କୂଳ ଲଂଘିଲା ବୈତରଣୀ ; ଆରଡି-ଯାଜପୁର ଜାତୀୟ ରାଜପଥର ୨ଫୁଟର ବନ୍ୟାଜଳ , ଆଖଣ୍ଡଲମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ପାଣି
ଭଦ୍ରକ/ଆରଡି :ବୈତରଣୀ ନଦୀରେ ବନ୍ୟା ଯୋଗୁଁ ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡି ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପରିକି ବୈତରଣୀ ନଦୀର ଏପରି ଭାବେ ଜଳ ସ୍ତର ବୃଦ୍ଧି ପାଇଛି ନଦୀ କୂଳ ଲଂଘି ଜନବସତି ଆଡକୁ ବନ୍ୟା ପାଣି ମାଡି ଚାଲିଛି । ଏପରିକି ଆଖଣ୍ଡଳମଣି-ଯାଜପୁର ଜାତୀୟ ରାଜପଥର ଷାଠିବାଙ୍କୁଡା ଓ ବୋଡକ ନିକଟରେ ବନ୍ୟାପାଣି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ଠପ ହୋଇଯାଇଛି ।
ବିଶେଷକରି ଷାଠିବାଙ୍କୁଡା ସମେତ ମୁଆଁ, ଶୀତଳପୁର, ବୋଡକ, ଦୋହରାପାଟଣା ଆଦି ୬ଟି ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ଘାଇ ହେବାର ଆଶଙ୍କା ରହିଛି ବୋଲି ନଦୀକୂଳିଆ ପ୍ରକାଶ କରିଛନ୍ତି । ଏପରି ନଦୀବନ୍ଦ ଦୃବଳ ରହିଥିବା ସ୍ଥାନରେ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ତରବରିଆ ଭାବେ ବାଲିବସ୍ତା ପକାଯାଉଥିବା ଅଭିଯୋଗ କରିଛନ୍ତି ବୋଡକ ଓ ଷାଠିବାଙ୍କୁଡା ଗାଁର ଲୋକମାନେ । ସେହିପରି ବୈତରଣୀରେ ଅତ୍ୟଧିକ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବୋଡକ ନିକଟରେ ପ୍ରାୟ ୫୦ଫୁଟ ନଦୀବନଯଦର ଘଳିଆ ସୃଷ୍ଟି ହୋଇଥିଲା । ତାହାକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଶହଶହ ବାଲି ବସ୍ତା ପକାଯାଇ ବନ୍ଦ କରାଯାଇଥିଲେ ମଧ୍ୟ ସେଠାରେ ଏବେ ସୁଧା ପାଣିଝର ପଡିଛି ।
ଏପରିକି ଗୁରୁବାର ଦିନତମାମ ନଦୀବନ୍ଦରେ ନଈକୂଳିଆ ଲୋକ ଜଗି ରହିଥିବା କେତେକ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ବନ୍ୟାଜଳ ଦୃତଗତିରେ ପ୍ରବାହିତ ହେଉଥିବାରୁ ଗୁରୁବାର ଆରଡି ସମେତ ୪ଟି ପଞ୍ଚାୟତର ୨୪ଖଣ୍ଡ ଗାଁର ହାଜରହଜାର ଏକର ଚାଷଜମିକୁ ଜଳମଗ୍ନ କରିଛି । ସେହିପରି ବୋଡକ, ମୁଆଁ, ସନ୍ତରା ଆଦି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବହୁ ଘର ବନ୍ୟା ଘେରରେ ରହିଛି । ଅନ୍ୟପଟେ ଗୁରୁବାର ୨ଥର ପାଇଁ ଆରଡିପୀଠର ଆରାଧ୍ୟ ଦେବ ବାବା ଆଖଣ୍ଡଳମଣଙ୍କ ମନ୍ଦିର ଗର୍ଭଗୃହରେ ପାଣି ଝର ପଡିବାରୁ ମଣିବାବାଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯାଇଛି । ଏପରି ସମସ୍ୟାକୁ ଦୂରିଭୁତ ପାଇଁ ପ୍ରାଶାସନ ପକ୍ଷରୁ ୨୪ଘଣ୍ଟିଆ ମଟର ଚାଳିତ ପମ୍ପ ଦ୍ୱାରା ମନ୍ଦିର ଗର୍ଭଗୃହରୁ ଜଳ ନିଷ୍କାସନ କରାଯାଉଛି