Odisha news

ଆହୁରି ୨ ଦିନ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା

0

ଭୁବନେଶ୍ୱର, ୧୪ ଅକ୍ଟୋବର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତମାନ ଦୁର୍ବଳ ହୋଇ ତେଲେଙ୍ଗାନା ଉପରେରହିଛି । ଏହା ପଶ୍ଚିମ- ଉତରପଶ୍ଚିମ ଦିଗକୁ ଗତି କରୁଛି ଏବଂ ଆସନ୍ତା ୧୨ ଘଂଟା ମଧ୍ୟରେ ଏହା କ୍ରମାଗତ ଭାବେ ଦୁର୍ବଳ ହୋଇ ୱେଲମାର୍କଡ୍ ଲୋ ପ୍ରେସର ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଅତ୍ୟନ୍ତ ସକ୍ରିୟ ହୋଇ ଉଠିଛି । ଫଳରେ ଆସନ୍ତା ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ , କଟକ , ଜଗତସିହଂପୁର , କେନ୍ଦ୍ରାପଡା , ଭଦ୍ରକଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନୁଗୁଳ , ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ସେହିପରି ୧୬ ଅକ୍ଟୋବର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । ଏହି ସମୟ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକ ସମେତ ବଲାଙ୍ଗୀର , ନୂଆପଡା, ବୌଦ୍ଧ , କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply