୁ ପୁଣି ଝରିଯାଏ ଝିଅ ଜୀବନର ବିରାଟ ବାସ୍ତବତାର ଚିତ୍ର । ଝିଅ ଜନମ ପର ଘରକୁ – “ଘର ଉପରେ ଘର – ଘରେ ଥିଲାବେଳେ ଘରର ଝିଅ ଲୋ – ଏରୁଣ୍ଡି ଡେଇଁଲେ ପର” । ଅର୍ଥାତ ଏହି ରଜଦୋଳି ଗୀତ ମାଧ୍ୟମରେ ଫୁଟିଉଠେ ଝିଅବୋହୁ ମାନଙ୍କର ହସ, କାନ୍ଦ ଓ ସୁଖ-ଦୁଃଖର ଦୈନନ୍ଦିନ ଜୀବନର ଚିତ୍ର ।
ଓଡ଼ିଶାରେ ରଜଦୋଳି ମୁଖତଃ ଦୁଇ ପ୍ରକାରର, ଗୋଟିଏ ରଜଦୋଳି ଗୀତ – ଅନ୍ୟଟି କେଳୁଣୀର ଦୋଳି ଗୀତ । ଗାଁ ଗହଳିରେ କେଳୁଣୀମାନେ ବାଉଁଶ ଦୋଳିରେ ବସି ଗୀତ ବୋଲନ୍ତି । ସେମାନେ ଗୀତ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଓ ରଥଯାତ୍ରାର ବର୍ଣ୍ଣନା କରିବାର ପରମ୍ପରା ରହିଛି ।
କେବଳ ଓଡ଼ିଶାରେ ନୁହେଁ, ପୃଥିବୀର ବହୁ ସ୍ଥାନରେ ବର୍ଷାଋତୁର ଆରମ୍ଭରେ ଭୂମି ପୂଜାର ପରମ୍ପରା ରହିଛି । ମାତ୍ର ଓଡ଼ିଶାର ରଜପର୍ବ ତାର ନିଜସ୍ୱ ସଂସ୍କୃତି । ଅନ୍ୟ କୌଣସି ସ୍ଥାନରେ ଏପରି ତିନିଦିନ ରଜପର୍ବ ପାଳିତ ହେବାର ଦୃଷ୍ଟାନ୍ତ ପ୍ରାୟ ଦେଖାଯାଏ ନାହିଁ । ସଜବାଜ ଠାରୁ ଆରମ୍ଭ କରି ରଜ ଚାରିଦିନ ଯାକ ଘରେ ବହୁ ପ୍ରକାରର ପିଠାପଣା – ଯଥା ପୋଡପିଠା, ଚକୁଳି, ଏଣ୍ଡୁରୀ, ମଣ୍ଡା, ଆରିଶା, କାକରା ଇତ୍ୟାଦିରେ ପରିବେଶ ମହକି ଯାଏ । କିଶୋରୀମାନେ ଘରକୁ ଘର ବୁଲି ସାଇ ପଡିଶାରେ ପିଠା ବାଣ୍ଟନ୍ତି । ଆଜି ଆଧୁନିକ ସଭ୍ୟତାରେ ରଜପର୍ବର ମୌଳିକତା ହଜି ଗଲାଣି । କେବଳ ବିଧି ବିଧାନରେ ସୀମିତ ।
ଏ ବର୍ଷ ରଜପର୍ବ ଆଜି ତା୧୪.୦୬.୨୦୨୦ ତାରିଖ ଠାରୁ ତା୧୬.୦୬.୨୦୨୦ ତାରିଖ ପର୍ଯ୍ୟନ୍ତ – ତିନି ଦିନ ପାଳିତ ହେବ । ମାତ୍ର ଯେଉଁ ଜିଲ୍ଲାରେ ରଜପର୍ବର ପ୍ରାଧାନ୍ୟ ତଥା ଧନୀ, ଦରିଦ୍ର, ନିର୍ବିଶେଷରେ ଲୋକପି୍ରୟତା ଯଥା – କଟକ, ପୁରୀ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଦା, ମୟୂରଭଞ୍ଜ, ଗଞ୍ଜାମ, ଜଗତସିଂହପୁର, ସେସବୁ ଜିଲ୍ଲାକୁ କଲବଲ କରୁଛି କାଳରୂପୀ ମହାମାରୀ କରୋନା । ୧୪ ତାରିଖ ରବିବାର, ୧୫ ତାରିଖ ସୋମବାର, ୧୬ ତାରିଖ ମଙ୍ଗଳବାର । ସୋମବାର ହୁଏତ ରଜ ସଂକ୍ରାନ୍ତି ଓ ୧୬ ବସୁମତୀ ସ୍ନାନ । ୧୪ ତାରିଖ ପହିଳି ରଜରେ ଉପରୋକ୍ତ ଜିଲ୍ଲାମାନଙ୍କରେ କରୋନା ଜନିତ ସଟ୍ଡାଉନ ସରକାର ଜାରି କରିଥିବାରୁ, ଭକ୍ତଶୂନ୍ୟ ଦେବସ୍ନାନ ପୂଣ୍ଣିମା” ପରି ରଜପର୍ବ ମଧ୍ୟ ନିରାଶା ଓ ନିରାନନ୍ଦର ପର୍ବ ହେବ । ଭାଇ·ରା ଏବଂ ସହୃଦୟତାର ଏହି ମହନୀୟ ପର୍ବ ନୀରବ ନଇଟିଏ ହୋଇ ବହିଯିବ ।