ଫୁଲବାଣୀ,୧୫/୦୮(ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲାରେ ପୁଣି ଆଉ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯ ରେ ପହଂଚିଛି । ତେବେ ଆଜି ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୭୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୫୧୨ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୫୬ ଜଣ ପୁରୁଷ ରହିଥିବାବେଳେ ଆଉ ୪୨ ଜଣ ମହିଳା ଥିବା ନେଇ ସୁଚନା ମିଳିଛି ।
ମୋଟ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀର ୧୩ ଜଣ ରହିଥିବାବେଳେ ଘୁ,ଉଦୟଗିରିର ୭ଜଣ,ଦାରିଙ୍ଗବାଡିର ୧୨ ଜଣ,ଚକାପାଦର ୯ ଜଣ,ଟିକାବାଲିର ୫ ଜଣ,କ.ନୁଆଗାଁର ୨ ଜଣ,କୋଟଗଡର ୧୭ ଜଣ, ତୁମୁଡିବନ୍ଧର ୧୪ ଜଣ,ରାଇକିଆର ୬ ଜଣ, ବାଲିଗୁଡାର ୮ ଜଣ,ଫିରିଙ୍ଗିଆର ୩ ଜଣ ଏବଂ ଖଜୁରିପଡା ବ୍ଳକ ଅଂଚଳର ୨ ଜଣ ଥିବା ନେଇ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି ।
ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ସମସ୍ତ ୧୨ ଟି ବ୍ଳକ ଅଂଚଳର ଅଭ୍ୟନ୍ତରୀଣ ଅଂଚଳରେ ମଧ୍ୟ ବ୍ୟାପିବାରେ ଲାଗିଛି । ସେଥିପାଇଁ ପ୍ରଶାସନ ତରଫରୁ ଲକଡାଉନ ଘୋଷଣା କରାଯିବା ସହିତ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଶନିବାର ଓ ରବିବାରରେ ସମଗ୍ର ଜିଲ୍ଲାରେ ସଟ୍ଡାଉନ ଘୋଷଣା କରାଯାଇଛି । ଏହି ସମୟ ଭିତରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯିବା ସହିତ ଅତି ଜରୁରୀ ଅବଶ୍ୟକତାରେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରାଇବାକୁ ଜିଲାର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି । ଏହା ସହିତ ପୋଲିସ ପକ୍ଷରୁ ମଧ୍ୟ ଏହାକୁ କଡାକାଡି ଭାବରେ ପାଳନ କରିବାକୁ ଲୋକଙ୍କୁ ତାଗିତ କରାଯାଉଛି ।
