Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତ : ନିଜ ଗାଁରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିବେ

0

ଭୁବନେଶ୍ବର/ରାଇରଙ୍ଗପୁର: ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ପାହାଡ଼ପୁରରେ ନିର୍ମାଣ ହୋଇଥିବା ହେଲିପ୍ୟାଡ୍‌ରେ ପୂର୍ବାହ୍ଣ ୧୧ଟା ୫ରେ ଅବତରଣ କରିବେ। ସେଠାରୁ ପାହାଡ଼ପୁର ଗାଁକୁ ଯାଇ ରାଷ୍ଟ୍ରପତିଙ୍କ ସହ ରାଷ୍ଟ୍ରପତିଙ୍କ ଗାଁ ବୁଲିବେ। ପରେ ସ୍ଥାନୀୟ ବାସିନ୍ଦାଙ୍କ ପୂଜାସ୍ଥଳୀ ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ। ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜ ସ୍ବାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ନିର୍ମାଣ କରିଥିବା ପାହାଡ଼ପୁର ଏସ୍‌ଏଲ୍‌ସି ସ୍ମାରକୀ ସ୍କୁଲକୁ ପ୍ରଧାନମନ୍ତ୍ରୀ ଯିବେ। ସେଠାରେ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହିପରି ପ୍ରଧାନମନ୍ତ୍ରୀ ପ୍ରାୟ ୧ଘଣ୍ଟା କାଳ ରାଷ୍ଟ୍ରପତିଙ୍କ ଗାଁରେ ସମୟ ବିତାଇବେ। ସେହିଦିନ ରାଷ୍ଟ୍ରପତିଙ୍କ ଜନ୍ମଦିନ ଥିବାରୁ ରାଷ୍ଟ୍ରପତି ନିଜ ଗାଁରେ ସ୍ଥାନୀୟ ଗ୍ରାମବାସୀ, କୁନି କୁନି ପିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଜନ୍ମଦିନ ପାଳିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ପ୍ରଧାନମନ୍ତ୍ରୀ ଦାଣ୍ଡବୋଷ ହେଲିପ୍ୟାଡ୍‌ରେ ନିର୍ମାଣ ହୋଇଥିବା ସଭାସ୍ଥଳକୁ ଯିବେ। ସେଠାରେ ଅପରାହ୍ଣ ୧ଟାରୁ ୨ଟା ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହାସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷର ‌ରିପୋର୍ଟ କାର୍ଡ ମୋଦୀଙ୍କୁ ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ବିଜେପିର ସମସ୍ତ ସାଂସଦ ଓ ବିଧାୟକ ଯୋଗଦେବେ ବୋଲି ବିଜେପିର ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

Nalco
Leave A Reply