ଫୁଲବାଣୀ : କୁଅ ଖୋଳୁଥିବା ହୀତାଧିକାରୀଙ୍କଠାରୁ ୫ ହଜାର ଟଙ୍କା ଲାଂଚ ନେବାବେଳେ ଧରାପଡିଥିବା ଜଣେ ଫରେଷ୍ଟ ଗାର୍ଡ ମନୋରଞ୍ଜନ ଅମାତଙ୍କୁ ଆଜି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାରପତି ସତ୍ୟପୀର ମିଶ୍ର ସାଖି ପ୍ରମାଣ ଅଧାରରେ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ ସମେତ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥ ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ବିଚାରପତି ନିଦେ୍ର୍ଧଶ ଦେଇଛନ୍ତି । ସୁଚନା ଅନୁସାରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଏବଂ ଟିକାବାଲି ଥାନା ଅନ୍ତର୍ଗତ ଶିର୍କାକୁଟୀ ପଂଚାୟତର ଶ୍ରୀମୁଖ କହଁର ନାମକ ଜଣେ ବ୍ୟକ୍ତି ପଂଚାୟତ ତରଫରୁ ନିଜ ଜମିରେ ଗୋଟିଏ ଡଗୱେଲ ଖୋଳିବାପାଇଁ କାର୍ଯ୍ୟାଦେଶ ପାଇଥିଲେ । ସେହି କୁଅ ନିର୍ମାଣ ପାଇଁ ସେ ଟ୍ରାକ୍ଟର ଯୋଗେ ପଥର ଆଣୁଥିବାବେଳେ ଶଙ୍କରାଖୋଲ ବିଟ୍ରେ ନିୟୋଜିତ ଥିବା ଫରେଷ୍ଟ ଗାର୍ଡ ମନୋରଞ୍ଜନ ଅମାତ ଶ୍ରୀମୁଖଙ୍କୁ ରୟାଲିଟି ଦେଇନଥିବା କହି ତାଙ୍କଠାରୁ ୫ ହଜାର ଟଙ୍କା ଲାଂଚ ମାଗିଥିଲେ ନଦେଲେ ତାଙ୍କ ବିରୋଧରେ ଆଇନଗତ କାର୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଧମକ ଦେଇଥିଲେ । ଶ୍ରୀମୁଖ ନିରୁପାୟ ହୋଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଆଶ୍ରୟ ନେଇଥିଲେ । ଗତ ୧୬/୦୫/୨୦୧୮ ତାରିଖରେ ଶ୍ରୀମୁଖ ଭିଜିଲାନ୍ସ ବିଭାଗର ଯୋଜନା ଅନୁସାରେ ଫରେଷ୍ଟ ବିଟରେ ପହଂଚି ୫ ହଜାର ଟଙ୍କା ଦେଇଥିଲେ । ସେଠାରେ ଭିଜିଲାନ୍ସ ବିଭଗର ଅଧିକାରୀ ଏବଂ କର୍ମଚାରୀ ମାନେ ପହଂଚି ଫରେଷ୍ଟ ଗାର୍ଡ ମନୋରଞ୍ଜନଙ୍କଠାରୁ ଏହି ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ମନୋରଞ୍ଜନଙ୍କ ଘର କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ବନ୍ଧଗଡରେ ବୋଲି ଜଣାପଡିଛି । ଆଜି ଏହି ମାମଲାର ବିଚାରଣ କରି ଭିଜିଲାନ୍ସ ବିଚାରପତି ଏହି ରାୟ ଶୁଣାଇଛନ୍ତି । ମାମଲାକୁ ଭିଜିଲାନ୍ସ ପିପି ପ୍ରଦୀପ କୁମାର ଦୋରା ପରିଚାଳନା କରୁଥିଲେ । ତେବେ ମନୋରଞ୍ଜନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାପରେ ତାଙ୍କୁ ଫୁଲବାଣୀ ଜେଲକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀ ବେହେରା ସୁଚନା ଦେଇଛନ୍ତି ।