Odisha news

ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି ପାଇବାର

0

ଆଜିକାଲି ମାନସିକ ଦୁଶ୍ଚିନ୍ତା ଅନ୍ୟତମ ସମସ୍ୟା ହୋଇଗଲାଣି । କିନ୍ତୁ ଅନକ ହୁଏତ ଜାଣିଥିବେ ଏହି ମାନସିକ ଦୁଶ୍ଚିନ୍ତା ଅନେକ ଗମ୍ଭୀର ରୋଗର କାରଣ ହୋଇଯାଏ । ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ପ୍ରତି ଦଶ ଜଣଙ୍କ ମଧ୍ୟରେ ୮ଜଣ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥାନ୍ତି । ତେବେ ଏମାନଙ୍କ ମଧ୍ୟରେ ମହିଳାମାନଙ୍କର ସଂଖ୍ୟା ଅଧିକ । ସ୍ୱାମୀ ଓ ପରିବାରଠାରୁ ଭଲ ବ୍ୟବହାର ନପାଇବା, ଆର୍ଥିକ ସମସ୍ୟା, ପିଲାଙ୍କ ଶିକ୍ଷା ଓ ନିଜେ କିଛି ନକରିପାରିବାର ମାନସିକତା ମହିଳାମାନଙ୍କୁ ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରେ ପକାଇଥାଏ । ଯାହାଫଳରେ ସେମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ସ୍ୱଭାବ, ନିଦ ନ ହେବା, ଭୋକ ନ ଲାଗିବା, ଦୁର୍ବଳ ଲାଗିବା ଓ ମୁଣ୍ଡବିନ୍ଧା ଆଦି ଦେଖାଯାଏ । କ୍ରମାଗତ ଦୁଶ୍ଚିନ୍ତା ଲାଗି ରହିଲେ ଏସିଡିଟି, ହାତଗୋଡ଼ ଓ ଅଣ୍ଟା ବିନ୍ଧା ମଧ୍ୟ ହୁଏ ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଦୁଶ୍ଚିନ୍ତାର କାରଣ ଖୋଜନ୍ତୁ । ଏଥିରୁ ହିଁ ଦୁଶ୍ଚିନ୍ତା ଆପେ ଆପେ ଦୂରେଇ ଯିବ । ଯଦି କୌଣସି ମତେ ଆପଣ ମାନସିକ ଶାନ୍ତି ପାଉ ନାହାନ୍ତି, ତା’ହେଲେ ସମସ୍ୟା ସହିତ ସାଲିସ କରିବାକୁ ଚେଷ୍ଟା କରନ୍ତୁ । ଯଦି ସେହି ସମସ୍ୟା ଭିତରେ ରହିବାକୁ ପଡ଼ିବ ତା’ହେଲେ ଉଦାସ ହେବା ବଦଳରେ ସବୁବେଳେ ସକାରାତ୍ମକ ଭାବରେ ଗ୍ରହଣ କରନ୍ତୁ ।
ସାଧାରଣତଃ ମହିଳାମାନେ ଦୈନନ୍ଦିନ ପାରବାରିକ ସମସ୍ୟା ଭିତରେ ନିରାଶ ହୋଇଯାଆନ୍ତି । ସେମାନେ ଭାବନ୍ତି ସବୁବେଳେ କ’ଣ ତାଙ୍କୁ ହିଁ ଏମିତି ସାଲିସ କରିବାକୁ ପଡ଼ୁଥିବ । ପ୍ରକୃତରେ ଏକଥା ଠିକ୍ ନୁହେଁ । ଜୀବନରେ କାହା ସହିତ ନା କାହା ସହିତ ସାଲିସ କରନ୍ତି । ଏଥିପାଇଁ ମାନସିକ ଅଶାନ୍ତି ଭିତରେ ରୁହନ୍ତୁ ନାହିଁ । ଯଦି ସବୁବେଳେ ଦୁଶ୍ଚିନ୍ତା ଭିତରେ ରହୁଛନ୍ତି ତାହା ହେଲେ ନିଜକୁ ଯେତେ ସମ୍ଭବ କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ । ସବୁବେଳେ ଘର ଭିତରେ କାମ କରିବା ଦ୍ୱାରା ଯଦି ବିରକ୍ତି ଲାଗୁଥାଏ ତାହା ହେଲେ ପ୍ରତିଦିନର ରୁଟିନ୍‌ର ପରିବର୍ତ୍ତନ ଆଣନ୍ତୁ । ସାଙ୍ଗସାଥୀ ବା ପିଲାମାନଙ୍କ ସହିତ ପିକ୍‌ନିକ୍‌ରେ ଯାଆନ୍ତୁ, ସପିଙ୍ଗ କରନ୍ତୁ, ଫିଲ୍ମ ଦେଖନ୍ତୁ ଓ ଘରେ ବେଶୀ କାମ ନ ଥିଲେ ନିଜ ପସନ୍ଦର କୌଣସି କୋର୍ସ କରନ୍ତୁ । ପେଣ୍ଟିଂ ବା ସଂଗୀତର ରୁଚି ଥିଲେ ସେଥିରେ ଅଧିକ ଧ୍ୟାନ ଦିଅନ୍ତୁ । କାରଣ ରଚନାତ୍ମକ କାମ ଅନେକ ସମୟରେ ଉଦାସୀନତା ଦୂର କରେ । ଯଦି ଏସବୁ କିଛି କରି ପାରୁ ନାହାନ୍ତି, ତା’ହେଲେ ଘର ସଜାନ୍ତୁ, ପୁରୁଣା କାଠ ଜିନିଷରେ ରଙ୍ଗ ଦିଅନ୍ତୁ କିମ୍ବା କିଛି ବି ନୂଆ କରନ୍ତୁ , ଦେଖିବେ ମନଫୂର୍ତ୍ତି ରହିବ ।
ମର୍ଣ୍ଣିଂ ୱାର୍କ ଆରମ୍ଭ କରନ୍ତୁ । ସକାଳର ଥଣ୍ଡାପବନ, ଶାନ୍ତ ପରିବେଶ ମନକୁ ଶାନ୍ତି ଦେବ । ଯୋଗ, ପ୍ରାଣାୟମ୍ ଆଦି ମଧ୍ୟ ଦୁଶ୍ଚିନ୍ତା ମନରେ ସକାରାତ୍ମକ ପ୍ରଭାବ ପକାଏା
ଯେବେ ବି ମନ ଉଦାସ ଲାଗୁଛି କୌଣସି ଅନ୍ୟ କାମରେ ମନ ଦିଅନ୍ତୁ । କାର୍ଯ୍ୟବ୍ୟସ୍ତତା ଭିତରେ ମାନସିକ ଅଶାନ୍ତି ଦୂର ହୋଇଯିବ । ଦୁର୍ବଳତା ବା ରୋଗ କାରଣରୁ ଅନେକ ସମୟରେ ଅବସାଦ ଦେଖାଦିଏ । ଏମିତି ପରିସ୍ଥିତିରେ ପ୍ରଥମେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଯଦି ସମ୍ଭବ ହେଉଛି ସାଙ୍ଗସାଥୀ, ସ୍ୱାମୀ ବା ପିଲାମାନଙ୍କ ଆଗରେ ନିଜର ମାନସିକ ଅଶାନ୍ତି ବ୍ୟକ୍ତ କରନ୍ତୁ । ହୁଏତ ସେମାନେ କିଛି କରି ନ ପାରନ୍ତି, କିନ୍ତୁ କହିଦେଲେ ମନ ହାଲକା ହୋଇଥାଏ । କବିତା, କାହାଣୀ ବା ଡାଏରୀ ଲେଖନ୍ତୁ । ନକାରାତ୍ମକ ଭାବନା ବା ସେପରି ବିଚାର ଓ ଗୀତ ଆଦିରୁ ଦୁରେଇ ରୁହନ୍ତୁ । ସବୁଠାରୁ ବଡ଼ କଥା ଜୀବନକୁ ସବୁବେଳେ ସକାରାତ୍ମକ ଢଙ୍ଗରେ ନିଅନ୍ତୁ । ଦେଖିବେ ଜୀବନ ଖୁସିରେ ଭରିଯିବ ।

Leave A Reply

Your email address will not be published.