Odisha news

କୁବେରାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା : ତଦନ୍ତ ନ ହେବାରୁ ବ୍ଲକ କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କ ଭଙ୍ଗାରୁଜା

ତିହିଡି,୦୨/୦୮: ତିହିଡି ବ୍ଲକ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନରେ ବିଜେପି କର୍ମୀମାନେ ଭଙ୍ଗାରୁଜା କରିଛନ୍ତି । କୁବେରା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ମାତ୍ର ଏହାର ତଦନ୍ତ କରା ନଯିବାରୁ ଏହାର ପ୍ରତିବାଦରେ ବିଜେପି କର୍ମୀ ମାନେ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି । ଦଳର ନେତା ଓ କର୍ମୀମାନେ ସ୍ଥାନୀୟ ଟାଉନହଲ ଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ପରେ ସେମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଥିଲେ ।

ଏତେ ସଂଖ୍ୟକ କର୍ମୀଙ୍କ ହୋହାଲ୍ଲା ଓ ପାଟିତୁଣ୍ଡରେ ବିଡିଓ ବସନ୍ତ କୁମାର ସାହାଣୀ ଭୟଭୀତ ହୋଇ ଯାଇଥିଲେ । ଏହି ସମୟରେ କାର୍ଯ୍ୟାଳୟ ବାହାରେ ଥିବା କର୍ମୀମାନେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟାଳୟର ବିଭିନ୍ନ ଆସବାବ ପତ୍ର ସମେତ ବିଡିଓ, ବ୍ଲକ ଅଧ୍ୟକ୍ଷା ପ୍ରମୁଖଙ୍କ ନାମ ଫଳକକୁ ଭାଙ୍ଗି ଦେଇଥିଲେ । ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ବନ୍ଦ ଥିଲେ ମଧ୍ୟ କେତେକ କର୍ମୀ କବାଟକୁ ଧକ୍କା ମାରିବା ସହ ପିଟାପିଟି କରିଥିଲେ ।

ତେବେ ଏହି ଭଙ୍ଗାରୁଜା ଚାଲିଥିବା ବେଳେ ଜଣେ ହେଲେ ପୋଲିସ ଉପସ୍ଥିତ ନଥିବା ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା । ତେବେ ଭଙ୍ଗାରୁଜା ପରେ ତିହିଡି ଥାନାର ଆଇଆଇସିଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାଇ ପରିସ୍ଥିତିର ସୁଧାର ଆଣିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀ ମାନେ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସି ରହିଥିଲେ ।

ପରେ ବିଡିଓ ସାହାଣୀ ସେଠାକୁ ଯାଇ ଅନିୟମିତତାର ସଠିକ ତଦନ୍ତ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯୁବ ନେତା ସୂରଜ ସୂର୍ଯ୍ୟବଂଶୀ, ବରିଷ୍ଠ ନେତା ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ବୁଦ୍ଧଦେବ ଜେନା, ଶ୍ରୀଧର ନାଥ, ଶରତ କୁମାର ନାୟକ, ସାଇଶରଣ ବେହେରା, ପ୍ରତାପ ଜେନା, ତପନ ରାଉଳ ପ୍ରମୁଖ ବିଡିଓ କାର୍ଯ୍ୟାଳୟରେ ଅନିୟମିତତା ସଂପର୍କରେ ଆଲୋଚନା କରିଥିଲେ । କୁବେରା ପଞ୍ଚାୟତରେ କୋଠା ଘର ଥିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ କରାଯିବା, ପୂର୍ବରୁ ଜିଓ ଟେକ୍ କରାଯାଇ ପ୍ରକାଶ ପାଇଥିବା ଏବଂ ପ୍ରକାଶ ପାଇ ପାରି ନଥିବା ପ୍ରକୃତ ହିତାଧିକାରୀଙ୍କ ନାଁ ସଂଯୋଗ କରାଯିବା ଆଦି ଦାବି ଉପରେ ନେତା ମାନେ ବିଡିଓଙ୍କ ସହିତ ଆଲୋଚନା କରଇଥିଲେ । ଏଥିସହ ପଞ୍ଚାୟତର ଜିଆରଏସ୍କୁ ପଞ୍ଚାୟତରୁ ଅପସାରଣ କରାଯିବା ସହ ନୂତନ ଜିଆରଏସ୍କୁ ତଦନ୍ତରେ ସାମିଲ କରାଯିବାକୁ ଦାବି ହୋଇଥିଲା । ବିଡିଓ ସାହାଣୀ ଅଭିଯୋଗ ଉପରେ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Comments are closed.