Odisha news

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥ ଯାତ୍ରା ସମନ୍ୟୟ କମିଟି ବୈଠକ ଅନୁଷ୍ଠିତ

0
ପୁରୀ: ରଥ ଯାତ୍ରା ସମୟରେ ଆହତ ଭକ୍ତ ମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବଡ଼ ଦାଣ୍ଡରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ କରିଡ଼ର ନିର୍ମାଣ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରଥ ଯାତ୍ରା ସମନ୍ୟୟ କମିଟି ବୈଠକରେ ଦାବି ହୋଇଛି।
ସେହିପରି ରଥ ଯାତ୍ରା ସମୟରେ ବାହାରୁ ଆସୁଥିବା ଭକ୍ତଙ୍କ ଠାରୁ ବସ ମାଲିକ ମାନେ ଯେପରି ଚଢ଼ା ଦରରେ ଭଡ଼ା ଆଦାୟ କରିବେ ନାହିଁ। ଯାତ୍ରୀ ମାନେ ଯେପରି ଶୋଷଣର ଶିକାର ହେବେ ନାହିଁ ସେ ନେଇ ବସରେ ରେଟ ଚାଟ ମାରିବା ପାଇଁ ଏବଂ ନିୟମ ଉଲଂଘନ କରୁ ଥିବା ବସ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ ୧ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେହିପରି ୯ ତାରିଖରେ ପଡୁଛି ବାହୁଡା଼ ଯାତ୍ରା।
କରୋନା ମହାମାରୀ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉ ଥିଲା ଭକ୍ତ ବିହୀନ ରଥ ଯାତ୍ରା। ସର୍ବସାଧାରଣ ଏକତ୍ରି କରଣ ଉପରେ କଟକଣା ଜାରି କରି ଥିଲେ ରାଜ୍ୟ ସରକାର। ତେବେ ଚଳିତ ବର୍ଷ ସଂକ୍ରମଣ ମାତ୍ରା କମି ଥିବାରୁ ରାଜ୍ୟ ସରକାର କରୋନା କଟକଣାକୁ ଉଠାଇ ଦେଇଛନ୍ତି। ତେଣୁ ଚଳିତ ବର୍ଷ ପୁରୀରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ପ୍ରସିଦ୍ଧ ରଥ ଯାତ୍ରା। ରଥ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଠାରୁ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭଉରିଁ ଯାତ୍ରା ଅବସରରେ ତିନି ରଥ ଅଖ ଚକ ସଂଯୋଗ ନୀତି ସମ୍ପନ୍ନ ହୋଇଛି।
ଅପର ପକ୍ଷରେ ରଥ ଯାତ୍ରା ନୀତି କାନ୍ତି କିପରି ଶୃଙ୍ଖଳିତ ଭାବେ ସମାପନ ହେବ। ରଥ ଯାତ୍ରା ଦେଖିବା ପାଇଁ ବାହାରୁ ଆସୁଥିବା ଭକ୍ତ ମାନେ କିପରି ସୁରୁଖୁରୁରେ ବିଗ୍ରହ ମାନଙ୍କର  ସ୍ନାନ ଯାତ୍ରା, ରଥ ଯାତ୍ରା, ବାହୁଡା଼ ଯାତ୍ରା ଓ ଦୁର୍ଲଭ ସୁନା ବେଶ ଦେଖି ପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଟାଉନ ହଲ ପରିସରରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ
ସେବାୟତ, ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ପ୍ରଥମ ସମନ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇ ଥିଲା। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଧଳ ଅଧ୍ୟକ୍ଷତା କରି ଥିଲେ। ଦୀର୍ଘ ଦୁଇ ବର୍ଷ ପରେ ପୁରୀ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ମହାପ୍ରଭୁଙ୍କ ରଥ ଯାତ୍ରା ଦେଖିବା ପାଇଁ ପୁରୀରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି। ମହାପ୍ରଭୁଙ୍କ ରଥ ଯାତ୍ରା ନୀତି କାନ୍ତି ଯେପରି ଶୃଙ୍ଖଳିତ ଭାବେ ସମାପନ ହେବ ସେ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସେବାୟତ ଓ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ତେବେ ମହାପ୍ରଭୁଙ୍କୁ ନୀତି କାନ୍ତି ଓ ଦାୟିତ୍ଵରେ ଅବହେଳା କଲେ ଖିଲାପ କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ରଥ ନିର୍ମାଣ ପାଇଁ ଆବଶ୍ୟକ ରଥ କାଠ ନୟାଗଡ଼ ବନ ଖଣ୍ଡ ଓ ବୌଦ୍ଦ ବନ ଖଣ୍ଡ ପକ୍ଷରୁ ଯୋଗାଇ ଦିଆ ଯାଇଛି। ତିନି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।
ସେହିପରି ରଥ କନା ଯୋଗାଇବା ପାଇଁ ଗୁଜୁରାଟ ଅହମଦ୍ଡାବାଦ ମିଲକୁ ଅନୁରୋଧ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ରଥ କନା ଆସି ପହଞ୍ଚି ଯିବ । ପୂର୍ତ୍ତ ବିଭାଗ ପକ୍ଷରୁ ଦୈନନ୍ଦିନ ରଥ ନିର୍ମାଣ କାର୍ଯ୍ୟ ଯାଞ୍ଚ କରା ଯାଉଛି। ରଥ ଟଣା ପାଇଁ ଆବଶ୍ୟକ ରଥ ଦୌଡ଼ି ଆସି ପହଞ୍ଚିଛି। ବୈଠକରେ ଅନ୍ୟାନ୍ୟ ବିଷୟ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପୌର ସଂସ୍ଥା ପକ୍ଷରୁ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ, ମରାମତି ଓ ସହର ସମସ୍ତ ନାଳ ସଫା, ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ବିଭାଗ ପକ୍ଷରୁ ରଥ ଯାତ୍ରା ଠାରୁ ସୁନା ବେଶ ପର୍ଯ୍ୟନ୍ତ ନୀରବିଚ୍ଛିନ୍ନ ବିଦ୍ୟୁତ୍ ସେବା, ପରିବହନ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ବସ ସେବା, ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ମାଳତୀପାଟପୂର୍ ବସଷ୍ଟାଣ୍ଡ ଭିତରେ ଓ ବାହାରେ ସିସି ଟିଭି କ୍ୟାମେରା ସ୍ଥାପନ, ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ, ବିଦ୍ୟୁତ୍ ଆଲୋକ, ପାଇଖାନା, ସ୍ବାସ୍ଥ୍ୟ ଶିବିର, ସୁରକ୍ଷା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇ ଥିଲା।  ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ସୁରକ୍ଷା ବ୍ୟବସ୍ଥା, ଅତ୍ୟାବସ୍ୟକୀୟ ସାମଗ୍ରୀ ଯୋଗାଣ, ଟେଲିଫୋନ ସେବା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା ହୋଇ ଥିଲା। ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡକ୍ଟର କନ ୱର ବିଶାଳ ସିଂ, ଡାଇରେକ୍ଟର ସଂସ୍କୃତି ବିଭାଗ, ଡାଇରେକ୍ଟର ଲୋକ ସମ୍ପର୍କ ବିଭାଗ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବ ତାରଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Leave A Reply