ଭୁବନେଶ୍ବର: ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଉତ୍ତର ଉପକୂଳ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ମୌସୁମି ମଧ୍ୟ ସକ୍ରିୟ ଅବସ୍ଥାରେ ଅଛି। ଫଳରେ ଆସନ୍ତା ୧୭ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ହେବ। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହସ୍ତଗତ ସୂଚନା ଅନୁସାରେ ଆଜି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ନୂଆପଡ଼ା ଓ ସୋନପୁର ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ମାଟି ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି।
ଅପରପକ୍ଷେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ୪୫ରୁ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ୧୬ ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ଅନୁଗୋଳରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପୁରୀରେ ୭୬.୧ ମିମି, ମାଲକାନଗିରିରେ ୬୬ ମିମି, ଚାନ୍ଦବାଲିରେ ୫୬ ମିମି, କୋରାପୁଟରେ ୪୬.୬ ମିମି, ବାରିପଦାରେ ୪୪ ମିମି, ଝାରସୁଗୁଡ଼ାରେ ୩୦ ମିମି, ନୟାଗଡ଼ରେ ୨୯ ମିମି, ଛତ୍ରପୁରରେ ୨୦.୪ ମିମି, ସୁନ୍ଦରଗଡ଼ରେ ୨୦ ମିମି ବର୍ଷା ହୋଇଛି।