ବର୍ଷା ଓ ବନ୍ୟା ଉଜାଡି ଦେଇଛି ଚାଷୀ ଓ ଗରିବଙ୍କ ସଂସାର : ବ୍ୟାପକ ଅଚଂଳ ଜଳମଗ୍ନ, ଫସଲହାନୀ , ସିଂହଗାଁ ବାହ୍ୟ ଜଗତରୁ ବିଛିନ୍ନ
ପଟ୍ଟାମୁଣ୍ଡାଇ : ଲଗାଣବର୍ଷା ଓ ବାରମ୍ବାର ବନ୍ୟା ଫଳରେ ଧୋୟା ଓ ଉତିକଣ ଅଚଂଳ ଜଳମଗ୍ନ ହୋପଡିବା ସହିତ ହଜାର ହଜାର ଏକର ଜମିର ଧାନ, ମୁଗ, ବିରି ଓ ପନିପରିବା ଫସଲ ସମୂଳେ ନଷ୍ଟ ହୋଇଛି । ସାଂପ୍ରତିକ ମହାମାରୀ କରୋନା ବିପତି ଠାରୁ ବର୍ଷା ଓ ବନ୍ୟା ବିପତି ବଳେଇ ଯାଇଛି । କରୋନା ଯୋଗୁଁ ସରକାରୀ କଟକଣା ଫଳରେ ଚାଷବାସ, ବେପାର ବଣିଜ ସବୁ ପ୍ରଭାବିତ ହୋଇଥିବାବେଳେ ବହୁ କଷ୍ଟରେ ଋଣ କରଜଦାମ କରି ଜମିରେ ଫସଲ କରିଥିବାବେଳେ ଗରିବ ଲୋକ ମୁଣ୍ଡ ଗୁଞିବା ପାଇଁ କରିଥିବା ଚାଳଛପର ଘର ମଧ୍ୟ ଉଜୁଡିଯାଇଛି । ଯାହାଫଳରେ ଚାଷୀ ଓ ହଗରିବ ଲୋକ ସବୁକିଛି ହରାଇ ବେସାହାରା ହୋଇପଡିଛି ।
ଗତ ୧ ମାସ ହେବ ବାରମ୍ବାର ଲଘୁଚାପଜନିତ ଲଗାଣବର୍ଷା ଫଳରେ ୨/୩ ଥର ବନ୍ୟା ଆସି ଧୋୟାଚଂଳରେ ଘରଦ୍ୱାର ଓ ଫସଲହାନୀ କରିଥିବାବେଳେ ଲଗାଣବର୍ଷା ତାଣ୍ଡବରେ ଉତିକଣ ଭେଡା ଅଚଂଳ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇ ଘରଦ୍ୱାର ଓ ଫସଲ ଉଜାଡି ଦେଇଛି । ପଟ୍ଟାମୁଣ୍ଡାଇ ବ୍ଲକର ଦୁର୍ଗମ ଅଚଂଳ ଭାବେ ପରିଚିତ ସିଂହଗାଁ ପଚାଂୟତ ବର୍ଷା ଓ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାରମ୍ବାର ବନ୍ୟା ଆସି ଘରଦ୍ୱାର ଫସଲ ଉଜାଡି ଦେଇଥିବାବେଳେ ଗତ ୩ ଦିନ ଧରି ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ବନ୍ୟା ଆସିବା ଫଳରେ ସମଘ୍ର ଅଚଂଳ ଜଳମଗ୍ନ ହୋଇପଡିବା ସହିତ ସିଂହଗାଁ ବାହ୍ୟଜଗତରୁ ବିଭିନ୍ନ ହୋଇପଡିଛି । ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡିପାଳ, ଅଳପୁଆ, ସିଂହଗାଁ, ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର, ଶାସନ ଆଦି ପଚାଂୟତ ବ୍ୟାପକ ଅଚଂଳ ଜଳମଗ୍ନ ସାଙ୍ଗକୁ ବର୍ଷାପାଣିରେ ବୁଡି ରହି ବ୍ୟାପକ ଫସଲହାନୀ ଘଟିଛି ।
ମହାମାରୀ କରୋନା ବିପତି ସମୟରେ ବର୍ଷା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାର ଓ ସମବାୟ ବିଭାଗ ନିଦେ୍ର୍ଦଶନାମା ଅନୁଯାୟୀ ଅଣ୍ଢରା ପ୍ରାଥମିକ କୃଷ୍ି ସମବାୟ ସମିତି ପକ୍ଷରୁ ମୁଖ୍ୟକାର୍ଯ୍ୟନିର୍ବାହୀ ଅଜିତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ଋଣ, ସାର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇ କରୋନା, ବର୍ଷା ଓ ବନ୍ୟା ଭଳି ବିପତି ସହିତ ଲଢିବା ପାଇଁ ଚାଷୀମାନଙ୍କୁ ମନୋବଳ ଯୋଗାଇଛନ୍ତି । ସେହିପରି ଲଗାଣବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଉତିକଣ ଅଚଂଳର ସଂସାରଫଳ, ଚନ୍ଦନନଗର, ଦୋଷିଆ, ବିଲିକଣା, ବଡପଡା, ବଡମୋହନପୁର, ଦିହୁଡିପୁର, ଖଣତା, ଓଉପଦା, ଖଡିଅଂଟା, କଖାରୁଣୀ , ସାନଜରିଆ, ଅରଡପଲ୍ଲୀ, ଗଙ୍ଗାରାମପୁର, ନରସିଂହପୁର, ଡିହାପଡା, ବଡମୂଳବସନ୍ତ ଆଦି ପଚାଂୟତ ମଧ୍ୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବର୍ଷାଜଳରେ ଦିନ ଦିନ ଧରି ଚାଷଜମି ବୁଡି ରହିବା ଫଳରେ ସମୂଳେ ଫସଲହାନୀ ଘଟିଛି । ଏହାଛଡା ଲଗାଣବର୍ଷା ବହୁ ଗରିବ ଲୋକଙ୍କ କଚାଘର ଭାଙ୍ଗି ଦେଇଛି ।
କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ ବର୍ଷା ଓ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟା ସମୟରେ ଲୋକମାନଙ୍କ ଯାତାୟତ ସୁବିଧା କରିବାକୁ ମଧ୍ୟ ପରାର୍ମଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବିଡିଓ ଭରତ ଚନ୍ଦ୍ର ପରିଡା ଓ ବ୍ଲକ ସହନିର୍ବାହୀଯନ୍ତ୍ରୀ ଇଂ. ସୁରେଶ ବେହେରା ବନ୍ୟା ଓ ବର୍ଷା ବିପନ୍ନ ଅଚଂଳ ଗସ୍ତ କରି ସ୍ଥିତି ପ୍ରତି ସଜାଗ ଦୃଷ୍ଟି ରହିଛନ୍ତି । ପଟ୍ଟାମୁଣ୍ଡାଇ ପୌରାଚଂଳ ଅନ୍ତର୍ଗତ ବାଲିପଡା , କଷଣଅଂଟା, ତଳବାଲିପଡା, ବଳଦେବନନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ଷଣ୍ଢପଲ୍ଲୀ, ନୂଆଗାଁ, କାକୁଡିପଲ୍ଲୀ,ଅଳଭା ଆଦି ଅଚଂଳ ବନ୍ୟା ପ୍ରଭାବିତ ହୋଇଛି । ଏ ସବୁ ଅଚଂଳ ବର୍ଷା ଓ ବନ୍ୟା କ୍ଷୟକ୍ଷତି ସୃଷ୍ଟି କରିଛି । ବାରମ୍ବାର ବନ୍ୟା ଯୋଗୁଁ ମାସାଧିକକାଳ ଚାଷଜମି ପାଣିରେବୁଡି ରହିବା ଫଳରେ ନାହିଁନଥିବା କ୍ଷତି ଘଟିଥରବା ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ।
ଶିକ୍ଷାବିତ୍ କଣ୍ଡୁରୀ ସ୍ୱାଇଁ, କୃଷକ ହେମନ୍ତ ଜେନା, ଲଲାଟେନ୍ଦୁ ସ୍ୱାଇଁ, ଶ୍ରୀଚରଣ ଭୂୟାଁ, ଅଲେଖ ଭୂୟାଁ, ରମେଶ ବିଶ୍ୱାଳ, ପ୍ରଭାକର ପ୍ରଧାନ, ପ୍ରାକ୍ତନ ପୌରଉପାଧ୍ୟକ୍ଷ ସୁମନ୍ତ ପାତ୍ର ଓ ନାରୀନେତ୍ରୀ ରଞିତା ସେଠୀ, ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହୀତ ପ୍ରତିକାର କରିବାକୁ ଅନୁରୋଧ କରିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇପୌରାଚଂଳର ପୋଖରୀଆପଡା, ବେଲତଳ, ଦକ୍ଷିଣଦିଆ, ମାଟିଆ, ବକ୍ତାରପୁର, ତାତନା ଆଦି ଭେଡା ଅଚଂଳ ମଧ୍ୟ ଲଗାଣବର୍ଷାରେ କ୍ଷତିଗ୍ରସ୍ତ ହୋଇଛି । ଡ୍ରେନ ନଥିବାରୁ ପଟ୍ଟାମୁଣ୍ଡାଇ ସହର ସମେତ ଉପରୋକ୍ତ ଅଚଂଳ ଉବୁଡୁବୁ ହୋଇଛି । ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ସଂପଦ ସ୍ୱାଇଁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ମୋଟାମୋଟି ଭାବେ ସମଗ୍ର ପଟ୍ଟାମୁଣ୍ଡାଇ ପୌରାଚଂଳରେ ବର୍ଷା ଓ ବନ୍ୟା ଦ୍ୱାରା ଘରଦ୍ୱାର ଓ ଫସଲ ନଷ୍ଟ ହୋଇଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।