ଭଦ୍ରକ, ୪ ଜୁନ୍ : ବିଦେଶକୁ ଚିଙ୍ଗୁଡି ରପ୍ତାନୀ କରି ବିଦେଶୀ ମୁଦ୍ରା ଭାରତକୁ ଆଣିବାରେ ଭଦ୍ରକ ଜିଲାର ସମୁଦ୍ର କୂଳରେ ଥିବା ଚାନ୍ଦବାଲି, ଧାମରା, ଚୁଡାମଣି, ଦୋସିଙ୍ଗା, ଚରଦିଆ, କଇଥଖୋଲା, କରଞ୍ଜମାଳ ଆଦି ଅଂଚଳରେ ଚିଙ୍ଗୁଡି ଚାଷୀମାନେ ବାଟ ଦେଖାଇଥାନ୍ତି । କିନ୍ତୁ କରୋନା ମାଡରେ ବର୍ଷକୁ ୯୦୦ କୋଟି ଟଙ୍କାର ଚିଙ୍ଗୁଡି ଚାଷ ଓ ରପ୍ତାନୀ କାରବାର ଏବେ ୩୦୦ କୋଟିରେ ପହଂଚିଛି । ଗୋଟିଏ ପଟେ ଭାରତ ବାହାରକୁ ସମସ୍ତ ଜାହାଜ ଚଳାଚଳ ଉପରେ ଅଂକୁଶ ଲାଗିଥିବାରୁ ବିଦେଶକୁ ଆଉ ଧାମରା ଚିଙ୍ଗୁଡି ଯାଇପାରୁନି । ଧାମରା ଚିଙ୍ଗୁଡିକୁ ଦେଶ ମଧ୍ୟରେ ରପ୍ତାନୀ କରୁଛନ୍ତି ୧୦ ଟି ମାଛ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ମନମାନିରେ ଚଳିତ ବର୍ଷ ଚିଙ୍ଗୁଡି ବ୍ୟବସାୟ ଚାଲିଛି । ଯେଉଁଥିପାଇଁ ଚିଙ୍ଗୁଡି ଚାଷ ଓ ଚାଷୀ କରୋନା ମାଡରେ ପ୍ରଭାବିତ ହୋଇ ଭୀଷଣ କ୍ଷତିଗ୍ରସ୍ତ ହୋଇଛନ୍ତି ।
ମିଳିଥିବା ତଥ୍ୟ ଅନୁଯାୟୀ ଚାନ୍ଦବାଲି, ଧାମରା ସମୁଦ୍ର ଉପକୂଳ ସହ ମନ୍ତେଇ ଓ ବୈତରଣୀ ନଦୀ କୂଳରେ ଲୁଣା ଜୁଆର ମାଧ୍ୟମରେ ଚିଙ୍ଗୁଡି ଚାଷ ହୁଏ । ଏହିସବୁ ଅଂଚଳରେ ୧୧ ହଜାର ଚିଙ୍ଗୁଡି ପୋଖରୀ ପ୍ରତି ବର୍ଷ ଜାଆଁଳ ଛାଡନ୍ତି ଓ ଚିଙ୍ଗୁଡି ଉତ୍ପାଦନ କରନ୍ତି । ବର୍ଷକୁ ୩୦ ହଜାର ଟନ୍ ଚିଙ୍ଗୁଡି ଉତ୍ପାଦନ ହୁଏ, ଯାହାର ମୂଲ୍ୟ ୯୦୦ କୋଟି ଟଙ୍କାର କାରବାର ହୋଇଥାଏ । କରୋନା ମାଡରେ ଏହି ଚିଙ୍ଗୁଡି ଚାଷ ଏମିତି ପ୍ରଭାବିତ ହେଲା ଯେ ଫେବୃୟାରୀ ମାସରୁ ଆଉ ଜାଆଁଳ ଛାଡିବାକୁ ଚାଷୀ ମନ ଦେଇନାହାଁନ୍ତି । ଯେଉଁ ଅଳ୍ପ କେତେକ ପୋଖରୀରେ ଚିଙ୍ଗୁଡି ଉତ୍ପାଦନ ହେଉଛି, ତାହାର ବିକ୍ରୟ ମୂଲ୍ୟ ମାଛ କଂପାନୀ ଦେବାକୁ ନାରାଜ । ଧାମରା ଉପକୂଳରୁ ଫାଲକନ ମେରାଇନ, ବାଲେଶ୍ୱର ମେରାଇନ, ମେଗନମ୍ ସି ଫୁଡସ୍, ଶ୍ରୀରାଗମ, ହାଇଲାଣ୍ଡ ମେରାଇନ୍, ଭୀମରାଜ ଏକ୍ସପୋର୍ଟ ପ୍ରମୁଖ ଏହି ମାଛ କଂପାନୀ ମାନେ ନିଜ ଗାଡିରେ ଧାମରାରୁ ଚିଙ୍ଗୁଡି ଚାଷୀଙ୍କ ଠାରୁ ମାଛ କିଣନ୍ତି । ୫୦ କାଉଣ୍ଡ ଅର୍ଥାତ୍ ୨୦ ଗ୍ରାମ ଓଜନର ଚିଙ୍ଗୁଡିକୁ କିଲୋପ୍ରତି ୩୫୦ ଟଙ୍କା ଦରରେ ଆଗରୁ ବିକ୍ରି ହେଉଥିଲା, ଏବେ ତାହା ୨୯୦ ଟଙ୍କାକୁ ଖସି ଆସିଛି ।
ଯେଉଁଥିପାଇଁ ନୂଆ ଜାଆଁଳ କରି ମାଛ ଉତ୍ପାଦନ କରିବାକୁ ଚାଷୀ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ତଥ୍ୟ ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୩୬ ହଜାର ୮୭୦ କୋଟି, ୨୦୧୭-୧୮ ରେ ୪୫ ହଜାର ୧୦୬ କୋଟି ଏବଂ ୨୦୧୮-୧୯ ରେ ୫୫ ହଜାର କୋଟି, ୨୦୧୯-୨୦ ରେ ୬୨ ହଜାର କୋଟି ଟଙ୍କାର ଚିଙ୍ଗୁଡି ରପ୍ତାନୀ ଓଡ଼ିଶାରୁ ହୋଇଥିଲା । ସେହିପରି ଧାମରାରୁ ୨୦୧୬-୧୭ ରେ ୬୭୦ କୋଟି, ୨୦୧୭-୧୮ ରେ ୮୧୦ କୋଟି, ୨୦୧୮-୧୯ ରେ ୮୨୦ କୋଟି, ୨୦୧୯-୨୦ ରେ ୮୭୦ କୋଟି ଟଙ୍କାର ଚିଙ୍ଗୁଡି ରପ୍ତାନୀ ହୋଇ କାରବାର ହୋଇଥିଲା । ଚଳିତ ୨୦୨୦-୨୧ ବର୍ଷରେ ଏହି ଚିଙ୍ଗୁଡି ଚାଷ ଶତକଡା ୩୦ ପ୍ରତିଶତ ହୋଇଛି ।
ଅନ୍ୟ ପକ୍ଷରେ ଚିଙ୍ଗୁଡି ଗାଡି ଯାଉଛି ସେହି ମାଛ ଗାଡିକୁ ତହସିଲଦାରମାନେ ବି ରାସ୍ତା ଉପରେ ଅଟକାଇ ଡିଟେଣ୍ଡ କରିବା ସହ ଚଢାଦରରେ ଫାଇନ୍ ବି ଆଦାୟ କରୁଛନ୍ତି । ଚିଙ୍ଗୁଡି ରପ୍ତାନୀ ପାଇଁ ଲକଡାଉନ୍ ସଟଡାଉନ୍ ପ୍ରତିବନ୍ଧକ ସାଜିଥିବାରୁ ଓ ଆଗାମୀ ଦିନରେ ଏହା ଆହୁରି ବଳବ ର ରହିବା ଆଶଙ୍କା ଥିବାରୁ ଏଥର ୪୦୦ ରୁ ୫୦୦ କୋଟି ଟଙ୍କାର ଚିଙ୍ଗୁଡି ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ଦେଖା ଦେଇଛି ।