ପିପିଲି- ପିପିଲି ବ୍ଲକ ନୂଆଶାସନ ପଂଚାୟତର ସରପଂଚ ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନରେ ତିନିଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଭାରତୀୟ ଜନତା ପାର୍ଟି ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ଓ ସ୍ୱାଧିନ ପ୍ରାର୍ଥୀ ସନ୍ତୋଷ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି ସମର୍ଥୀତ ପା୍ରର୍ଥୀ ସୈାମ୍ୟକାନ୍ତ ଦାଶ ନୁଆଶାସନ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରୁ ନିଜ ନେତୃବୃନ୍ଦ ଓ ଶତାଧିକ ସମର୍ଥକ ମାନଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ଦେବତା ନୃସିଂହନାଥ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହ ଗୁରୁଜନ ମାନଙ୍କ ଆର୍ଶିବାଦ ନେଇ ନାମାଙ୍କନ ଦାଖଲ କରିବା ପାଇଁ ବାହାରିଥିଲେ । ଶୋଭାଯାତ୍ରା ନୁଆଶସନ ଗ୍ରାମରୁ ପିପିଲି ପ୍ରବେଶ ପଥ ଦେଇ ପିପିଲି ବ୍ଲକ କୁ ଆସିଥିଲେ । ତାଙ୍କ ସହିତ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଉପସଭାପତି ଜନ୍ମଜେୟ ଜେନା,ବରିଷ୍ଠ ନେତା ଅଜୟ ପ୍ରଧାନ ,ପ୍ରଦୀପ ସାହୁ, ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ,ସୁଧିର ବିଶ୍ୱାଳ, ପ୍ରଦୀପ ପାତ୍ର, ଦେବୀପ୍ରସାଦ ମଲ୍ଲିକ, ଗଦାଧର ପରିଡା,କୃଷକ ନେତା ସୁକାନ୍ତ କୁମାର ଦାଶ, ଧନେଶ୍ୱର ପ୍ରଧାନ,ଦିନବନ୍ଧୁ ପଣ୍ଡା, ପ୍ରହଲ୍ଲାଦ ପଣ୍ଡା , ରମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ସୈାମ୍ୟକାନ୍ତ ନିର୍ବାଚନ ଅଧିକାରୀଣି ଦାଇତ୍ୱରେ ଥିବା ପିପିଲି ବିଡିଓ ରଶ୍ମିତା ନାଥ ଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ ।
ସେହିଭଳି ସ୍ୱାଧିନ ପ୍ରାର୍ଥୀ ସନ୍ତୋଷ କୁମାର ଆଚାର୍ଯ୍ୟ ନିଜ ସମର୍ଥକ ମାନଙ୍କ ସହ ନୁଆଶାସନ ଗ୍ରାମରୁ ବାଇକ ଶୋଭାଯାତ୍ରାରେ ବାହାରି ପିପିଲି ବ୍ଲକକୁ ଆସି ତାଙ୍କର ପ୍ରାର୍ଥପତ୍ର ଦାଖଲ କରିଛନ୍ତି ।ଏବଂ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କ ସମର୍ଥକ ମାନଙ୍କ ସହ ପିପିଲି ବ୍ଲକକୁ ଆସି ତାଙ୍କର ପ୍ରାର୍ଥପତ୍ର ଦାଖଲ କରିଥିଲେ । ତିନିଜଣ ପ୍ରାର୍ଥୀ ଭିନ୍ନ ଭିନ୍ନ ସମୟରେ ବିଡିଓ ରଶ୍ମିତା ନାଥ ଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ନିଜ ନିଜ ସମର୍ଥକଙ୍କ ସହ ପଟୁଆରରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଭରିଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଂଚ କରାଯିବ ଏବଂ ଆସନ୍ତା ୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବା ସହିତ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ବିଡିଓ ରଶ୍ମିତା ନାଥ ସୁଚନା ଦେଇଛନ୍ତି । । ସୂଚନାଯୋଗ୍ୟ, ନୂଆଶାସନ ପଂଚାୟତରେ ସରପଂଚ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ମାନ୍ୟବର କୋର୍ଟ ଙ୍କ ନିଦେ୍ର୍ଦଶ ପରେ ଆସନ୍ତା ଫେବୃଆରୀ ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ପୁର୍ବରୁ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥି ଭାବେ ଡା.ଚିନ୍ମୟ ମହାପାତ୍ର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏହି ଉପନିର୍ବାଚନ ଟି ବହୁତ ସରଗରମ ହେବା ସହିତ ପିପିଲି-ଡେଲାଙ୍ଗ ନିର୍ବାଚନୀ ମଣ୍ଡଳିରେ ହେବାକୁ ଥିବା ବିଧାୟକ ପଦବୀ ପାଇଁ ଉପନିର୍ବାଚନରେ ସବୁ ଦଳ ପ୍ରତି ଏହି ସରପଂଚ ଉପନିର୍ବାଚନ ଟି ବଜୟ ହାସଲ କରିବା ପାଇଁ ଗୁରୁତ୍ୱପୁର୍ଣ୍ଣ ରହିଥିବା ଜଣାପଡିଛି ।
