ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧିନତା ଦିବସରେ ଫୂଲବାଣୀରେ ଯୋଗ ଦେଲେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ : ଜିଲାର କରୋନା ଯୋଦ୍ଧାଙ୍କୁ କଲେ ସମ୍ବର୍ଦ୍ଧିତ
ଫୁଲବାଣୀ,୧୫/୦୮(ସନ୍ତୋଷ ମିଶ୍ର ) : ମାନବିକତାର ବିକାଶ ହିଁ ପ୍ରକୃତ ବିକାଶ । ଜନସମୁଦାୟଙ୍କ କଳ୍ୟାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟରେ ବିକାଶର ପର୍ବ ଅବ୍ୟାହତ ରହିଛି । ରାଜ୍ୟ ସରକାରଙ୍କର ଏହି ଉଦ୍ୟମକୁ ଫଳପ୍ରସୂ କରିବା ଦିଗରେ ସମସ୍ତେ ସହଯୋଗ କରିବା ସଙ୍ଗେ ସଙ୍ଗେ କନ୍ଧମାଳ ଜିଲ୍ଲାକୁ ରାଜ୍ୟର ଶ୍ରେଷ୍ଠ ଜିଲ୍ଲା, ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଏବଂ ଭାରତକୁ ବିଶ୍ୱର ଶ୍ରେଷ୍ଠ ଦେଶରେ ପରିଣତ କରିବାକୁ ଫୁଲବାଣୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି, ଓଡ଼ିଶାର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହ୍ୱାନ ଦେଇଛନ୍ତି ।
ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ମନ୍ତ୍ରୀ ଶୀଯୁକ୍ତ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ତିଳତିଳ କରି ଦେଶ ଓ ଜାତି ଉଦେ୍ଦଶ୍ୟରେ ଉସôର୍ଗ କରିଯାଇଥିବା ଦେଶ, ରାଜ୍ୟ ଓ କନ୍ଧମାଳ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ନିଜ ବକ୍ତବ୍ୟ ମାଧ୍ୟମରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । କନ୍ଧମାଳ ଜିଲ୍ଲାର ମାଟିକୁ ଏକ ପୂଣ୍ୟ ଭୁମି ଭାବେ ସେ ଅଭିହିତ କରି ଏହି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ନିଯୁକ୍ତି, ପର୍ଯ୍ୟଟନ ଆଦି ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଅହରହ ଓ ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ । କନ୍ଧମାଳର ଏହି ପବିତ୍ର ମାଟିରେ ସମସ୍ତେ ଏ ଜିଲ୍ଲାକୁ ଉନ୍ନତିର ଶିଖରରେ ପହଞ୍ଝାଇବା ଦିଗରେ ଶପଥ ନେବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ସ୍ଥାନୀୟ ରିଜର୍ଭ ପୋଲିସ୍ ପଡ଼ିଆଠାରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଜନସାଧାରଣଙ୍କ ଦାବୀକୁ ସମ୍ମାନ ଜଣାଇ କନ୍ଧମାଳ ଜିଲ୍ଲାରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ଏବଂ ଜିଲ୍ଲାକୁ ରେଳ ଯୋଗାଯୋଗ କ୍ଷେତ୍ରରେ ମାନ୍ୟବର ସାଂସଦ ଓ ବିଧାୟକମାନଙ୍କ ଉଦ୍ୟମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।
କରୋନା ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି । ଓଡ଼ିଶାବାସୀଙ୍କ ପ୍ରତ୍ୟେକଟି ଜୀବନ ରାଜ୍ୟ ପାଇଁ ମୂଲ୍ୟବାନ । ଏଣୁ, ଏହି ଅମୁଲ୍ୟ ଜୀବନର ସୁରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରଚେଷ୍ଟା ଜାରୀ ରହିଛି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ସଂପନ୍ନ ଆଗୁଆ ପଦକ୍ଷେପ ଫଳରେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଏହି ମହାମାରୀ ନିୟନ୍ତ୍ରଣ ସ୍ଥିତିରେ ରହିଛି । କନ୍ଧମାଳ ଜିଲ୍ଲାରେ କରୋନା ସ୍ଥିତିର ଅବତାରଣା କରି, ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ କରୋନା ଆକ୍ରାନ୍ତଙ୍କୁ ବିନାମୂଲ୍ୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ନିଜ ବକ୍ତବ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ତତ୍ ସଙ୍ଗେସଙ୍ଗେ, ଜନ ସମାଜ ମଧ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରି ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଲାଗି ନିଜ ଜୀବନକୁ ବାଜି ଲଗାଇଥିବା କରୋନା ଯୋଦ୍ଧାମାନଙ୍କ ଅସୀମ ତ୍ୟାଗ ଓ ଧୈର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ ।
ସେମାନଙ୍କର ସେହି ନିଷ୍ଠାପର ଉଦ୍ୟମ ଆମକୁ କରୋନା ଯୁଦ୍ଧରେ ବିଜୟୀ କରାଇବ ବୋଲି ମଧ୍ୟ ସେ ଆଶା ବ୍ୟକ୍ତ କରିଥିଲେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ଆଗ୍ରହର ସହ ପ୍ଳାଜ୍ମା ଦାନ କରିବା ସହିତ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ବାରମ୍ବାର ହାତ ଧୋଇବା, ପରିଷ୍କାର ପରିଛନ୍ନ ପରିବେଶ ସୃଷ୍ଟି ଏବଂ ଜନ ସଚେତନତା ଜାଗରଣ କରିବାକୁ ଏହି ଅବସରରେ ସେ ଆହ୍ୱାନ ଦେଇଥିଲେ ।
ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣ ସ୍ଥିତିରେ ରଖିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ କୋଭିଡ଼ ଓ.ପି.ଡି.ର ଡା. ଦେବୀ ପ୍ରସାଦ ଦାସ, ଫୁଲବାଣୀର ଅନ୍ୱେଷା କୋଭିଡ଼୍ କେୟାର୍ ସେଣ୍ଟର୍ର ଡା. ଆର୍. ରାଜଲକ୍ଷ୍ମୀ ପାତ୍ର, ବିଶିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ସୁବ୍ରତ କୁମାର ଶତପଥି, ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ଼୍ କେୟାର୍ ସେଣ୍ଟର୍ର ଲଣ୍ଡ୍ରି ୱାର୍କର୍ ଶ୍ରୀ ମାନସ ମୁଖୀ, ବାରିକୁମ୍ପାର ଆଶା କର୍ମୀ ରୀନା ବେହେରା, ରତଙ୍ଗର ଆଶାକର୍ମୀ ଅମିତା ପାତ୍ର ଏବଂ ଟିକାବାଲି ବ୍ଳକ୍ ଅନ୍ତର୍ଗତ କଟିମାହାର ଏ.ଏନ୍.ଏମ୍. ଅଞ୍ଜଳୀ ଦିଗାଲଙ୍କ ଏହି ଅବସରରେ ଉତ୍ତରୀୟ ଓ ମାନପତ୍ର ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ ।
ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ସାମିଲ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । କନ୍ଧମାଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବାରୁ ଜିଲ୍ଲାର ଜନ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଏହି ଅଭାବମୟ ଓ ସଙ୍କଟମୟ ପରିସ୍ଥିତିରେ କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ଲାଗି ସମବାୟ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା କୃଷି ଋଣ ପରିମାଣକୁ ବୃଦ୍ଧି କରାଯିବା ସହିତ ଅଧିକରୁ ଅଧିକ ସଂଖ୍ୟକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏଥିରେ ସାମିଲ କରିବା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଚେଷ୍ଟା ଜାରୀ ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ସେହିପରି, ଜିଲ୍ଲାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ମହଜୁଦ କରି ରଖିବା ପାଇଁ ଜିଲ୍ଲାର କେତେକ ସ୍ଥାନରେ କୋଲ୍ଡ ଷ୍ଟୋର ପ୍ରତିଷ୍ଠା କରିବା ଦିଗରେ ଅର୍ଥ ମଞ୍ଜୁର ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।
ଅଭିବାଦନ ମଞ୍ଝରେ ମାନ୍ୟବର ମୁଖ୍ୟ ଅତିଥିଙ୍କ ସହିତ ଜିଲ୍ଲାପାଳ ଡା. ବୃନ୍ଦା ଡି. ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ । ମଞ୍ଝ ନିକଟରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ସୁରେଶ କୁମାର ନନ୍ଦ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ, ତହସିଲଦାର ଶ୍ରୀ ଦୀନମଣି ନାୟକ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା, ଉଦ୍ୟାନ କୃଷି ଉପ-ନିଦେ୍ର୍ଦଶକ ଶ୍ରୀ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ପୋଲିସ୍ ବାହିନୀର ଗୋଟିଏ ଦଳ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିବା ବେଳେ, ଜାତୀୟ ପତାକା ଉତ୍ତୋଳନ ସମୟରେ ପୋଲିସ୍ର ବ୍ୟାଣ୍ଡ ବାହିନୀ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ରିଜର୍ଭ ପୋଲିସ୍ ଇନ୍ସପେକ୍ଟର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସର୍ଜେଣ୍ଟ ଶ୍ରୀ ସରୋଜ କୁମାର ବେହେରା ଯଥାକ୍ରମେ ପ୍ୟାରେଡ଼୍ କମାଣ୍ଡର୍ ଓ ସହକାରୀ ପ୍ୟାରେଡ଼୍ କମାଣ୍ଡର୍ ଭାବେ ଉପସ୍ଥିତ ଥିଲେ ।