ବାଲେଶ୍ୱର :” ଚାନ୍ଦିପୁରସ୍ଥିତ ଆଇଟିଆର ପରିସରରେ ଥିବା ଏଲ୍ସି-୩ ଉତକ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପୃଥ୍ୱୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷଣ କରାଯାଇଛି । ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ର ୩୫୦ କି.ମି. ଦୂରତାରେ ଥିବା ଯେକୌଣସି ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି ।
ଯୁଦ୍ଧ ସମୟରେ ୧ହଜାର କି.ଗ୍ରା. ଓଜନର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରହିଛି । ଆଜିର ଏହି ପରୀକ୍ଷଣଟି ତୃତୀୟ ରାତି୍ରକାଳୀନ ପରୀକ୍ଷା ଅଟେ । ପ୍ରତିରକ୍ଷା ଗବେଷଣା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ଦ୍ୱାରା ଏହି କ୍ଷେପଣାସ୍ତ୍ରକୁ ବିକଶିତ କରାଯାଇଛି । ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରଟି ପ୍ରତିରକ୍ଷା ବିଭାଗର ଅନ୍ୟତମ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଟେ । ଆଜିର ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗ ଓ ଡିଆରଡିଓର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ