Odisha news

ନୂତନ ଶ୍ରମ ସଂହିତା ଉପରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜିତ

0
ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ନୂତନ ଶ୍ରମ ସଂହିତାର ବିଭିନ୍ନ ବ୍ୟବସ୍ଥା, ଏହାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ମଣ୍ଡଳର ବିଭିନ୍ନ ବିଭାଗ ଏବଂ ସେଗୁଡ଼ିକରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ସହ ଜଡ଼ିତ କର୍ମଚାରୀଙ୍କୁ ଶ୍ରମ ଆଇନ ଓ ଶ୍ରମିକ କଲ୍ୟାଣ ସମ୍ବନ୍ଧୀୟ ବ୍ୟବସ୍ଥା ବିଷୟରେ ଅବଗତ କରାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବ, ବିଭିନ୍ନ ବିଭାଗର ଶାଖା ଅଧିକାରୀ, ପର୍ଯ୍ୟବେକ୍ଷକ ଏବଂ ରେଳ କାର୍ଯ୍ୟରେ ନିୟୋଜିତ ଠିକା ଶ୍ରମିକଙ୍କ ସମ୍ବନ୍ଧିତ କାର୍ଯ୍ୟ ପରିଚାଳନା କରୁଥିବା କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ଶିବିରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡିଏଫସିସିଆଇଏଲ୍‌ର ପୂର୍ବତନ ମୁଖ୍ୟ କାର୍ମିକ ଅଧିକାରୀ ତଥା ମାନବ ସମ୍ବଳ ବିଭାଗର ପୂର୍ବତନ ମହାପ୍ରବନ୍ଧକ ଶ୍ରୀ ହରି କ୍ରିଷ୍ଣନ୍ ନୂତନ ଶ୍ରମ ସଂହିତାର ବିଭିନ୍ନ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ଶ୍ରମିକଙ୍କ କଲ୍ୟାଣ, କାର୍ଯ୍ୟସ୍ଥଳର ସୁରକ୍ଷା, ନିର୍ଦ୍ଧାରିତ ସମୟରେ ମଜୁରି ପ୍ରଦାନ, ଉପଯୁକ୍ତ କାର୍ଯ୍ୟ ପରିବେଶ ଏବଂ ରେଳ କାର୍ଯ୍ୟରେ ନିୟୋଜିତ ଠିକାଦାରମାନଙ୍କ ଆଇନଗତ ଦାୟିତ୍ୱ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ବୁଝାଇଥିଲେ।
ପ୍ରଶିକ୍ଷଣ ଶିବିରରେ ଶ୍ରମ ଆଇନର ଅନୁପାଳନ, ଆବଶ୍ୟକ ଅନୁମତିପତ୍ର, ଅନୁଜ୍ଞାପତ୍ର ଏବଂ ଅନ୍ୟାନ୍ୟ ଆଇନଗତ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ସନ୍ଦେହ ଦୂର କରାଯାଇଥିଲା। ଶ୍ରମିକ କଲ୍ୟାଣ ସମ୍ବନ୍ଧୀୟ ବ୍ୟବସ୍ଥାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ରେଳ ପ୍ରଶାସନ, ଠିକାଦାର ଓ ଶ୍ରମ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ରେଳ ପ୍ରତିଷ୍ଠାନଗୁଡ଼ିକରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ସୁରକ୍ଷା, କଲ୍ୟାଣ ଓ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସହ ପ୍ରଯୁଜ୍ୟ ଶ୍ରମ ଆଇନ ଓ ଅନ୍ୟାନ୍ୟ ଆଇନଗତ ବ୍ୟବସ୍ଥାର ପୂର୍ଣ୍ଣ ଅନୁପାଳନ କରିବା ଉପରେ ଏହି ଶିବିରରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ସୁରକ୍ଷିତ, ନ୍ୟାୟସଙ୍ଗତ ଓ ଶ୍ରମିକ ଅନୁକୂଳ କାର୍ଯ୍ୟ ପରିବେଶ ବଜାୟ ରଖିବା ଦିଗରେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।
ଖୋର୍ଦ୍ଧାରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ପୋନ୍ନା ଭେଙ୍କଟେଶ ଏବଂ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ରଙ୍କ ମାର୍ଗଦର୍ଶନରେ ତଥା ମଣ୍ଡଳର ସମସ୍ତ ଶ୍ରମିକ କଲ୍ୟାଣ ନିରୀକ୍ଷକଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।
Ad2
Leave A Reply