Odisha news

ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ବିପର୍ଯ୍ୟୟ : ଉଦ୍ଧାର କାର୍ଯ୍ୟରେ ସେନା, ଏନ୍‌ଡିଆରଏଫ୍‌ ମୁତୟନ

ଭୋପାଳ: ମଧ୍ୟପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଆସିଥିବା ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ମଙ୍ଗଳବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗ୍ବାଲିୟର-ଚମ୍ବଲ୍‌ ଅଞ୍ଚଳରେ ବନ୍ୟା ଯୋଗୁଁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ୧୨୫୦ ଗ୍ରାମ ବନ୍ୟା‌ ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାାନାନ୍ତର କରାଯାଇଛି। ୨ ହଜାରରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଭାରତୀୟ ସେନା, ଏସ୍‌ଡିଆରଏଫ୍‌ ଏବଂ ବିଏସ୍‌ଏଫ୍‌, ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ଚୌହାନ କହିଛନ୍ତି, ଗତ ୭୦ ବର୍ଷ ମଧ୍ୟରେ ଏଭଳି ବିପର୍ଯ୍ୟୟ ଦେଖିନଥିଲି। ବନ୍ୟା ଯୋଗୁଁ ଅନେକ ପୋଲ ଏବଂ ଭିତ୍ତିଭୂମି ନ‌ଷ୍ଟ ହୋଇଯାଇଛି। ବନ୍ୟା ଯୋଗୁଁ ଶିବପୁରୀ ଏବଂ ‌ଶେଓପୁର୍‌‌ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବନ୍ୟା ସ୍ଥିତି ନେଇ କଥା ହୋଇଛନ୍ତି ଏବଂ କେତେକ ଜରୁରୀ ସହାୟତା ଲୋଡ଼ିଛନ୍ତି। ବନ୍ୟା ମୁକାବିଲା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ଚୌହାନ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏନେଇ କଥା ହୋଇଛନ୍ତି।

Comments are closed.