ପୁରୀ:ଫାଲଗୁନ୍ କୃଷ୍ଣପକ୍ଷ ଏକାଦଶୀ ଅବସରରେ ପରମ୍ପରା ଅନୁଯାୟୀ ସଦାଜଳ ବିହାରୀ ଶ୍ରୀଲୋକନାଥଦେବଙ୍କ ମନ୍ଦିର ଗମ୍ଭୀରାରୁ ପଙ୍କୋଦ୍ଧାର କରାଯିବା ସହ ଠାକୁରଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପଙ୍କୋଦ୍ଧାର ଏକାଦଶୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକଭାବେ ପରିଚିତ ଲୋକନାଥଦେବଙ୍କୁ ଦର୍ଶନ ଓ ଭୋଗରାଗ କରିଥିଲେ । ଗମ୍ଭୀରା ଭିତରେ ଥିବା ଶ୍ରୀଲୋକନାଥଙ୍କ ଲିଙ୍ଗ ବର୍ଷସାରା ପାଦୁକ ଭିତରେ ବୁଡି ରହିଥାଏ । ଏହିି ଗୋଟିଏ ଦିନ ପଙ୍କ ଉଝୁଳା ଯିବାପରେ ଠାକୁରଙ୍କ ଲିଙ୍ଗ ଦୃଶ୍ୟମାନ ହୋଇଥାନ୍ତି । ପଙ୍କୋଦ୍ଧାର ଏକାଦଶୀ ପାଇଁ ଗତକାଲି ରାତି ୨ଟାରେ ମନ୍ଦିରର ପହୁଡ ଫିଟି ରାତି ୩ଟା ସୁଦ୍ଧା ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସକାଳ ଧୂପ ଓ ଦିନ ୮ଟା ମଧ୍ୟରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ପୂର୍ବାହ୍ନ ୮ଟାରୁ ୧୧ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର କରାଯାଇଥିଲା । ବିଭିନ୍ନ ପାରମ୍ପରିକ ନୀତି ସଂପାଦନ ପରେ ସେବାୟତମାନେ ଏକବର୍ଷ ଧରି ଶ୍ରୀଲୋକନାଥଙ୍କ ଗମ୍ଭୀରା ଭିତରେ ପଡିରହିଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ମାନସିକଧାରୀମାନେ ଲାଗି କରିଥିବା ବିଭିନ୍ନ ରୂପ ବାହାର କରିଥିଲେ । ପଙ୍କୋଦ୍ଧାର କରାଯାଇ ପାର୍ବତୀ ସାଗର ସଂଲଗ୍ନ କୁଣ୍ଡରେ ପକାଯାଇଥିଲା । ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଗମ୍ଭୀରାରୁ ପଙ୍କ ବାହାର କରିଦିଆଯିବା ପରେ ଭକ୍ତମାନେ ପ୍ରଭୁ ଲୋକନାଥଙ୍କ ଲିଙ୍ଗ ଏବଂ ଶକ୍ତିକୁ ଦର୍ଶନ କରିବାର ସୁଯୋଗ ପାଇଥିଲେ । ଦର୍ଶନାର୍ଥୀମାନଙ୍କ ମନ୍ଦିର ବେଢା ଲୋକାରଣ୍ୟ ହୋଇଉଠିଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଦର୍ଶନାର୍ଥୀମାନେ ଗୋଟିଏ ବାଟଦେଇ ପ୍ରବେଶ କରି ଅନ୍ୟବଟଦେଇ ପ୍ରସ୍ଥାନ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଉପଲକ୍ଷେ ମନ୍ଦିର ନିକଟରେ ଫୁଲ, ବେଲପତ୍ର, ଦୀପ ଓ ଭୋଗ ଦୋକାନମାନ ଖୋଲିଥିଲା । ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ନୀତି ସଂପାଦନର ତଦାରଖ କରିଥିଲେ । ଆସନ୍ତା ୨୧ ତାରିଖ ସୋମବାର ଦିନ ଶ୍ରୀଲୋକନାଥ ଦେବଙ୍କର ଶିବରାତ୍ର ପର୍ବ ବା ଜାଗର ଯାତ୍ରା ଅନୁଷ୍ଠିତ ହେବ । ଜାଗର ପଦାରେ ଅସ୍ଥାୟୀ ଦୋକାନ ଘର ନିର୍ମାଣ ସହିତ ବିଭିନ୍ନ ଅନୁଷ୍ଠାନର ଶିବିରମାନ ସ୍ଥାପନା କାର୍ଯ୍ୟ ଆଗେଇ ଚାଲିଛି ।