Odisha news

ଜଙ୍ଗଲ ସୁରକ୍ଷାକୁ ନେଇ ବନ ବିଭାଗର ନୂଆ ରଣନୀତି : କାଠ ମାଫିଆ ଓ ବେଆଇନ ଶିକାରୀଙ୍କ ଉପରେ ନଜର

0
ବାଲିଗୁଡ଼ା, ତା, ୧୫/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ):  ଜଙ୍ଗଲର ସୁରକ୍ଷା କେବଳ କାଗଜପତ୍ରରେ ସୀମିତ ନ ରହୁ, ବରଂ ଜଙ୍ଗଲ ଭିତରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଉପରେ ଗୁରୁତ୍ୱ। ଏହି ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ଆରମ୍ଭ ହୋଇଛି ଏକ ନୂଆ ପଦକ୍ଷେପ। ଜିପ୍‌ରେ ବସି ପାଟ୍ରୋଲିଂ କରିବା ପରିବର୍ତ୍ତେ ଏବେ ଘଞ୍ଚ ଜଙ୍ଗଲ, ଦୁର୍ଗମ ପାହାଡ଼ ଓ ଘାଟି ରାସ୍ତାରେ ପାଦରେ ଚାଲି ଜଙ୍ଗଲର ସୁରକ୍ଷା ସ୍ଥିତି ଯାଞ୍ଚ କରୁଛନ୍ତି ବନ ଅଧିକାରୀ ଓ କର୍ମଚାରୀ। ଦୈନିକ ୧୦ କିଲୋମିଟର ପଦଯାତ୍ରା କରି ପାଟ୍ରୋଲିଂ କରିବା ଉପରେ ଦିଆଯାଇଛି ଗୁରୁତ୍ୱ। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଜଙ୍ଗଲ ସୁରକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବନାଞ୍ଚଳ ଅଧୀନରେ ଥିବା ଦାରିଙ୍ଗବାଡ଼ି, ସିମନବାଡ଼ି ଓ ବୁଡ଼ାଗୁଡ଼ା ସେକ୍ସନର ବିଭିନ୍ନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବନ କର୍ମଚାରୀଙ୍କ ଦଳ ନିୟମିତ ପାଟ୍ରୋଲିଂ କରୁଛନ୍ତି। ଜଙ୍ଗଲ ଭିତରେ ପହଞ୍ଚିବେ, ଅପରାଧ ଉପରେ ରହିବ ନଜର, ଜଙ୍ଗଲର ଅନେକ ଦୁର୍ଗମ ଅଞ୍ଚଳକୁ ଯାନବାହନ ନେଇ ପହଞ୍ଚିବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥାନରେ ବେଆଇନ ଗଛକଟା, କାଠ ଚାଲାଣ ଓ ବନ୍ୟଜନ୍ତୁ ଶିକାର ଭଳି କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପଦଯାତ୍ରା ପାଟ୍ରୋଲିଂ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହାଦ୍ୱାରା ଜଙ୍ଗଲର ଭିତର ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ବନ ସମ୍ପଦର ସୁରକ୍ଷା ଦିଗରେ ଅଧିକ ତତ୍ପରତା ଦେଖାଇବା ସମ୍ଭବ ହେବ ବୋଲି ବନ ବିଭାଗ ଆଶା ରଖିଛି। କେବଳ ଜଙ୍ଗଲ ଜମି ଓ ଗଛଲତାର ସୁରକ୍ଷା ନୁହେଁ, ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ମଧ୍ୟ ବିଭାଗର ଅନ୍ୟତମ ପ୍ରାଥମିକତା। ବନାଞ୍ଚଳ ଅଧିକାରୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ବଣୁଆ ହାତୀ ଓ ବାଘଙ୍କ ଉପସ୍ଥିତି ସାଧାରଣତଃ କମ୍‌ ଥିବାବେଳେ ଠେକୁଆ, ବାର୍‌ହା ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ରହିଛନ୍ତି। ସେମାନଙ୍କ ବାସସ୍ଥାନର ସୁରକ୍ଷା ଏବଂ ଅବାଧ ଚଳପ୍ରଚଳ ପାଇଁ ଅନୁକୂଳ ପରିବେଶ ବଜାୟ ରଖିବା ଜରୁରୀ। 9ଏହି ପାଟ୍ରୋଲିଂ ଅଭିଯାନରେ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ବନିତା ପ୍ରଧାନ, ବୁଡ଼ାଗୁଡ଼ା ବନପାଳ ମନ୍ମଥ ପରିଚ୍ଛା ଏବଂ ଅନ୍ୟ ବନ କର୍ମଚାରୀ ସାମିଲ ହେଉଛନ୍ତି। ଏକାଧିକ ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି। ପ୍ରତିଦିନ ପ୍ରାୟ ୧୦ କିଲୋମିଟର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଅଞ୍ଚଳର ସ୍ଥିତି ଯାଞ୍ଚ କରାଯାଉଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ବନ ବିଭାଗର ଏହି ପଦକ୍ଷେପ ଜଙ୍ଗଲ ସୁରକ୍ଷା କାର୍ଯ୍ୟକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ କରିବା ସହ ବେଆଇନ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟମିତ ପଦଯାତ୍ରା ପାଟ୍ରୋଲିଂ କେତେ ଫଳପ୍ରଦ ହେଉଛି, ତାହା ଆଗାମୀ ଦିନରେ ଏହି ଅଭିଯାନର ସଫଳତାରୁ ସ୍ପଷ୍ଟ ହେବ।
Ad2
Leave A Reply