Odisha news

ମନରୁ ହଜିଛି ରଜ

0

ଯଦୁମଣି ପାଣିଗ୍ରାହୀ : ଓଡିଶାର ଶତକଡା ପ୍ରାୟ ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ସେହି ଅନୁସାରେ ଓଡିଶାର ଅଧିକାଂଶ ପର୍ବପର୍ବାଣୀ କୃଷିକୁ ଆଧାର କରି ହିଁ ସୃଷ୍ଟି ହୋଇଛି । ଓଡିଶାର ମହନୀୟ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ ପାଳନ କରା ଯାଇଥାଏ । ଏଗୁଡିକ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହା ଏକ କୃଷି ଭିତ୍ତିକ ଓ ଗଣ ପର୍ବ ହୋଇଥିବା କାରଣରୁ ରାଜ୍ୟର କୋଣ ଅନୁକୋଣରେ ଏହାକୁ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ଘରେ ଘରେ ପାଳନ କରାଯାଇଥାଏ । ବର୍ଷ ଯାକ ପାଳନ କରାଯାଉଥିବା ବିଭିନ୍ନ ପର୍ବ ମଧ୍ୟରୁ ରଜ ପର୍ବର ଏକ ନିଆରା ମଜା ରହିଛି । ପ୍ରତିବର୍ଷ କୃଷକ ତା’ର ଚାଷ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏହି ପର୍ବକୁ ୩ ଦିନ ଧରି ଅତ୍ୟନ୍ତ ଆଗ୍ରହ ଓ ଆବେଗରେ ପାଳନ କରିଥାଏ । ବସୁମାତା ରଜସ୍ୱାଳା ହୋଇଥିବା କାରଣରୁ ଏହି ତିନି ଦିନ ତାଙ୍କୁ ବିଶ୍ରାମ ଦିଆଯାଏ ଓ ତା’ପରେ କୃଷକ ବିଧିବଦ୍ଧ ଭାବେ କ୍ଷେତକୁ ଓହ୍ଲାଇ ଥାଏ । ଗ୍ରୀଷ୍ମର ଅବସାନ ଓ ପହିଲି ଆଷାଢର ପ୍ରଥମ ସ୍ପର୍ଶରେ ଧରଣୀ ମାତା ବେଶ୍ କମନୀୟ ରୂପ ଧାରଣ କରିବାକୁ ଯାଉଥିବା ବେଳେ ସକଳ କୀଟପତଙ୍ଗ, ପଶୁପକ୍ଷୀ, ବୃକ୍ଷଲତା ଓ ମଣିଷଙ୍କ ଯାଏଁ ବେଶ ଆଶ୍ୱସ୍ତ ଓ ଆନନ୍ଦ ଅନୁଭବ କରିଥାନ୍ତି ।

ଏମିତି ଏକ ସନ୍ଧିକ୍ଷଣରେ ରଜପର୍ବ କୃଷକ ମାନଙ୍କୁ ଚାଷ କରିବାକୁ ପ୍ରେରଣା ଦେବା ସହିତ ତା’ର ମନୋବଳକୁ ଦୃଢ କରିଥାଏ । କେବଳ ରଜ ପର୍ବ କୃଷକ ମାନଙ୍କୁ ନୁହେଁ ବରଂ ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ଭାଇଚାରାର ବନ୍ଧନକୁ ଅଧିକ ଦୃଢୀଭୂତ କରିଥାଏ । ରଜ ପର୍ବରେ ଗାଁ ଗଣ୍ଡା ବେଶ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇଉଠେ । କି ଗରିବ ଓ କି ଧନୀ ନିର୍ବିଶେଷରେ ସମସ୍ତେ ଯେମିତି ଏକ ଅଫୁରନ୍ତ ଆନନ୍ଦରେ ଆତ୍ମ ବିଭୋର ହୋଇଉଠନ୍ତି । ରଜରେ ଗାଁ ଗଣ୍ଡାରେ ଝିଅ ଝିଆଣିଙ୍କ ଆଗମନ ସାଙ୍ଗକୁ ବନ୍ଧୁବାନ୍ଧବଙ୍କ ଘରକୁ ଯିବାଆସିବାର ବାଟ ଉନ୍ମୁକ୍ତ ହୋଇଯାଏ ଯେମିତି । ଘରେ ଘରେ ପିଠାପଣାର ଆସର ଜମିଉଠେ । ସେ ମିଠା ହେଉ କି ପିଠାପଣା ପରସ୍ପରକୁ ଦେବାନେବାର ଗୋଟେ ପରମ୍ପରା କେବଳ ବୋଧେ ଗାଁରେ ହିଁ ରହିଛି । ରଜ ପର୍ବ ଏକ ସାଜସଜ୍ଜାର ପର୍ବ । ଝିଅବୋହୂ ମାନେ ନିଜକୁ ରଙ୍ଗବେରଙ୍ଗର ଲୁଗାପଟା ଓ ଗହଣାଗାଣ୍ଠିରେ ସଜ୍ଜିତ କରି ଦୋଳି ଖେଳିବାର ଦୃଶ୍ୟ ଅତ୍ୟନ୍ତ ମନଲୋଭା ଓ ମନ ମୁଗ୍ଧକର । ରଜ ପର୍ବରେ ରଜ ପାନର ବିଶେଷ ଚାହିଦା ଓ ଆଦର ସର୍ବତ୍ର ପରିଲକ୍ଷିତ ହୋଇଥାଏ । ରଜ ପାନ ନଥିଲେ ରଜଟା ଫିକା ଫିକା ଲାଗେ ଯେମିତି ।

ଏତଦଭିନ୍ନ ରଜରେ ଗାଁ ଗାଁରେ ଝିଅବୋହୂ ଓ ବୃଦ୍ଧ/ବୃଦ୍ଧା ମାନଙ୍କ ମଧ୍ୟରେ ତାସ୍ ଓ ଲୁଡୁ ଆଦି ଖେଳ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ବାଗୁଡି, ତାସ୍ ଓ କ୍ୟାରେମ ଆଦି ଖେଳର ମଜାଦାର ଦୃଶ୍ୟ ପ୍ରାୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ପହିଲି ରଜ ଠାରୁ ପୁଣି ବସୁମାତାଙ୍କ ସ୍ନାନ ଯାଏଁ ତିନି ଦିନର ଏହି ପର୍ବ ସମସ୍ତଙ୍କ କର୍ମକ୍ଳାନ୍ତମୟ ଜୀବନରେ କିଛିଟା ଖୁସି ଓ ଆନନ୍ଦ ଭରି ଦେଇଥାଏ ।

ତେବେ ପରିତାପର ବିଷୟ ହେଉଛି ସେଦିନର ସେ ରଜ ମଉଜ ଆଜିକାଲି ଆଉ ଦେଖିବାକୁ ମିଳୁନାହିଁ । ଫି’ବର୍ଷ ପରି ପ୍ରତିବର୍ଷ ରଜ ଆସୁଛି ସିନା ହେଲେ ଲୋକଙ୍କ ମନରେ ରଜ ପ୍ରତି ପୂର୍ବର ସେ ଆଗ୍ରହ ଓ ଆନ୍ତରିକତା ଆଉ ନଥିବା ପରିଲକ୍ଷିତ ହେଉଛି । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଯୋଗୁଁ ଆଜି ସର୍ବତ୍ର ଯେମିତି କେବଳ ବିଧି ରକ୍ଷାରେ ସୀମିତ ରହିଛି ରଜ ପର୍ବ । ଗାଁ ଗଣ୍ଡାର ଅଧିକାଂଶ ଲୋକ ଏବେ ବିଭିନ୍ନ କାରଣରୁ ସହରମୁହାଁ ହୋଇଥିବା ବେଳେ ସେମାନେ ଅନ୍ୟ ପର୍ବ ମାନଙ୍କ ପରି ରଜକୁ କେବଳ ଏକ ପର୍ବ ବୋଲି ଧରି ନେଇଛନ୍ତି । ରଜରେ ଗାଁକୁ ଆସିବା ଓ ପରିବାର ଲୋକ ତଥା ଅନ୍ୟମାନଙ୍କ ସହ ରଜ ପର୍ବକୁ ପାଳନ କରି ଆନନ୍ଦ ଲାଭ କରିବାର ଆବେଗ ସେମାନଙ୍କ ଭିତରେ ଆଉ ନାହିଁ । ବାକି ରହିଲା ଗାଁ କଥା । ଗାଁ ଗଣ୍ଡାର ସେ ଶାନ୍ତକାନ୍ତ ବାତାବରଣ ଆଜି ନାନା ଭାବେ ନଷ୍ଟଭ୍ରଷ୍ଟ ଓ କ୍ଷତବିକ୍ଷତ । ଏବେ ହୀନ ରାଜନୀତିର କୁପ୍ରଭାବରେ କଳୁଷିତ ଗାଁର ସୁସ୍ଥ ଓ ଶୃଙ୍ଖଳିତ ପରିବେଶ । ନିଶାଗ୍ରସ୍ତ ତଥା ବିପଥଗାମୀ ଯୁବଗୋଷ୍ଠୀଙ୍କ ଆତଙ୍କରେ ଏବେ ଗାଁ ଲୋକେ ଆତଙ୍କିତ । ଗାଁ ଗଣ୍ଡାରେ ଝିଅବୋହୂଙ୍କ ସୁରକ୍ଷା ନେଇ ଆଜି ପିତାମାତା ଓ ଅଭିଭାବକ ମାନେ ବେଶ୍ ଚିନ୍ତିତ ଓ ବିବ୍ରତ ମଧ୍ୟ ।

ଗାଁ ଲୋକଙ୍କ ମଧ୍ୟରେ ପୂର୍ବର ସେ ପାରସ୍ପରିକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଓ ସୁସଂପର୍କ ଆଜି ଆଉ ନାହିଁ । ବୟସ୍କ ଓ ଗୁରୁଜନଙ୍କ ପ୍ରତି ଯୁବଗୋଷ୍ଠୀଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ବଦଳରେ କେମିତି ଘୃଣା ଓ ଅସୂୟା ଭାବ ଆଜି ଯେମିତି ସୃଷ୍ଟି ହୋଇଛି । ଫଳରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ସମସ୍ତେ ନିଜ ସଂପର୍କକୁ ସୀମିତ ରଖୁଛନ୍ତି । ଏପରିସ୍ଥିତିରେ ସାଙ୍ଗସାଥୀ ହୋଇ କିମ୍ବା ମିଳିମିଶି ରଜ ପର୍ବ ପାଳନ କରିବାର ପରମ୍ପରା ଆଉ ଯେ ପୂର୍ବବତ୍ ବଜାୟ ରହିବ ଏ ଆଶା କରିବା ବି ବୃଥା । ସେହିପରି ଯୁବ ବର୍ଗ ଏବେ ସୋସିଆଲ ମିଡିଆ ପ୍ରେମରେ ପୂରାପୂରି ପାଗଳ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରଚାର ଓ ପ୍ରସାର ଯୋଗୁଁ ଇ-ମେଲ ଓ ଇଣ୍ଟରନେଟ ପଛରେ ପଡିଛନ୍ତି ସମସ୍ତେ ।

ଘରେ ବସି ନିଜ ମୋବାଇଲ କିମ୍ବା ଲାପଟପ୍ରେ ଗେମ୍ ଖେଳିବାର ମଜାକୁ କିଏ ବା କାହିଁକି ମିସ୍ କରିବ କହିଲେ । ଅନ୍ୟପକ୍ଷେ ଆଜିର ଏହି ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ବ୍ୟସ୍ତ ଓ ଚଳଚଞ୍ଚଳ । କାହା ସହିତ ପଦେ କଥା ହେବା କିମ୍ବା ସୁଖଦୁଃଖ ହେବାକୁ କାହା ପାଖରେ ସମୟ ନାହିଁ ଯେତେବେଳେ ପର୍ବପର୍ବାଣୀ ପାଳନ କରିବା ସମ୍ଭବ ହେବ ବା କେମିତି । ତେଣୁ ରଜର ମହକ ଧୀରେ ଧୀରେ କମିବାରେ ଲାଗିଛି । ଲୋକଙ୍କ ମନରୁ କ୍ରମଶଃ ହଜିଯିବାକୁ ବସିଛି ରଜ । ସହଜେ ଏବେ କରୋନା ମହାମାରୀ ଯୋଗୁଁ ଆମ ରାଜ୍ୟ ଲକଡାଉନରେ ଅଛି । ଏଭଳି ମହାବିପଦ ସମୟରେ ସମସ୍ତେ ଏବେ ପ୍ରାୟ ଗୃହବନ୍ଦୀ ଜୀବନ ବିତାଉଛନ୍ତି । ଲୋକେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରୋନା ପ୍ରଭାବରେ ଆମ ରାଜ୍ୟର ସବୁ ବର୍ଗର ଲୋକେ ଏବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ । ବିଶେଷକରି ଗାଁ ଗଣ୍ଡାର କୃଷିଜୀବୀ ଓ ଶ୍ରମଜୀବୀ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଛନ୍ତି । ଏହାବ୍ୟତୀତ ରାଜ୍ୟର ୧୧ ଜିଲ୍ଲା ରଜରେ ସଟ୍ଡାଉନରେ ରହୁଥିବା କାରଣରୁ ଘରୁ ବାହାରିବା ବି ସମ୍ଭବ ନୁହେଁ । ଫଳରେ ସାରା ଓଡିଶାରେ ଏଥରର ରଜ ଫିକା ପଡିବା ଏକପ୍ରକାର ନିଶ୍ଚିତ ।

Har Ghar Tiranga

Leave A Reply