Odisha news

ସୟାରେ ପମ୍ପ ହାଉସ ମରାମତି ବାବଦକୁ ୨୭ ଲକ୍ଷ ହଡପ : ସରପଞ୍ଚଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା, ଗିରଫ ଦାବି କଲା ବିଜେଡିି

ତିହିଡି,୦୧/୦୪: ତିହିଡି ବ୍ଲକ ଅଧିନ ସୟା ପଞ୍ଚାୟତରେ ପମ୍ପ ହାଉସ ମରାମତି ବାବଦକୁ ମିଳିଥିବା ସିଏଫସି ଓ ଏସଏଫସି ଅନୁଦାନର ୨୭ ଲକ୍ଷ ଟଙ୍କା ହଡପ କରାଯାଇଛି । ପଞ୍ଚାୟତର ବିଜେଡି ପକ୍ଷରୁ ଏ ସଂପର୍କରେ ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଇ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଦୁର୍ନୀତିର ୨ବର୍ଷ ପରେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶ କ୍ରମେ ପଞ୍ଚାୟତର ସରପଞ୍ଚ , ପିଇଓ ଓ ଠିକାଦାରଙ୍କ ନାଁରେ ବିଡିଓ ତିହିଡି ଥାନାରେ ଏତଲା ଦେଇଛନ୍ତି ।

ଏହି ୩ ଜଣଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଅର୍ଥ ଫେରସ୍ତ ଆଣି ପଞ୍ଚାୟତର ଉନ୍ନୟନ କାମରେ ବିନିଯୋଗ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ପଞ୍ଚାୟତର ମଥୁରାପୁର ଠାରେ ଗୁରୁବାର ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ନେତୃବୃନ୍ଦ ସରପଞ୍ଚ ଓ ଅନ୍ୟମାନେ ବିଜେପିର ଛତ୍ରଛାୟା ତଳେ ରହି ଏହି ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ବିଜେଡି ପକ୍ଷରୁ ଆନେ୍ଦାଳନ କରାଯିବା ସହ ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ । ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ ଓ ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଦର୍ଶାଇଥିଲେ ଯେ, ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ସିଏଫସି ଓ ଏସଏଫସିରୁ ପଞ୍ଚାୟତକୁ ଅନୁଦାନ ମିଳିଥିଲା । ଅର୍ଥର ବିନିଯୋଗ ନେଇ ସନେ୍ଦହ ହେବାରୁ ବିଜେଡି ପକ୍ଷରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ କରାଯାଇଥିଲା ।

୩ଟି ପାନୀୟ ଜଳ ପ୍ରକଳ୍ପକୁ ୫ଟି ପ୍ରକଳ୍ପ ନାଁରେ କାର୍ଯ୍ୟ ନ କରି ମିଥ୍ୟା ବିଲ୍ ପ୍ରସ୍ତୁତ କରି ହଡପ କରାଯାଇଥିବା ଜଣା ପଡିଥିଲା । ସରପଞ୍ଚ କବିତା ମଳିକ, ତକ୍ରାଳୀନ ପିଇଓ ସୁରଥ ଦାସ ଓ ଠିକାଦାର ଗୌରୀଶଙ୍କର ବେହେରା ଏହି ଅର୍ଥ ହଡପ କରିଥିବା ସଂକ୍ରାନ୍ତରେ ବିଜେଡି ପକ୍ଷରୁ ଜିଲ୍ଲାପାଳ, ପିଡି ଓ ବିଡିଓ ପ୍ରମୁଖଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବାରମ୍ବାର ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଇ ପିଇଓ ଦାସଙ୍କୁ ନିଲମ୍ବନ କରାଯାଇଥିଲା । ମାତ୍ର ସରପଞ୍ଚ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ବିଜେଡି ନେତୃବୃନ୍ଦ ପୁନର୍ବାର ପିଡିଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ପିଡିଙ୍କ ନିଦେ୍ର୍ଦଶ କ୍ରମେ ଗତ ମାସ ୧୮ ତାରିଖରେ ଏହାର ଯୁଗ୍ମ ତଦନ୍ତ କରାଯାଇଥିଲା । ସରପଞ୍ଚଙ୍କ ସମେତ ୩ ଜଣଙ୍କ ନାଁରେ ଏତଲା ଦୋବକୁ ପିଡି ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଗତ ମାସ ୩୦ ତାରିଖରେ ବିଡିଓ ବସନ୍ତ କୁମାର ସାହାଣୀ ଉକ୍ତ ୩ ଜଣଙ୍କ ନାଁରେ ତିହିଡି ଥାନାରେ ଏତଲା ଦେଇଛନ୍ତି । ତେବେ ସମାନ ଅଭିଯୋଗରେ ପିିିିଇଓ ନିଲମ୍ବିତ ହୋଇଥିବା ବେଳେ ସରପଞ୍ଚଓ ଠିକାଦାରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ବିଜେଡି ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ପଞ୍ଚାୟତରେ ତଦନ୍ତ କରାଗଲେ ବହୁ ଦୁର୍ନୀତିର ପର୍ଦ୍ଦାଫାସ ହୋଇ ପାରିବ ବୋଲି ସେମାନେ ଦର୍ଶାଇଛନ୍ତି । ବିଜେପିର ପ୍ରରୋଚନାରେ ଏ ସମସ୍ତ ର୍ଦୁନୀତି ହୋଇଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସଭାପତି ଲଳିତମୋହନ ନାୟକ, ପ୍ରାକ୍ତନ ସରପଞ୍ଚ ଗୋକୁଳାନନ୍ଦ ମଳିକ, ନାଏବ ସରପଞ୍ଚ ସନ୍ତୋଷ କୁମାର ନାୟକ, ୱାର୍ଡ ସଦସ୍ୟ ମମତା ମଞ୍ଜରୀ ସାହୁ, ସାବିତ୍ରୀ ନାୟକ, ଅଭୟ ନାୟକ, ବରିଷ୍ଠ ନେତା ଜିତେନ୍ଦ୍ର କୁମାର ମଲିକ, ଅଶୋକ କୁମାର ବିଶ୍ୱାଳ, ଉମେଶ ଚନ୍ଦ୍ର ବେହେରା, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.