ଭୁବନେଶ୍ବର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ନିରବ ମୋଦୀର ୧୪ହଜାର କୋଟି ଟଙ୍କାର ଠକେଇ ଚର୍ଚ୍ଚା ଥମୁନଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବ୍ୟାଙ୍କ କର୍ମଚାରୀଙ୍କୁ ଆୟୁଧ କରି ଲୁଇସ୍ ରୋଡ୍ସ୍ଥିତ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ଲିମିଟେଡ୍ ନାମକ ଏକ ସଂସ୍ଥା ୩୨ କୋଟି ଟଙ୍କା ଠକି ନେଇଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ଷ୍ଟେସନ ସ୍କୋୟାର୍ ଶାଖାରେ ଏହି ଠକେଇ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ବ୍ୟାଙ୍କର ସର୍କଲ କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଅଧିକାରୀମାନେ ଏଭଳି କେଳେଙ୍କାରୀ କରିବାରେ ସଫଳ ହୋଇଛନ୍ତି। ବିଳମ୍ବରେ ହେଲେ ବି ଏ ସଂକ୍ରାନ୍ତରେ ବ୍ୟାଙ୍କର ସର୍କଲ୍ ମୁଖ୍ୟ ଗଣପତ୍ ଲାଲ୍ ଅଭିଯୋଗ କରିବା ପରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ଆଜି ସିବିଆଇର ୧୨ଟି ଟିମ୍ କମ୍ପାନିର କାର୍ଯ୍ୟାଳୟ, ନିର୍ଦେଶକଙ୍କ ଘର, ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ସହଯୋଗୀ ସଂସ୍ଥା ଓ ଏହି ଠକେଇ ସହ ଜଡ଼ିତ ଥିବା ବ୍ୟାଙ୍କର ଅଧିକାରୀମାନଙ୍କ ଘରେ ଚଢ଼ଉ କରିଛି। ଚଢଉ ସମୟରେ ବ୍ୟାଙ୍କ କାଗଜପତ୍ର, ପାସ୍ବୁକ୍, ଗୁରୁତ୍ବପୂର୍ଣ ଦସ୍ତାବିଜ୍ ଓ କମ୍ପୁଟର ହାର୍ଡଡିସ୍କ ଆଦି ଜବତ କରାଯାଇଛି। ସିବିଆଇର ୧୫ରୁ ଅଧିକ ଟିମ୍ ଆଜି ଭୁବନେଶ୍ବରରେ ୧୦ରୁ ଅଧିକ ସ୍ଥାନ ସମେତ କୋଲକାତା, ବିଶାଖାପାଟଣା, ବରୋଦା, ଜମ୍ମୁରେ ମଧ୍ୟ ଚଢ଼ଉ କରିଥିବା ସୂଚନା ମିଳିଛି।
ସିବିଆଇ ପକ୍ଷରୁ ଏହି ମାମଲାରେ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ଏମ୍ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଏବଂ ନିର୍ଦେଶକ ବିଧୁଭୂଷଣ ନାୟକଙ୍କ ସମେତ ପିଏନ୍ବିର ଠକେଇ ସମୟରେ ଥିବା ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ୍ ସି ଏସ୍ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ ଓ ବରିଷ୍ଠ ଅଧିକାରୀ ପ୍ରିୟତୋଶ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସିବିଆଇ ନିକଟରେ ପିଏନ୍ବି କରିଥିବା ଅଭିଯୋଗରୁ ଜଣାପଡ଼ିଛି ଯେ ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସର ବରିଷ୍ଠ ଅଧିକାରୀ ଓ ପିଏନ୍ବି ଷ୍ଟେସନ୍ ସ୍କୋୟାର ଶାଖାରେ କାମ କରୁଥିବା କିଛି କର୍ମଚାରୀ ଅପରାଧିକ ଷଡ଼ଯନ୍ତ୍ର କରି ଠକେଇ କରିଥିଲେ। କ୍ୟାସ୍ କ୍ରେଡିଟ୍, ବିଲ୍ ଡିସ୍କାଉଣ୍ଟିଂ, ଲେଟର୍ ଅଫ୍ କ୍ରେଡିଟ୍ ଜାରି କରିବା ଆଦି ଉପାୟରେ ଠକେଇ ହୋଇଥିଲା। ସେଥିପାଇଁ ପିଏନ୍ବିକୁ ୩୧ କୋଟି ୯୨ ଲକ୍ଷ ୬୮ ହଜାର ୯୦୬ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ୨୦୧୦-୨୦୧୫ ମଧ୍ୟରେ ଏହି ଠକେଇ ହୋଇଥିଲା। ସେତେବେଳେ ବ୍ୟାଙ୍କର ବରିଷ୍ଠ ଅଧିକାରୀ ପଦରେ କାର୍ଯ୍ୟ କରୁଥିବା ଅଭିଯୁକ୍ତ କର୍ମଚାରୀମାନେ ନିଜ ପଦର ଅପବ୍ୟବହାର କରି ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସକୁ ଠକେଇ କରିବାରେ ସାହାଯ୍ୟ କରିଥିଲେ। ପାଣ୍ଠି ଦେବା ବେଳେ ଏହି କଂପାନିର କାଗଜପତ୍ରକୁ ବ୍ୟାଙ୍କ ଅଧିକାରୀମାନେ ଠିକ୍ ଭାବେ ଯାଞ୍ଚ କରିନଥିଲେ। କଂପାନିର କାରବାର ସମ୍ପର୍କରେ ମଧ୍ୟ ଜାଣିବାକୁ ପ୍ରୟାସ କରିନଥିଲେ। ଯେଉଁ ଉଦ୍ଦେଶ୍ୟ ପାଇଁ ବ୍ୟାଙ୍କରୁ ପାଣ୍ଠି ନିଆଯାଇଥିଲା ତାହାକୁ ସେହି କାର୍ଯ୍ୟରେ ବ୍ୟବହାର ନକରି କଂପାନି ପକ୍ଷରୁ ବେଆଇନ ଭାବେ ଉକ୍ତ ପାଣ୍ଠିକୁ ନିଜର ସହଯୋଗୀ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା।
ସିବିଆଇ ଏଫ୍ଆଇଆର୍ରୁ ଜଣାପଡ଼ିଛି ଯେ ଲୁଇସ୍ ରୋଡ୍ରୁ ବ୍ୟବସାୟ ପରିଚାଳନା କରୁଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ସ ଲୁହାପଥର ରପ୍ତାନି ଓ ଅନ୍ୟାନ୍ୟ କାରବାର ସହ ଜଡ଼ିତ ଥିଲା। ଏହା ଦେଶ ଭିତରେ ଏବଂ ବିଦେଶକୁ ଲୁହାପଥର ରପ୍ତାନି କରୁଛି। ସିଙ୍ଗାପୁରର ଏକ କମ୍ପାନି ସହ ବ୍ୟାବସାୟିକ ସମ୍ପର୍କ ସ୍ଥାପନ ହେବା ପରେ ସେଠାରୁ ଫରେନ୍ ଲେଟର ଅଫ୍ କ୍ରେଡ଼ିଟ୍ ହାସଲ କରିଥିଲା। ସେହି ଲେଟର୍ ଅଫ୍ କ୍ରେଡିଟ୍ ଜରିଆରେ ପିଏନ୍ବିର ଷ୍ଟେସନ ସ୍କୋୟାର ଶାଖାରୁ ଠକେଇ କରାଯାଇଥିଲା। ଏହି ଠକେଇ ବିଷୟରେ ଅଭିଯୋଗ ପାଇବା ପରେ ସିବିଆଇ ଭୁବନେଶ୍ବର ଶାଖା ଆଇପିସି ଦଫା-୧୨୦(ବି),୪୨୦, ଦୁର୍ନୀତି ନିବାରଣ ଆଇନର ଧାରା- ୧୩(୧), ୧୩(୨)ରେ ମାମଲା ରୁଜୁ କରିଛି।