Odisha news

ପଞ୍ଜାବ : ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଭଗୱନ୍ତ ମାନ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ମୁଁ ମୋର ଅଧିକାରୀମାନଙ୍କୁ କେବଳ ଦିଲ୍ଲୀ ନୁହେଁ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଏପରିକି ଇସ୍ରାଏଲକୁ ତାଲିମ ପାଇଁ ପଠାଇବି। କେହି କାହିଁକି ଏହାକୁ ବିରୋଧ କରୁଛନ୍ତି?

0

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଅଧିକାରୀଙ୍କୁ ନେଇ ଏକ ବୈଠକ କରିବା ପରେ ବିରୋଧୀଦଳ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ‘ରିମୋଟ କଣ୍ଟ୍ରୋଲ’ ବୋଲି ଅଭିହିତ କରୁଛନ୍ତି। ଲଗାତାର ତାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବା ପରେ ଆଜି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭଗୱନ୍ତ ମାନ୍। ଭଗୱନ୍ତ ମାନ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ମୁଁ ମୋର ଅଧିକାରୀମାନଙ୍କୁ କେବଳ ଦିଲ୍ଲୀ ନୁହେଁ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଏପରିକି ଇସ୍ରାଏଲକୁ ତାଲିମ ପାଇଁ ପଠାଇବି। କେହି କାହିଁକି ଏହାକୁ ବିରୋଧ କରୁଛନ୍ତି?

ସୂଚନା ମୁତାବକ, କିଛି ଦିନ ତଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୁଖ୍ୟ ଶାସନ ସଚିବ ଏବଂ ପଞ୍ଜାବ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ। ଏହି ବୈଠକ ଖବର ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ଭଗୱନ୍ତ ମାନ ନେତୃତ୍ୱାଧୀନ ପଞ୍ଜାବ ସରକାର ଉପରେ ଆଙ୍ଗୁଠି ଉଠାଇବା ଆରମ୍ଭ କରିଛନ୍ତି। ବଡ଼ କଥା ହେଉଛି ଯେତେବେଳେ କେଜ୍ରିୱାଲ ଅଧିକାରୀଙ୍କ ସହ ଦିଲ୍ଲୀରେ ବୈଠକ କରିଥିଲେ ସେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସେଠାରେ ଉପସ୍ଥିତ ନଥିଲେ। ଏହି ବୈଠକରେ ଭଗୱନ୍ତ ମାନଙ୍କ ଅନୁପସ୍ଥିତ ଥିବା ଖବର ସାମ୍ନାକୁ ଆସିବା ପରେ ବିରୋଧୀମାନେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି।

ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ କେଜ୍ରିୱାଲ ପଞ୍ଜାବ ଚଳାଉଥିବା କହି ଆପକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ। ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା, ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ, ବିଜେପିର ମନଜିନ୍ଦର ସିର୍ସା ଏବଂ ଅକାଳୀ ଦଳର ଦଲଜିତ ଚୀମା ଟ୍ୱିଟ୍ କରି ଆପ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଦ୍ଧୁ କହିଛନ୍ତି ଯେ, ଭଗୱନ୍ତ ମାନଙ୍କ ଅନୁପସ୍ଥିତିରେ ଆଇଏଏସ୍ ଅଧିକାରୀଙ୍କୁ ଅରବିନ୍ଦ କେଜ୍ରିୱାଲ ଡକାଇଥିଲେ। ଏଭଳି କାମ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା କେତେ ତାହା ପ୍ରମାଣ କରିବା ସହ ଦିଲ୍ଲୀରୁ କେଜ୍ରିୱାଲ ପଞ୍ଜାବ ଚଳାଉଥିବା ପ୍ରମାଣ କରିଛି। ପଞ୍ଜାବ ପାଇଁ ଏହା ଏକ ଅପମାନ। ଉଭୟ ଭଗୱନ୍ତ ଓ କେଜ୍ରିୱାଲଙ୍କୁ ଏ ବିଷୟରେ ଉତ୍ତର ଦେବାକୁ ପଡ଼ିବ।

ବିରୋଧୀଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେଇ ଭଗୱନ୍ତ ମାନ କହିଛନ୍ତି ଯେ, ଯଦି ଆବଶ୍ୟକ ହୁଏ ତେବେ ମୁଁ ମୋର ଅଧିକାରୀମାନଙ୍କୁ କେବଳ ଦିଲ୍ଲୀ ନୁହେଁ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଏପରିକି ଇସ୍ରାଏଲକୁ ତାଲିମ ପାଇଁ ପଠାଇବି। କେହି କାହିଁକି ଏହାକୁ ବିରୋଧ କରୁଛନ୍ତି? ମୁଁ ହିଁ ମୋ ଅଧିକାରୀଙ୍କୁ କେଜ୍ରିୱାଲଙ୍କ ପାଖକୁ ପଠାଇଥିଲି।

Leave A Reply