ପୁରୀ : ସ୍ନାନ ପୂର୍ଣ୍ଣମୀ ଦିନ ରାତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଖୋଲି ଦିଆଯାଇଥିବା ରତ୍ନଖଚିତ ଚିତା ଶ୍ରାବଣ ଅମାବାସ୍ୟା ତିଥିରେ ଆଜି ଦାରୁ ବିଗ୍ରହମାନଙ୍କୁ ପିନ୍ଧାଇ ଦିଆଯାଇଛି । ଦଇତାପତି ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ନୀଳ, ଦେବୀ ସୁଭଦ୍ରାଙ୍କୁ ନାଲି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧଳାରଙ୍ଗର ହୀରା ଖଚିତ ଚିତା ପିନ୍ଧାଇଛନ୍ତି । ଚିତାଲାଗି ପରେ ମହାପ୍ରଭୁଙ୍କୁ ଚିତାଉ ପିଠା ଭୋଗ କରାଯାଇଛି । ପରମ୍ପରା ଅନୁଯାୟୀ ଗତକାଲି ସକାଳଧୂପ ପୂଜା ବସିଥିବା ସମୟରେ ଭଣ୍ଡାର ମେକାପ ମୁଦ ହୋଇଥିବା ୩ଟି ହୀରା ଚିତା ବେହେରଣ ଦ୍ୱାରଠାରେ ତଢଉକରଣ ଓ ଦେଉଳକରଣଙ୍କ ମାର୍ଫତରେ ଦେଇଥିଲେ । ତାଟ ଲେଙ୍କା ରୋଷରୁ ଅଗ୍ନି ଅଣିଥିଲେ ।
ବଣିଆମାନେ ଚିତା ଗୁଡିକୁ ମାଜି ସଫା କରିଥିଲେ । ଆଜି ସକାଳଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ହାତୁଆଣି ନେଇ ତିନି ବାଡ଼ରେ ମଇଲମ୍ କରିଥିଲେ । ତିନିବାଡରୁ ପୁଷ୍ପାଳକମାନେ ଶ୍ରୀଅଙ୍ଗରୁ ଝୋବାକଣ୍ଠି ମଇଲମ୍ କରି ପାଳିଆ ମେକାପଙ୍କୁ ପ୍ରଦାନ କରିଥିଲେ ଓ ତାହା ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଥିଲା । ମଇଲମ୍ ପରେ ପୁଷ୍ପାଳକମାନେ ରତ୍ନ ସିଂହାସନରୁ ଓହ୍ଲାଇ ଆସିବା ପରେ ଅପରାହ୍ନ ୨ଟା୨୫ରେ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ଖଟ ଶେଯରେ ବିଜେ କରାଇଥିଲେ । ଏହାପରେ ପାଳିଆ ଖୁଣ୍ଟିଆ ଚିତା ଲାଗି ପାଇଁ ଦଇତାପତି ସେବକମାନଙ୍କୁ ଡାକିଥିଲେ । ୨ଟା୪୦ରେ ବେହରଣ ଦ୍ୱାର ବନ୍ଦ କରାଯାଇଥିଲା । ଅପରାହ୍ନ ୨ଟା୪୫ରେ ତିନିବାଡର ବାଡଗ୍ରାହୀ ଦଇତା ଓ ପତି ମହାପାତ୍ରଙ୍କ ଚିତାଲାଗିକୁ ପ୍ରବେଶ କରିଥିଲେ ।
ଶୁଦ୍ଧ ସୁଆର ଦେଇଥିବା ଓଷ ଚିତାରେ ଲଗାଯାଇ ପାଟରା ବିଶୋଇ ଦେଇଥିବା ପାଟଡୋର ଚିତାରେ ବନ୍ଧା ଯାଇଥିଲା ଓ ପରେ ଶ୍ରୀବିଗ୍ରହଙ୍କ କପାଳରେ ଲାଗି କରାଯାଇଥିଲା । ଏହି ବିଧି ଅପରାହ୍ନ ୫ଟା୫ର ଶେଷ ହେବା ପରେ ପାଳିଆ ମେକାପଙ୍କ ଦ୍ୱାରା ଝରିରେ ପାଣି ନିଆଯାଇ ସିଂହାସନ ଉପର ଧୁଆଯାଇଥିଲା । ଶୁଦ୍ଧ ସୁଆର ତିନିବଢା ଦହି ଆଣି ମହାସ୍ନାନ ପୂଜାଠା କରିଥିଲେ । ସନ୍ଧ୍ୟା ୬ଟା ୩୦ ସୁଦ୍ଧା ପୂଜାପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା । ଭିତରେ ପାଣି ପଡି ଧୋ ପଖାଳ ହେବା ପରେ ପୁଷ୍ପାଳକମାନେ ଶ୍ରୀବିଗ୍ରହମାନଙ୍କୁ ମଇଲମ୍ କରିଥିଲେ । ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ସିଂହାସନରେ ବିଜେ କରାଯାଇଥିଲା । ଚିତାଲାଗି ଅମାବାସ୍ୟା ଅବସରରେ ପରମ୍ପରା ଅନୁଯାୟୀ ଅମାବାସ୍ୟା ନାରାୟଣଙ୍କ ସାଗର ବିଜେ ନୀତି ସଂପନ୍ନ ହୋଇଛି । ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହ ଅମାବାସ୍ୟା ନାରାୟଣ ବାଲିସାହି ଦେଇ ସମୁଦ୍ର କୂଳକୁ ବିଜେ କରିଥିଲେ ।
ଏହି ଅବସରରେ ଠାକୁରଙ୍କୁ ବିଭିନ୍ନ ସ୍ଥାନରେ ପନ୍ତୀଭୋଗ ଅର୍ପଣ କରାଯାଇଥିଲା । ସମୁଦ୍ର କୂଳରେ ପହଞ୍ଚିବା ପରେ ଠାକୁରଙ୍କୁ ଧୂପଦୀପ ପ୍ରଦାନ କରାଯିବା ସହ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପୂଜାପଣ୍ଡା ଶ୍ରୀଅଙ୍ଗରୁ ମାଳନେଇ ସମୁଦ୍ରରେ ସମର୍ପଣ କରିଥିଲେ । ଏହି ବିଧି ଉତ୍ତାରେ ଅମାବାସ୍ୟା ନାରାୟଣ ବଡ଼ ଦେଉଳକୁ ବାହୁଡା ବିଜେ କରିଥିଲେ । ଆଜି ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ କରାଯାଇଥିବା ବେଳେ ଘରେ ଘରେ ପ୍ରସ୍ତୁତ କରାଯାଇଥିଲା ଚିତଉପିଠା ।
ଗୃହିଣୀମାନେ ଚିତଉପିଠା ପ୍ରସ୍ତୁତ କରି ଗୃହର ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିଥିଲେ ଓ ପିଠା ପାଣି ଛଡାଯିବା ସହ ଗେଣ୍ଡା କୋଚିଆଙ୍କ ଉଦେ୍ଦଶ୍ୟରେ ପାଣିରେ ପକାଯାଇଥିଲା । ସୂଚନାଯୋଗ୍ୟ ଯେ ଚିତା ଲାଗି ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କୁ ଚିତାଲାଗି କରାଯାଇଥାଏ । ଏହି ହୀରା ଖଚିତଚିତା ସ୍ନାନ ପୂର୍ଣ୍ଣମୀ ଦିନ ରାତିରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ଖୋଲି ଦିଆଯାଇଥାଏ । ରଥଯାତ୍ରା ସମୟରେ ମହାପ୍ରଭୁ ରଥଉପରେ ପହଣ୍ଡି ହୋଇ ବିରାଜମାନ କରିବା ପରେ ସୋଲଚିତା ପରିଧାନ କରିଥାନ୍ତି । ନିଳାଦ୍ରୀ ବିଜେ ପରେ ମହାପ୍ରଭୁ ରତ୍ନ ସିଂହାସନରେ ବିରାଜମାନ କରନ୍ତି । ଚିତାଲାଗି ଅମାବାଶ୍ୟା ତିଥିରେ ସୋଲଚିତା କଢାଯାଇ ମହାପ୍ରଭୁ କପାଳରେ ରତ୍ନଖଚିତ ଚିତା ପିନ୍ଧାଇ ଦିଆଯାଇଥାଏ ।
Comments are closed.