ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ରଜ ହର୍ଷ ଉଲ୍ଲାସର ଏକ ନିଆରା ପର୍ବ । ଗ୍ରୀଷ୍ମ ଓ ବର୍ଷାଋତୁର ସନ୍ଧିକ୍ଷଣରେ ପ୍ରତିବର୍ଷ ଆସେ ଏଇ ନିଆରା ରଜପର୍ବ । ରଜ ପରେପରେ ଗ୍ରୀଷ୍ମଋତୁ ବିଦାୟ ନିଏ । ବର୍ଷା ଆଗମନରେ ଧରଣୀ ମାଆ ଉଲ୍ଲସିତ ହୋଇ ଉପଜ କ୍ଷମତାସମ୍ପର୍ଣ୍ଣ ହୁଏ । ଚାଷୀପୁଅ ଅନ୍ତର ମନରେ ଅନେକ ସମ୍ଭାବନାର ସ୍ୱପ୍ନ ବୁଣେ । ଏହି ରଜପର୍ବ ହିଁ ଭୂମିପୂଜାର ଅନୋଖା ପର୍ବ । ମାଟିମାଆକୁ ପୂଜାକରି ଚଷା ଚାଷକାମ ଆରମ୍ଭ କରେ । ଆମଦେଶ ଭାରତର ଏବଂ ରାଜ୍ୟ ଉତ୍କର ସଂସ୍କୃତି ଓ ଧାର୍ମିକ ପରମ୍ପରା ମହାନ୍ । ଅବଧାରିତ ଅଧ୍ୟାତ୍ମିକ ଚେତନା ତଥା ଦିଗ୍ଦର୍ଶନରେ ଭାରତ ହିଁ ବିଶ୍ୱରେ ପୁରାତନ ଏବଂ ଶୀର୍ଷସ୍ଥାନ ଅଧିକାର କରିଛି ।
ଆମ ସଂସ୍କୃତିରେ ଗିରି ଗୋବର୍ଦ୍ଧନି, ମନ୍ଦର, ଅସଂଖ୍ୟ ନଦନଦୀ, ବୃକ୍ଷଲତା ସହ ମାଟିମାଆର ଯେଉଁ ପୂଜାବିଦ୍ଧି ସବୁ ରହିଛି ତଦ୍ଦ୍ୱାରା ପରିବେଶ ରକ୍ଷା ଦିଗରେ ମଣିଷ ଅନେକ ସୁଫଳ ପାଉଛି । ହିନ୍ଦୁସମାଜର ପୌରାଣିକ ମତାନୁସାରେ ଧରଣୀ ମାଆ ରଜପର୍ବରେ ରଜସ୍ୱଳା ବା ଋତୁମତି ହୁଅନ୍ତି । ତେଣୁ ସମସ୍ତ ମାତୃଶକ୍ତି ସମ୍ପର୍ଣ୍ଣା ମା ଭଉଣୀମାନେ ରଜ ତିନିଦିନ ବହୁତ ହର୍ଷଉଲ୍ଲାସର ସହିତ ନାନାଦି ପ୍ରକାର ଉତ୍ସବ ପାଳନ କରନ୍ତି । ଖାଲିପାଦରେ ଚାଲିବା ମନା, ହଳ ନିଷେଧ ଆଦି ଅନେକ ପରଂପରା ଅଛି । କଦଳୀ ବାସୁଙ୍ଗା କିମ୍ବା ଗୁଆଖୋଳପାରେ ଜୋତା ତିଆରି କରି ପାଦରେ ପିନ୍ଧି ଧିରେଧିରେ ଚଲାବୁଲା କରନ୍ତି ।
ଉତ୍ସବର ପ୍ରଥମଦିନକୁ ପହିଲିରଜ କୁହାଯାଏ । ଏ ଦିନକୁ ଗାଁ ଗହଳିରେ ସଜବାଜ ଦିନ ମଧ୍ୟ କହିଥାନ୍ତି । ଝିଅ ବୋହୂମାନେ ନୂଆନୂଆ ପୋଷାକ ଓ ଶାଢୀ ପିନ୍ଧି ଶରୀରକୁ ଭଳଭାବରେ ସଜେଇ ସାଇରୁ ସାଇ ବୁଲିବୁଲି ଦୋଳି ଖେଳନ୍ତି । ସଜବାଜ ପରଦିନ ଆସେ ମଝିରଜ ଓ ତା ପରେ ଶେଷରଜ । ଏଇ ରଜ ତିନିଦିନଯାକ ମାଟିମାଆର ଯତ୍ନ ନିଆଯାଏ, କୌଣସି ପ୍ରକାରେ ବାଧା ଦିଆଯାଏ ନାହିଁ । ଭୂଇଁ ହଣାଯାଏ ନାହିଁ କି ଗଛ ଡାଳପତ୍ର ଆଦି କଟାଯାଏ ନାହିଁ । ସମସ୍ତଙ୍କ ଘରେ ବହୁ ପ୍ରକାର ପିଠାପଣାର ଆୟୋଜନ କରାଯାଏ ।
ରଜପର୍ବରେ ଅନେକ ପ୍ରକାର ପିଠା ହେଉଥିଲେ ମଧ୍ୟ ପୋଡପିଠାର ମହତ୍ତ୍ୱ ଅଲଗା । ଏବେ ସହରର ନାମିଦାମୀ ହୋଟେଲ୍ ମାନଙ୍କରେ ବି ରଜ ପୋଡପିଠା ତିଆରିକରି ବିକ୍ରି କଲେଣି । ଗୋଟେଗୋଟେ ଜାଗାରେ କାଜୁ ଖିସିମିଶ୍ ପୋଡପିଠାରେ ଏତେ ଭର୍ତ୍ତି କରି ଦେଉଛନ୍ତି ଯେ ପୋଡପିଠା ବର୍ଫିମିଠା ପରି ଲାଗୁଛି । କିଲୋ ହଜାରେଟଙ୍କାରେ ରଜ ତିନି ଦିନ ବିକ୍ରି କରୁଛନ୍ତି । ଅନେକ ମହିଳା ସ୍ୱୟଂସହାୟକ ଗୋଷ୍ଠି ମଧ୍ୟ ଏବେ ରଜପର୍ବକୁ ଏହି ପୋଡପିଠା ବିକ୍ରି କରିବାକୁ ଚାହିଁ ବସୁଛନ୍ତି ।
କୁଆଁରୀ କନ୍ୟାମାନଙ୍କ ପାଇଁ ଏ ପର୍ବଟି ନିଆରା । ତିନିଦିନରେ ତିନିହଳ ନୂଆପୋଷାକ ଦରକାର । ଘରେ ଭାବନ୍ତି ଆଉ କେତେଦିନ ଇଏ ଝିଅ ଏଇ ଘରେ ଆମପାଖରେ ରହିବ ଯେ ! ଦୁଇ ତିନିବର୍ଷରେ ବାହା ହୋଇଗଲେ ଶାଶୂଘର ଚାଲିଯିବ । ଏଠି ଏବେ ପିନ୍ଧୁ , ଟିକେ ସଉକ କରୁ । ପୋଷାକପତ୍ର ଅଳତା ନଖପାଲିସ୍ ଯାହା ମାଗୁଛି କିଣି ଦିଆଯାଏ ।
ସକାଳୁ ସଞ୍ଜ ଯାଏ ଝିଅଛୁଆଙ୍କର ଦୋଳିଝୁଲା ଏବଂ ପୁଚିଖେଳ ଆଦି ଚାଲୁ ରହେ । ଦୋଳି ବି ଅନେକ ପ୍ରକାର । ଆଜି ସହରାଂଚଳରେ ପ୍ରାୟ କଲ୍ୟାଣ ମଣ୍ଡପ ଭିନ୍ନଭିନ୍ନ ପ୍ରକାର ଦୋଳି ଲଗେଇ ଗରାକମାନଙ୍କୁ ଆମନ୍ତ୍ରଣ କରୁଛନ୍ତି । ସେଇ ପରିଶର ଭିତରେ ମଧ୍ୟ ପୋଡପିଠା ବିକ୍ରି କରାଯାଉଛି । ଆଗେ ଠିଆଦୋଳି କି ବାଉଁଶ ଦୋଳି ବଡବଡ ଆମ୍ବଗଛର ଡାଳରେ ଟାୟାର ଯୋଗେ କଷିକି ବନ୍ଧାଯାଏ । ଭଲ ମଜଭୁତ୍ ପୋଲା ବାଉଁଶକୁ ମଝିରୁ ଦୁଇଫାଳ କରି ତଳମୁଣ୍ଡରେ ପଟା ଲଗାଯାଏ ଏବଂ ଉପରମୁଣ୍ଡକୁ ଗୋଟାଳିଆ ରଖି କୋଡିଏ ପଚିଶଫୁଟ ଉପରେ ମୋଟାଡାଳରେ ଦଉଡି କିମ୍ବା ଲୁହାଚେନ୍ରେ ବାନ୍ଧି ଦୋଳି ପ୍ରସ୍ତୁତହୁଏ । ଝିଅମାନେ ଗୋଟେଗୋଟେ ଦୋଳିରେ ଏକାଥରକେ ତିନି ଚାରିଜଣ ବି ଛିଡାହୋଇ ଖେଳି ପାରନ୍ତି । ଖେଳିଲାବେଳେ ଏକାସାଙ୍ଗରେ ସେଇ ପ୍ରସିଦ୍ଧ ରଜଗୀତଟିକୁ ଉଚ୍ଚସ୍ୱରରେ ବୋଲନ୍ତି, ରଜଦୋଳି ରଟମଟ, ମୋ ଭାଇ ମୁଣ୍ଡରେ ସୁନା ମୂକୁଟଲୋ, ଦିଶୁଥାଏ ଝଟଝଟ.. ।
ତିନିଦିନଯାକ ପିଠାପଣାରେ ଖାଦ୍ୟକାମ ଚଳୁଥିବାରୁ ବୋହୂମାନଙ୍କ ହାତରେ ବି ଘରୋଇ କାମ ବେଶି ନଥାଏ । କେଉଁଠି ଦଳେ ଲୁଡୁ ଖେଳିଲେଣି ତ ଆଉ କେଉଁଠି ଦଳେ ତାସପାଲି ପକାଇ ବସିଯାନ୍ତି । କିଛି ସ୍ତ୍ରୀଲୋକଙ୍କୁ କାଞ୍ଜିପଟା କଇଁଆମଞ୍ଜି ଦାନକରି ଖେଳିବାକୁ ଭଲ ଲାଗେ ତ କିଛି ମାଟି ବାରଣ୍ଡାରେ ଘରକାଟି ବାଘବଜାରୀ ଓ କଉଡି ଖେଳଖେଳି ରଜପର୍ବରେ ଘଂଟାଘଂଟା ସମୟ କାଟିଥାନ୍ତି । ଗାଁ ଯୁବକମାନେ ପୂର୍ବରୁ କବାଡି ଖେଳୁଥିଲେ । କିନ୍ତୁ ଏବେ ସବୁଆଡେ କ୍ରିକେଟ କି ଫୁଟବଲ୍ ମ୍ୟାଚ୍ ଦେଖିବାକୁ ମିଳୁଛି । ବୟସ୍କ ବ୍ୟକ୍ତିମାନେ ତାସ ଓ ପାଲି ଖେଳନ୍ତି । ଆମ ବଉଳପଦା ପାଖଗାଁ ବାଉଁଶଦଣ୍ଡାରେ ରଜଦିନ ସତ୍ୟନାରାୟଣ ଠିଆପାଲାର ଆୟୋଜନ ହୁଏ । ସର୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶଖଣ୍ଡ ମୌଜାରୁ ସଂକୀର୍ତ୍ତନ ମଣ୍ଡଳୀ ଆସି କୀର୍ତ୍ତନ ପରିବେଷଣ କରନ୍ତି । ଅନ୍ୟକିଛି ଗାଁରେ ଅଖଣ୍ଡ ହରିନାମ ପାଠ କରାଯାଏ । ଉତ୍କଳର କୋଣ ଅନୁକୋଣରେ ଅନେକଜାଗାରେ ରଜପର୍ବ ତିନିଦିନ ବିଭିନ୍ନ ସାସ୍କୃତିକ କାର୍ଯ୍ୟମାନ ଚାଲୁଥାଏ । ଧୁଡୁକି ନାଚ, ଦାସକାଠିଆ, ଘୋଡାନାଚ, ରାମଲୀଳା, ପାଲା, ନାଟକ ଆଦି ପରିବେଷଣ କରାଯାଇଥାଏ ।
ବିଶେଷକରି ରଜଉତ୍ସବ କୃଷିକର୍ମ ସହ ଓତପୋ୍ରତ ଭାବରେ ଜଡିତ । ରଜର ଶେଷଦିନ ହେଲା ଭୂମି ଦହନ । ତାପର ଦିନକୁ ଠାକୁରାଣୀ ବୁଡ କୁହାଯାଏ । ଏହିଦିନ ମାଆ ବସୁଧା ସ୍ନାନ କରନ୍ତି । କୃଷକ ସିନ୍ଦୁର ଲିପି ଫାଳପୂଜା କରେ । ତାପରେ ଲଙ୍ଗଳନେଇ ବିଲକୁ ଯାଏ । ଭୂଇଁ ଚଷି ବିହନ ବୁଣେ । ଧାନ ଗଜାହୋଇ ଭୂଇଁ ଉପରକୁ ଦେଖାଗଲେ ଚାଷୀଭାଇମାନଙ୍କ ମନ କୁଣ୍ଢେମୋଟ ହୋଇଯାଏ, ପୁଣିଥରେ ହୃଦୟରେ ନୂତନ ଜୀବନ୍ତସ୍ୱପ୍ନର ଅଙ୍କୁରୋଦ୍ଗମ ହୁଏ । ଏମିତି କଟେ ଆମ ଉତ୍କଳର ନିଆରା ରଜପର୍ବ । ସତରେ ଆମେ ଭାରତ ଦେଶର ଉତ୍କଳ ପ୍ରଦେଶରେ ଜନ୍ମ ନେଇଥିବାରୁ ବାରମାସରେ ତେରପର୍ବର ଝଲକ ଦେଖି ନିଜେନିଜକୁ ଗୌରାବାନ୍ୱିତ ମନେକରିବା ସହ ଗର୍ବ ମଧ୍ୟ ଅନୁଭୁତ ହୁଏ । ସେଥିପାଇଁ ଯଥାର୍ଥରେ ଗୋଟିଏ
ସଂସ୍କୃତ ଶ୍ଲୋକରେ କୁହାଯାଇଛି,
ବର୍ଷାଣାଂ ଭାରତ ଶ୍ରେଷ୍ଠ , ଦେଶାନାଂ ଉତ୍କଳ ଶ୍ରୁତଃ
ଉତ୍କଳସ୍ୟ ସମୋଦେଶଃ , ଦେଶୋନାସ୍ତି ମହୀତଳେ
କିନ୍ତୁ ୨୦୨୦ରଜପର୍ବ କରୋନା ଭୂତାଣୁ ଖାଇଯିବ । ଏକାସାଙ୍ଗରେ ସାମାଜିକଦୂରତା ରକ୍ଷାସହ ଏ ବର୍ଷ ରଜପାଳନ କେମିତି ହେବ!