Odisha news

ସଙ୍ଗରୋଧରୁ ଫେରିଥିବା ଗୁଜୁରାଟ ଫେରନ୍ତାଙ୍କ ସନେ୍ଦହ ଜନକ ମୃତ୍ୟୁ , ବର୍ଷାରେ ପଡି ରହିଲା ମୃତ ଦେହ : ଶବକୁ ଛୁଇଁଲେନି ଗ୍ରାମବାସୀ 

0

ବେତନଟୀ, ୨୮/୫ : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ଶାଳବଣୀ ପଞ୍ଚାୟତର ତାରାଶୋଳ ଭାଲୁବସାର ପରେଶ ଚନ୍ଦ୍ର ମହାନ୍ତ (୫୫) ଗତକାଲି ଖାଇ ପିଇ ଘରେ ଶୋଇ ଥିଲେ । ଆଜି ସକାଳେ ପରେଶ ଉଠି ଥିଲେ ଓ ନିଜର ବିବାହିତା କନ୍ୟା ଗୀତାଞ୍ଜଳୀଙ୍କୁ କହି ବ୍ରସ କରି ଥିଲେ । ପରେ ସେ ଅସୁସ୍ଥ ଅନୁଭବ କରୁଛନ୍ତି, ତାଙ୍କୁ ସ୍ୱାଶପ୍ରଶ୍ୱାସ ନେବାରେ କଷ୍ଟ ହେଉଛି ବୋଲି କନ୍ୟାଙ୍କୁ କହି ଥିଲେ । ଘରର ଅଗଣାରେ ବିଛଣା କରି ଦେଲେ ଶୋଇବେ ବୋଲି କହିବାରୁ କନ୍ୟା ଗୀତାଞ୍ଜଳୀ ବାହାରେ ଏକ ବିଛଣା କରି ଦେଇ ଥିଲେ ।

ସେଠାରେ ପରେଶ ଶୋଇ ପଡି ଥିଲେ । ଏହି ସମୟରେ ପରେଶଙ୍କ ପନôୀ ସୋମବାରି ଓ ଭଉଣୀ କନକଲତା ଦାନ୍ତିଆମୁହାଁ ହାଟକୁ ସବାଇ ରଶି ବିକ୍ରି କରିବାକୁ ଯାଇ ଥିଲେ । ହଠାତ ବର୍ଷା ଆସିବାରୁ କନ୍ୟା ଗୀତାଞ୍ଜଳୀ ପିତାଙ୍କୁ ଉଠାଇ ଥିଲେ ହେଲେ ସେତେବେଳକୁ ପରେଶ ମୃତ୍ୟୁ ବରଣ କରି ସାରି ଥିବାର ଜଣା ପଡି ଥିଲା । କନ୍ୟା ଗୀତାଞ୍ଜଳୀ ଖବର ଦେବାରୁ ମାଆ, ପିୟୁସୀ ଓ ଗ୍ରାମର କେତେକ ଲୋକ ଆସି ପହଞ୍ଚି ଥିଲେ । ହେଲେ ଏହି ମୃତ୍ୟୁକୁ ନେଇ ଗ୍ରାମରେ ସେତେବେଳକୁ ଟୁପୁରଟାପର କଥା ବାର୍ତ୍ତା ଆରମ୍ଭ ହେବା ସହିତ ଲୋକେ ଭୟଭୀତ ହୋଇ ଯାଇ ଥିବାର ଦେଖା ଯାଇ ଥିଲା । କାରଣ ଖୋଜିବାରୁ ପରେଶ ଗୁଜୁରାଟର ମୁରବୀ ଅଞ୍ଚରେ ରହୁ ଥିଲେ ଓ ଗତ ୧୭ ତାରିଖ ଦିନ ଗୋଟିଏ ବସ ଯୋଗେ ବେତନଟୀରେ ପହଞ୍ଚି ଥିଲେ ।

ତାଙ୍କୁ ଗରୁଡବସା ଓଡିଶା ଆଦର୍ଶ ବିଦ୍ୟାଳୟରେ ହୋଇ ଥିବା ନୋଡାଲ ସଂଙ୍ଗରୋଧ କେନ୍ଦ୍ରରେ ୧୭ ତାରିଖ ସନ୍ଧ୍ୟାରୁ ନେଇ ୨୪ ତାରିଖ ପର୍ଯ୍ୟନ୍ତ ରଖା ଯାଇ ଥିଲା । ସରକାରଙ୍କ ନୂତନ ଗାଇଡଲାଇନ ଆସିବା ପରେ ୨୪ ତାରିଖ ଦିନ ସନ୍ଧ୍ୟାରେ ୭ ଦିନରୁ ଉର୍ଦ୍ଧ ସଂଗରୋଧରେ ଥିବା ୧୦୮ ଜଣଙ୍କୁ ଏହି କେନ୍ଦ୍ରରୁ ଛଡା ଯାଇ ଥିଲା । ସେଥି ମଧ୍ୟରେ ପରେଶଚନ୍ଦ୍ର ମହାନ୍ତ ମଧ୍ୟ ଥିଲେ ବୋଲି ଜଣା ପଡିଛି । ସେଠାରୁ ପରେଶ ନିଜର କନ୍ୟା ଘର ମହୁଲିଆକୁ ଯାଇ ଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ନିଜ ଘର ଭାଲୁବସାକୁ ଫେରି ଥିଲେ । ଏହି କେନ୍ଦ୍ରରେ ରହିବା ସମୟ ମଧ୍ୟରେ ତାଙ୍କ ପାଖରୁ ନମୁନା ସଂଗ୍ରହ କରା ଯାଇ ନଥିଲା କିନ୍ତୁ ପ୍ରତ୍ୟେକ ଦିନ ଏଠାକୁ ଆସୁ ଥିବା ଡାକ୍ତର ସମସ୍ତ ଅନ୍ତେଃବାସୀଙ୍କୁ ଯାଞ୍ଚ କରିବା ସହିତ ପରେଶଙ୍କୁ ମଧ୍ୟ ଯାଞ୍ଚ କରୁ ଥିଲେ ।

ପରେଶ ଜଣେ ମେଳାପି ବ୍ୟକ୍ତି ଥିଲେ ଓ ସେ ନିଜର ଅନୁଭବ ଏହି କେନ୍ଦ୍ର ଦାୟୀତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରୁ ଥିଲେ ବୋଲି ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ବେହେରାଙ୍କ ନିକଟରୁ ଜଣା ପଡିଛି । ତେବେ ଗୁଜବକୁ ନେଇ ପରିସ୍ଥିତି ଏପରି ହୋଇ ଥିଲା ଯେ ମୃତ ପରେଶଙ୍କ ଶବ ପ୍ରାୟ ୪ ଘଣ୍ଟା ଧରି ସେମିତି ବାହାରେ ପଡି ରହି ଥିଲା । ଖବର ପାଇବା ପରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ର୍ୟାପିଡ ରେସପୋନସ ଟିମର ଡାକ୍ତର ସନ୍ଧ୍ୟାଶିଖା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

ମୃତ ପରେଶଙ୍କ ଜ୍ୱାଇଁ ହରିଶ୍ଚନ୍ଦ୍ର ଓ ଅନ୍ୟମାନଙ୍କ ସହାୟତାରେ ଶବକୁ ପଞ୍ଚନାମା କରା ଯାଇ ଥିଲା । ବାରିପଦାରୁ କୋଭିଡ ଟିମ ଓ ସ୍ୱର୍ଗ ରଥ ଆସିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଠା ଯାଇ ଥିବାର ଜଣା ପଡିଛି । କୋଭିଡ ଟିମ ପରେଶଙ୍କ ମୃତ ଦେହରୁ ଟି-ସ୍ୱାବ ସଂଗ୍ରହ କରି ଥିବାର ଜଣା ପଡିଛି । ସୋମବାରୀଙ୍କ ଏତଲା କ୍ରମେ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଥିବାର ଜଣା ପଡିଛି । ଖବର ପାଇବା ପରେ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା, ବରିଷ୍ଠ ନେତା ମୁନ୍ନା ପରିଚ୍ଛା, ବାପି ମହାନ୍ତି, ଚନ୍ଦ୍ରଶେଖର ହେମ୍ବ୍ରମ, ଡମ୍ବରୁ ମହାନ୍ତ, ତାିଇକୋଣ୍ଡୋ ମାଷ୍ଟର ହିମାଂଶୁଚନ୍ଦ୍ର ମହାନ୍ତ ଓ ଅନ୍ୟମାନେ ଗ୍ରାମରେ ପହଞ୍ଚି ଥିଲେ ।

ଲୋକ ମାନଙ୍କୁ ଭୟଭୀତ ନହେବା ପାଇଁ ବୁଝାଇ ଥିଲେ । ବେତନଟୀ ଦମକଳ ଅଧିକାରୀ ରବୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଦମକଳ କର୍ମଚାରୀ ମାନେ ପହଞ୍ଚି ପୁରା ଗ୍ରାମକୁ ବିଶୋଧନ କରି ଥିବାର ଜଣା ପଡିଛି । ବ୍ୟବଚ୍ଛେଦ ପରେ ପରେଶଙ୍କ ମୃତ ଦେହର ସଂସ୍କାର ବାରିପଦାରେ କରା ଯିବ ବୋଲି ସୂଚନା ମିଳିଛି । ଗ୍ରାମକୁ ଆଣିଲେ ଶବ ଉଠାଇବା ପାଇଁ ଗ୍ରାମବାସୀଙ୍କ ସହଯୋଗ ମିଳିବ କି ନାହିଁ ଏହାକୁ ନେଇ ଏବେ ଚିନ୍ତା ବ୍ୟକ୍ତ କରା ଯାଇଛି । ତେବେ ଏହି ଘଟଣା ପରେ ଗ୍ରାମର ପରିବାର ମାନେ ନିଜ ନିଜ ଘର ସମ୍ମୁଖରେ ବାଡ ବସାଇ ଘରକୁ ବାହାର ଲୋକଙ୍କ ଯିବା ଆସିବା ବନ୍ଦ କରାଇ ଥିବାର ଜଣା ପଡିଛି ।

Leave A Reply