Odisha news

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ଜନ୍ମଦିନରେ ଉପମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ : ମଙ୍ଗଳାଙ୍କ ନିକଟରେ ଦୀପ ଜାଳି ମୋଦୀଙ୍କ ଶୁଭ ମନାସିଲେ ପ୍ରଭାତୀ ପରିଡ଼ା

ସେବାପକ୍ଷର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ , ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସଫେଇ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

0

ନିମାପଡ଼ା/ଭୁବନେଶ୍ୱର(୧୭.୦୯.୨୦୨୫): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସେବାକାର୍ଯ୍ୟରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସଫେଇ କାର୍ଯ୍ୟରୁ ଆରମ୍ଭ କରି ଦୀପଦାନ ଏବଂ ବୃକ୍ଷରୋପଣ ଆଦି ଜରିଆରେ ମୋଦୀଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ସେ ପ୍ରୟାସ କରିଛନ୍ତି। ସେବାପକ୍ଷ ଆରମ୍ଭର ପ୍ରଥମ ଦିନରେ ପ୍ରଭାତୀ ନିମାପଡ଼ା ଏନ୍‌ଏସିର ୱାର୍ଡ ନମ୍ବର ୯ଠାରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ସଫେଇ କାର୍ଯ୍ୟରେ ଯୋଗଦେଇଥିଲେ । ପରିବେଶକୁ ସ୍ୱଚ୍ଛ ରଖିବା କିଭଳି ସମସ୍ତଙ୍କ କର୍ତ୍ତବ୍ୟ ସେ ଏହି ଅବସରରେ ଆଲୋକପାତ କରିଥିଲେ । ଏହି ଅବସରରେ ସଚ୍ଛତାକୁ ନେଇ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆୟୋଜିତ ପଥପ୍ରାନ୍ତ ନାଟକକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଏହାପରେ ନିମାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଦିବ୍ୟାଙ୍ଗମାନଙ୍କୁ ତିନି ଚକିଆ ଯାନ ବଣ୍ଟନ କରିଥିଲେ ।

ଏହାପରେ ସେ ‘ସୁସ୍ଥ ନାରୀ -ସଶକ୍ତ ପରିବାର’ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ‘ସୁସ୍ଥ ନାରୀ -ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ଚାରିଛକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ସୁସ୍ଥ ନାରୀ -ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ସେ ଏହି ଅବସରରେ କହିଥିଲେ, “ମା’ମାନେ ପରିବାରର କେନ୍ଦ୍ର । ପରିବାରର ସୁସ୍ଥତା ସେମାନଙ୍କ ଉପରେ ନିର୍ଭର । ‘ସୁସ୍ଥ ନାରୀ -ସଶକ୍ତ ପରିବାର’ ଅଭିଯାନରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସହ ବିଶେଷଜ୍ଞ ଶିବିର ଆୟୋଜନ କରାଯାଉଛି । ଓଡ଼ିଶାରେ ପ୍ରତି ବ୍ଲକ୍, ପଞ୍ଚାୟତ ଏବଂ ଗାଁ ପର୍ଯ୍ୟନ୍ତ ଏହି ଅଭିଯାନ ମହିଳା ଓ କିଶୋରୀମାନଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।” ଏହି କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟକର୍ମୀ ଏବଂ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ୭୫ତମ ଜନ୍ମଦିନ ଅବସରରେ କାକଟପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମଙ୍ଗଳାଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ମଙ୍ଗଳକାମନା କରିଥିଲେ । ଆଜିର ଦିନରେ ମୋଦୀଙ୍କ ଉପସ୍ଥିତିରେ ଏବଂ ଦିଗ୍‌ଦର୍ଶନରେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଥିବାରୁ ସୁଭଦ୍ରା ହିତାଧିକାରୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ କାକଟପୁର ସ୍ଥିତ ମା’ ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ‘ଏକ୍‌ ପେଡ୍‌ ମା’ କେ ନାମ୍‌’ କାର୍ଯ୍ୟକ୍ରମରେ ଭାଗନେବା ସହ ମୋଦୀଙ୍କ ଜନ୍ମଦିନର ସ୍ୱତନ୍ତ୍ର ଦିନକୁ ମନେରଖିବା ପାଇଁ ବୃକ୍ଷରୋପଣ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।

Leave A Reply