ଲତା ଜାତିର ପରିବା ମଧ୍ୟରେ କଖାରୁ, ଜହ୍ନି, ଛଚିନ୍ଦ୍ରା, ପୋଟଳ, କଲରା, କାଙ୍କଡ, କୁନ୍ଦୁରି, ଲାଉ, ପାଣିକଖାରୁ, କାକୁଡି, ତରଭୁଜ, ଇତ୍ୟାଦି ଓଡିଶା ତଥା ଭାରତର ବିଭିନ୍ନ ଅଞ୍ଚଳରେ ଚାଷ କରାଯାଏ । ଏହି ଜାତୀୟ ପରିବା ମଧ୍ୟରେ ପୋଟଳ ଏକ ଅର୍ଥକାରୀ ଓ ସୁସ୍ୱାଦୁ ପରିବା । ଆମ ରାଜ୍ୟରେ ନଦୀପଠା ଅଞ୍ଚଳରେ ସାଧାରଣତଃ ଅଧିକ ପୋଟଳ ଚାଷ ହେଉଥିଲା । ବର୍ତ୍ତମାନ ପ୍ରାୟ ସବୁ ଜିଲ୍ଲାରେ ଉଣା ଅଧିକ ପୋଟଳ ଚାଷ ହେଉଛି । ଏହା ମୁଖ୍ୟତଃ ବରଗଡ, ଝାରସୁଗୁଡା, ଯାଜପୁର, କେନ୍ଦ୍ରାପଡା, କୁଆଖିଆ, ବାଙ୍କୀ, ଆଠଗଡ, ପୁରୀ ଜିଲ୍ଲାର ପିପିଲି, ଗୋପ, ପୁରୀ, ଢେଙ୍କାନାଳ ଜିଲ୍ଲାର ଭୁବନ ଓ ଅନୁଗୁଳ ଅଞ୍ଚଳରେ ପୋଟଳ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି ।
ସ୍ୱାସ୍ଥ୍ୟପାଇଁ ପୋଟଳ ଖୁବ୍ ଉପକାରୀ ଅଟେ । ପୋଟଳ ସହଜରେ ହଜମ ହୁଏ ଏବଂ ହୃତ୍ପିଣ୍ଡ ଓ ମସ୍ତିଷ୍କକୁ ସକ୍ରିୟ କରିବା ସଂଗେ ସଂଗେ ଶରୀରର ରକ୍ତ ପ୍ରବାହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ପାଖାପାଖି ଶତକଡା ୯୨ ଭାଗ ଜଳୀୟ ଅଂଶ ଥାଏ । ଏଥିରେ ଔଷଧିୟ ଗୁଣ ରହିବା ସହିତ ଶତକଡା ୨ ଭାଗ ପୁଷ୍ଟିସାର, ୩ ଭାଗ ତନ୍ତୁ ଜାତୀୟ ପଦାର୍ଥ, ୦.୫ ଭାଗ ଖଣିଜ ଲବଣ ଓ ୨.୨ ଭାଗ ଶେ୍ୱତସାର ରହିଥାଏ । ପୋଟଳ କୋଷ୍ଠକାଠିନ୍ୟ ରୋଗୀମାନଙ୍କ ପାଇଁ ଉପକାରୀ ପରିବା ଅଟେ ।
ଜଳବାୟୁ :
ସାଧାରଣତଃ ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଏବଂ ଭଲ ବର୍ଷା ହେଉଥିବା ଅଞ୍ଚଳରେ ପୋଟଳ ଚାଷ ଭଲ ହୁଏ । ଏ ଚାଷ ପାଇଁ ଜଳର ଆବଶ୍ୟକତା ବେଶି ଥିଲେ ମଧ୍ୟ ଜମିରେ ପାଣି ଜମି ରହିଲେ ଗଛ ମରିଯାଏ । ଶୁଖିଲା ପାଗ ଓ ଅଧିକ ସୂର୍ଯ୍ୟାଲୋକରେ ଏହା ଭଲ ହୁଏ । କିନ୍ତୁ ଅଧିକ ଖରା ଓ ଗରମ ସହି ପାରେନି । ୩୦୦ ରୁ ୪୦୦ ସେଲସିୟସ ତାପମାତ୍ରାରେ ପୋଟଳ ଚାଷ ବହୁତ ଭଲ ହୁଏ ।ତାପମାତ୍ରା ବହୁତ କମ୍ କିମ୍ବା ବେଶୀ ହେଲେ ଗଛ ଭଲ ବଢେନାହିଁ ଓ ଫୁଲ ଫଳ ମଧ୍ୟ ହୁଏ ନାହିଁ । ଶୀତ କମି ଆସିଲେ ବସନ୍ତ ଋତୁର ଆଗମନରେ ନୂଆ ଡଙ୍କପତ୍ର କଅଁଳି ଅଧିକ ଫୁଲ ଓ ଫଳ ହୁଏ ।
ମୃତ୍ତିକା :
ପୋଟଳ ନିଗିଡା, ଦୋରସା ଓ ପଟୁମାଟିରେ ଭଲ ହୁଏ । ନଦୀକୂଳିଆ ପଠାରେ ଏହାର ଚାଷ ଖୁବ୍ ଭଲ ହୁଏ । ମାଟି ଉର୍ବର, ଜୈବିକ ସାରଯୁକ୍ତ ଓ ନିଗିଡା ହୋଇଥିବା ଆବଶ୍ୟକ । କାଦୁଆ, ପଙ୍କୁଆ, ଚିକିଟା, ଲୁଣ ଓ ଖାରିଆ ମାଟି ପୋଟଳ ଚାଷ ପାଇଁ ଅନୁପଯୁକ୍ତ । ସାଧାରଣତଃ ୬ ରୁ ୭ ପିଏଚ୍ ଥିବା ମାଟିରେ ଏହି ଚାଷ ଭଲ ହୁଏ । ପୋଟଳ ଫସଲ ତିନିବର୍ଷରୁ ଉର୍ଦ୍ଧ୍ୱର୍ ରହୁଥିବାରୁ ଚେର ଏବଂ ଡଙ୍କର ବୃଦ୍ଧି ପାଇଁ ଗଭୀର ମାଟିସ୍ତର ନିହାତି ଦରକାର ।
ପୋଟଳ କିସମ :
ଉନ୍ନତ କିସମ- ସ୍ୱର୍ଣ୍ଣ ଆଲୌକିକ, ସ୍ୱର୍ଣ୍ଣରେଖା, କୀଜଲା
ଶଙ୍କର କିସମ- ସି.ଏଚ୍.ଇ.ଏସ-ହାଇବ୍ରିଡ-୧ ଏବଂ ୨
ବିହନ :
କଖାରୁ, ଜହ୍ନି, କଲରା ଇତ୍ୟାଦି ଲତା ଜାତୀୟ ଫସଲରେ ବିହନ ସାଧାରଣତଃ ମଞ୍ଜିରୁ ହୋଇଥାଏ । କିନ୍ତୁ ପୋଟଳ, କାଙ୍କଡ ଓ କୁନ୍ଦୁରିର ମଞ୍ଜି ଉକ୍ତ ଚାଷପାଇଁ ଉପଯୁକ୍ତ ନୁହେଁ । ଚେର ଓ ଡଙ୍କକୁ ବିହନ ରୂପେ ବ୍ୟବହାର କଲେ ଗଛ ଭଲ ବଢ଼ିଥାଏ । ମଞ୍ଜିରୁ ବାହାରିଥିବା ଗଛ ଦୁର୍ବଳ ଓ ଅଣ୍ଡିରା ଗଛ ପରାଗ ସଙ୍ଗମ ପାଇଁ ଦରକାର ହୁଏ । ତେଣୁ ଗଛ ଲଗାଇବା ସମୟରେ ଧ୍ୟାନଦେବା ଯେପରି ୧୦-୧୫ଟି ମାଈ ଗଛ ପାଇଁ ଗୋଟିଏ ଅଣ୍ଡିରା ଗଛ ଲଗାଇବେ ଯଦ୍ୱାରା ମାଈ ଗଛର ଫଳ ଧାରଣ ଶକ୍ତି ବୃଦ୍ଧି ଘଟିଥାଏ । ମାଈ ଗଛରୁ ଚେରଟି ଆରମ୍ଭରୁ ଓ ଶେଷ ଆଡକୁ ସରୁଥାଏ ଓ ମଝିଅଂଶଟି ମୋଟା ଥାଏ । କିନ୍ତୁ ଅଣ୍ଡିରା ଗଛରେ ଚେର ମୁଣ୍ଡଠାରୁ ଶେଷଯାଏ କ୍ରମଶଃ ସରୁ ହୋଇଥାଏ ।
ଡଙ୍କକୁ ବିହନ ରୂପେ ନେବା ପାଇଁ ଗଛକୁ ଗୋଟିଏ ବର୍ଷ ହେବା ଦରକାର ଓ ଏହାର ଫଳ ଅମଳ ସରିଗଲା ପରେ ଡଙ୍କଗୁଡ଼ିକୁ ଅକେଫାବର ମାସରେ ସଂଗ୍ରହ କରାଯାଇ ମୋଟେଇ ଆକାରରେ ଗୁଡ଼େଇ ଦିଆଯାଏ । ତା’ପରେ ଏହାର ଦୁଇ ତୃତୀୟାଂଶ ଭାଗକୁ ମାଟିରେ ପୋତାଯାଏ ଓ ଗୋଟିଏ ଭାଗ ବାହାରକୁ ରଖାଯାଏ । ପାଣିଦେଇ ଗଣ୍ଡିରୁ ଚେର ବାହାରିଥାଏ ।
ଗଛ ଲଗାଇବା ସମୟ :
ଖରିଫ୍ ଫସଲ ପରେ ଅକେଫାବର-ନଭେମ୍ବର ମାସରେ ପୋଟଳ ଲଗାଇବାର ଉପଯୁକ୍ତ ସମୟ । ସ୍ଥଳ ବିଶେଷରେ ଡିସେମ୍ବର-ଜାନୁଆରୀ ଚାଷ ପାଇଁ ଅନୁକୂଳ ଅଟେ ।
ଜମି ପ୍ରସ୍ତୁତି :
ପୋଟଳ ଲଗାଯିବା ପୂର୍ବରୁ ଜମିକୁ ୩-୪ ଥର ଓଡ଼ଚାଷ କରି ଘାସ, ନଡ଼ାମୂଳ ଇତ୍ୟାଦି ଭଲ ଭାବରେ ବାଛିବା ଉଚିତ । ଶେଷ ଓଡ଼ଚାଷ ପୂର୍ବରୁ ଏକର ପିଛା ୮/୧୦ ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ଜମିରେ ଦେବେ । ତା’ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ୪ ଫୁଟ୍ ଗୋଲେଇ ଓ ୪ ଫୁଟ ଗଭୀରର ମନ୍ଦା ଖୋଳିବେ । ପ୍ରତି ମନ୍ଦାରେ ଝୁଡିଏ ଗୋବର ଖତ ସହ ଆବଶ୍ୟକ ପରିମାଣର ସାର ମାଟି ସହ ମିଶାଇ ଭର୍ତ୍ତିକରି ଦେବେ । ପ୍ରତି ମନ୍ଦାରେ ୨/୩ଟି କରି ଚେର ବା ଡଙ୍କ ଥିବା ଚେର ସିଧା ଭାବରେ ଲଗାଇ ୫ ରୁ ୭ ସେ.ମି. ମାଟି ଘୋଡ଼ାଇ ଦେବେ । ଚେରରୁ ଭଲ ଭାବରେ ଡଙ୍କ ବାହାରିବା ପାଇଁ ମନ୍ଦାରେ କିଛି ନଡ଼ାକୁଟା ଘୋଡ଼ାଇ ପାଣିଦେବେ । ଡଙ୍କରୁ ଗଜା ଉଠିଲା ପରେ ନଡ଼ାକୁଟା କାଢିଦେବେ ।
ଚେର ଗୁଡ଼ିକ ଲଗାଇବା ପୂର୍ବରୁ ବିଶୋଧନ କରିବା ଉଚିତ । ୧୦୦ କେ.ଜି. ଚେରକୁ ୧୦୦ ଲିଟର ପାଣିରେ ୨୫୦ ଗ୍ରାମ୍ ଅଗାଲଲ୍ ବା ୧୦୦ ଗ୍ରାମ ଟ୍ରଫି କିମ୍ବା ୩୭୫ ଗ୍ରାମୟାଲି ବା ସିଲ୍ଡ – ୭୫ ଦ୍ରବଣରେ ଅତିକମ୍ରେ ୨୦ ମିନିଟ୍ ବୁଡ଼ାଇ ଲଗାଇବା ଉଚିତ ।
ଖତସାର :
ଏକର ପ୍ରତି ୭୦ କିଗ୍ରା ନବରନିା ଡିଏପି, ୨୫ କିଗ୍ରାୟୁରିଆ ଏବଂ ୨୭ କିଗ୍ରା ନବରନିା ପଟାସ୍ ସାର ଦିଆଯାଇଥାଏ । ଏହା ବଦଳରେ ଏକର ପିଛା ୪୦ କେ.ଜି.ୟୁରିଆ, ୧୭୫ କେ.ଜି. ସୁପର୍ ଫସ୍ପେଟ୍ ଓ ୪୦ କେ.ଜି. ମୁ୍ୟରେଟ୍ ଅଫ୍ ପଟାସ୍ ବିହନ ଲଗାଇବା ସମୟରେ ପ୍ରୟୋଗ କରାଯାଏ । ପୁନଃ ୪୦ କେ.ଜି.ୟୁରିଆ ଏକମାସ ପରେ କୋଡାଖୁସା କରି ପ୍ରୟୋଗ କରାଯାଏ ।
ଜଳସେଚନ :
ଶୀତ ଦିନ ୨୦ ଦିନ ବ୍ୟବଧାନରେ ଓ ଖରାଦିନ ୧୦ ଦିନ ବ୍ୟବଧାନରେ ଜଳସେଚନ କରିବା ଉଚିତ । ମନ୍ଦାରେ ଚେର ଲଗାଇବାର ୩/୪ ସପ୍ତାହ ପର୍ଯ୍ୟନ୍ତ ଟେକାପାଣି ଦିଆଯାଏ । ତା’ପରେ ଡଙ୍ଗ ବଢ଼ିଲେ କୋଡ଼ାଖୁସା କରି ପାଣି ନାଳିରେ ପାଣି ମଡ଼ାଯାଏ । ପ୍ରତି ସପ୍ତାହରେ ପାଗ ଦେଖି ପାଣି ଦେବା ଦରକାର । ବର୍ଷାଦିନେ ଜଳସେଚନର ଆବଶ୍ୟକତା ନ ଥାଏ । କିନ୍ତୁ ବର୍ଷା ଦିନେ ଜମିରୁ ଜଳ ନିଷ୍କାସନର ବ୍ୟବସ୍ଥା ଜଳ ଭାବରେ କରିବା ଉଚିତ ।
ଅନ୍ତଚାଷ :
ଲଗାଇବାର ୩/୪ ସପ୍ତାହ ମଧ୍ୟରେ ଚେରରୁ ଗଜା ଡଙ୍କଗୁଡ଼ିକ ବାହାରି ପଡ଼ିଲେ ମନ୍ଦାଗୁଡ଼ିକ କୋଡ଼ାଖୁସା କରି ୨ୟ ଦଫା ସାର ଦେବା କଥା । ରଞ୍ଜା ଦେବାର ଥିଲେ ଗଛ ମୂଳକୁ ମାଟି ଟେକି ମଝିରେ ପାଣି ନାଳି କରାଯାଏ । ପୋଟଳ ଗଛ ମୂଳକୁ ମାଟି ଟେକି ମଝିରେ ପାଣି ନାଳି କରାଯାଏ । ପୋଟଳ ଡାଳକୁ ମାଟିରେ ମଡ଼ାଇ ଚାଷ କରାଯାଉଥିଲେ ଗଛଡାଳ ମଡ଼ାଇବା ପାଇଁ ହୁଡ଼ା କରାଯାଏ । ଏହା ୩ ଫୁଟ୍ ଓସାର ଓ ୬ ଇଞ୍ଚ ଉଚ୍ଚା ହେବା ଦରକାର । ଗଛର ମୂଳ ପାଣି ଆଡ଼କୁ ରହେ । ହୁଡ଼ାରେ ନଡ଼ା ବିଛାଇବା ଦ୍ୱାରା ଫଳକୁ ମାଟିରେ ଲାଗି ନଷ୍ଟ ହେବାରୁ ରକ୍ଷାକରେ ଓ ଘାସ ଦମନ କରିବାରେ ମଧ୍ୟ ଉପଯୋଗୀ ହୋଇଥାଏ ।
ରୋଗ ଓ ପୋକ :
ପୋଟଳରେ ସାଧାରଣତଃ ରୋଗପୋକ ଧରେନି । ବେଳେବେଳେ ପତ୍ରରେ କାଙ୍କେଡିଆ ପୋକଲାଗି ପତ୍ରଗୁଡ଼ିକ ଖାଇ ଜାଲି କରିଦିଅନ୍ତି । ଏ ପୋକ ଲାଗିଲେ ଏକର ପ୍ରତି ୨୦୦ ଗ୍ରାମ୍୍ ଆଫାସାନ୍ ଗୁଣ୍ଡକୁ ୨୦୦ ଲିଟର ପାଣିରେ ମିଶାଇ ପକାଇଲେ ଭଲ କାମ ଦିଏ ।
କ୍ଲୋର୍ସାନ୍ ମଧ୍ୟ ବ୍ୟବହାର କରାଯାଇପାରେ । ୧୫/୨୦ ଦିନ ବ୍ୟବଧାନରେ ୨/୩ ଥର ପକାଇଲେ ପୋକ ପୁରା ଦମନ ହୋଇଯିବ । ଫ୍ରୁଟ୍ ପ୍ଲାଇ ବା ଫଳମାଛି ମଧ୍ୟ ବେଳେବେଳେ ପୋଟଳକୁ ଆକ୍ରମଣ କରନ୍ତି । ଫଳ ଉପରେ ଏ ମାଛି ଅଣ୍ଡାଦିଏ ଓ ପରେ ଅଣ୍ଡାଫୁଟି କୃମି ଭଳି ପୋକ ଫଳ ଭିତରକୁ ପଶେ । ଏହା ଫଳକୁ ପଚାଇଦିଏ ଓ ଫଳଟି ନଷ୍ଟ ହୋଇଯାଇଥାଏ । ଏ ପୋକ ଦମନ ପାଇଁ ଆଟ୍ରାସାନ୍ ୪୦୦ ମି.ଲି. ଏକର ପିଛା ୨୦୦ ଲିଟର ପାଣିରେ ମିଶାଇ ପକାଇଲେ ସୁଫଳ ମିଳିଥାଏ ।
ପୋଟଳ ଚେରକୁ ଏକ ପ୍ରକାର ସୂତ୍ରଜୀବୀ ନେମାଟୋଡ ଆକ୍ରମଣ କରନ୍ତି । ଏହାଦ୍ୱାରା ଚେର ଗୁଡ଼ିକ ଗ=ି ଗ=ି ହୋଇ ଫୁଲିଯାଏ ଓ ଗଛ ଝାଉଁଳି ମରିଯାଏ । ଏହାର ପ୍ରତିକାର ପାଇଁ ଯେଉଁ ଜମିରେ ଏହା ଆକ୍ରାନ୍ତ କରିଥାଏ ୨-୩ ବର୍ଷ ସେହି ଜମିରେ ପୋଟଳ ଚାଷ କରିବା ଅନୁଚିତ । ମାଟିରେ ନିମାଗନ୍ ଔଷଧ ବା ଗଛ ଳଗାଇବା ବେଳେ କାରବୋସାନ୍ ଏକର ପ୍ରତି ୧୦-୧୨ କି.ଗ୍ରା ଔଷଧ ବ୍ୟବହାର କରାଯାଇଥାଏ ।
ପତ୍ରପୋଡ଼ା ଓ ଅଗ୍ର ମରିଯିବା ରୋଗ ସାଧାରଣତଃ ପୋଟଳ ଗଛରେ ଦେଖାଯାଏ । ଜମିରେ ଆର୍ଦ୍ରତା ବେଶୀ ହେଲେ ଏହି ରୋଗ ଦେଖାଯାଏ । ଏହାର ଦମନ ପାଇଁ ଏକର ପ୍ରତି ୪୦୦ ଗ୍ରାମ୍ୟାଲି ୨୦୦ ଲିଟର ପାଣିରେ ମିଶାଇ ୧୫-୨୦ ଦିନ ବ୍ୟବଧାନରେ ୨-୩ ଥର ସିଞ୍ଚନ କଲେ ରୋଗ ଭଲ ହୁଏ ।
ଫଳ ଖସି ପଡ଼ିବା ଓ ତା’ର ପ୍ରତିକାର :
ମାଈ ଫୁଲରେ ଅଣ୍ଡିରା ଫୁଲର ରେଣୁ ନ ପଡ଼ିଲେ ବା ପରାଗସଂଗମ ନ ହେଲେ ମାଈ ଫୁଲର କଷି ପୋଟଳଟି ୨/୩ ଦିନ ପରେ ଶୁଖି ଝଡ଼ିପଡ଼େ । ତେଣୁ ୧୦ଟି ମାଈ ଗଛରେ ଗୋଟିଏ ଅଣ୍ଡିରା ଗଛ ଲଗାଯାଏ । ପରାମସଂଗମ ଠିକ୍ ଭାବରେ ହେବାପାଇଁ ଅଣ୍ଡିରା ଫୁଲର ରେଣୁ ସଂଗ୍ରହ କରି ତାକୁ ମାଈ ଫୁଲରେ ପକାଗଲେ ଗଛପ୍ରତି ଫଳସଂଖ୍ୟା ବୃଦ୍ଧି ପାଇଥାଏ । ପରାଗସଂଗମ ପରେ ଗଛରେ ଫଳଟିଏ ବଢ଼ିବାକୁ ଲାଗେ । ଡେମ୍ଫରେ ଫଳଟିକୁ ଧରି ରଖିବା ପାଇଁ ଗଛର ଏକ ନିଜସ୍ୱ ରାସାୟନିକ ପଦାର୍ଥ ସାହାଯ୍ୟ କରେ । ଏହାକୁ ଅକସିନ୍ ହର୍ମୋନ୍ କହନ୍ତି । ବେଳେବେଳେ ଏହି ଅକ୍ସିନ୍ ଗଛରେ ଅଭାବ ପଡ଼େ । ତେଣୁ ଡେମ୍ଫଟି ଫଳ ଧରି ରଖିବାକୁ ଅକ୍ଷମ ହୁଏ ଓ ଫଳ ଖସି ପଡ଼େ । ଏହାର ପ୍ରତିକାର ପାଇଁ ଫୁଲ ଆସିବା ସମୟରେ ଗଛରେ ଅକ୍ସିନ୍ ପ୍ରୟୋଗ କରାଯାଇଥାଏ । କସି ଧରିବା ପରେ ଓ ୨୦/୨୫ ଦିନରେ ଥରେ ଏକର ପିଛା ୪୦୦ ଲିଟର ପାଣିରେ ୧୦୦ ମି.ଲି. ପ୍ଲାନୋଫିକ୍ସ ମିଶାଇ ଗଛରେ ପ୍ରୟୋଗ କରାଯାଏ । ଜୈବିକ ବୃଦ୍ଧି ଯଥା ଜିଆ ପ୍ରୟୋଗ କରାଯାଏ । ଜୈବିକ ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ଜିଆ ଜଳ ସାରକୁ ମଧ୍ୟ ଗଛ ଉପରେ ସିଞ୍ଚିଲେ ଭଲ ଫଳ ମିଳିଥାଏ ।
ଅମଳ :
ପୋଟଳ ଲଗାଇବାର ୩ ମାସ ପରେ ଫଳ ଫଳେ । କାକୁଡି, ଜହ୍ନିପରି ପୋଟଳ ମଧ୍ୟ ପାକଳ ପୂର୍ବରୁ କଅଁଳ ବା ନରମ ଅବସ୍ଥାରେ ତୋଳାଯାଏ । ପାକଳ ହୋଇଗଲେ ପୋଟଳର ମଞ୍ଜି ଓ ମାଂସଳ ଅଂଶ ଟାଣ ହୋଇଯାଏ ଓ ଖାଇବାକୁ ଭଲ ଲାଗେ ନାହିଁ । କଷି ଧରିବା ଠାରୁ ୧୦/୧୨ ଦିନ ମଧ୍ୟରେ ଏହା ଅମଳ ପାଇଁ ଠିକ୍ ହୋଇଥାଏ । ସବୁ ସମୟରେ ଫଳ କଷି ଧରୁଥିବାରୁ ୫/୭ ଦିନ ବ୍ୟବଧାନରେ ତୋଳାଯାଏ । ସପ୍ତାହରେ ଏକର ପିଛା ପ୍ରାୟ ୫ କ୍ୱିଣ୍ଟାଲ୍ ପୋଟଳ ଅମଳ ହୁଏ । ବର୍ଷିକିଆ ପୋଟଳ ଚାଷର ପ୍ରାୟ ୭୫/୮୦ କ୍ୱିଣ୍ଟାଟାଲ୍ ଅମଳ ହୁଏ । ରଞ୍ଜା ଦିଆ ଫସଲରେ ଅଧିକ ଅମଳ ମିଳିଥାଏ ଏବଂ ଏହା ପାଖାପାଖି ୩୦ ଥର ତୋଳିବାକୁ ପଡ଼ିଥାଏ । ରଞ୍ଜାଦିଆ ପ୍ରଣାଳୀରେ ଚାଷକଲେ ପୋଟଳର ଅମଳ ହେକଫର ପିଛା ୧୪୦ ରୁ ୧୫୦ କ୍ୱିଣ୍ଟାଲ୍ ମିଳିଥାଏ ।
ହିସାବ କରି ଦେଖାଯାଇଛି ଯେ ଏକ ଏକର ପୋଟଳ ଚାଷରେ ୭ ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଆୟ ପାଖାପାଖି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ ।