ଟାଙ୍କି ଅଛି, ପାଣି ନାହିଁ; ୩ ମାସ ହେଲା ଅଚଳ ବସୁଧା ପ୍ରକଳ୍ପ : ବିଦ୍ୟୁତ ଯୋଗାଣ ବିଭ୍ରାଟ ଯୋଗୁଁ ପାଣି ପାଇଁ ହନ୍ତସନ୍ତ ୧୦୦ରୁ ଊର୍ଦ୍ଧ୍ବ ପରିବାର, ମରାମତି ପାଇଁ ଦାବି
ବାଲିଗୁଡ଼ା, ତା, ୦୬/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁରେ ରହିଛି ବସୁଧା ପାନୀୟଜଳ ପ୍ରକଳ୍ପ, ଅଛି ପାଣି ଟାଙ୍କି। ହେଲେ ଲୋକଙ୍କ ଘରକୁ ପହଞ୍ଚୁନି ପାଣି। ବିଦ୍ୟୁତ ଯୋଗାଣ ବିଭ୍ରାଟ ଯୋଗୁଁ ଦୀର୍ଘଦିନ ହେଲା ପାଣି ପମ୍ପ ଅଚଳ ହୋଇପଡ଼ିଥିବାରୁ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। ଏପରି ଅଭାବନୀୟ ଚିତ୍ର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଉପର କଙ୍ଗେରିକିଆ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମରେ ୧୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ସେମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବହୁ ବର୍ଷ ପୂର୍ବରୁ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। କିନ୍ତୁ ଏବେ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପାଣି ପମ୍ପକୁ ନିୟମିତ ବିଦ୍ୟୁତ ଯୋଗାଣ ହେଉନଥିବାରୁ ପ୍ରକଳ୍ପଟି ଦୀର୍ଘ ପ୍ରାୟ ତିନି ମାସ ହେଲା ଅଚଳ ହୋଇପଡ଼ିଛି। ଫଳରେ ଟାଙ୍କି ଥିଲେ ମଧ୍ୟ ଗ୍ରାମବାସୀଙ୍କ ଘରକୁ ପାଣି ପହଞ୍ଚୁନାହିଁ। ପାଣି ପାଇଁ ଲୋକଙ୍କୁ ଅନ୍ୟ ଉତ୍ସ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ପାନୀୟଜଳ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ସରକାର ପାନୀୟଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିବା ନେଇ ପ୍ରଶ୍ନ ଉଠିଛି।
ଅତିଶୀଘ୍ର ବିଦ୍ୟୁତ ସମସ୍ୟାର ସମାଧାନ କରି ବସୁଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଗ୍ରାମବାସୀଙ୍କୁ ନିୟମିତ ପାନୀୟଜଳ ଯୋଗାଇବାକୁ ଯଶୋବନ୍ତ ପ୍ରଧାନ, ରିଙ୍କୁ ପ୍ରଧାନ, ଶଙ୍କର ପ୍ରଧାନ, କୃପାନନ୍ଦ ପ୍ରଧାନ, ବିମିରାଜ ପ୍ରଧାନ, ସନ୍ତୋଷ ପ୍ରଧାନଙ୍କ ସମେତ କଙ୍ଗେରିକିଆ ଗ୍ରାମବାସୀ ଦାବି କରିଛନ୍ତି।
