ଫୁଲବାଣୀ : ଓଡିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ ଓ ସେମାନଙ୍କ ପରମ୍ପରାରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ସେମାନଙ୍କ ଭୌଗଳିକ, ପାରମ୍ପାରିକ ପ୍ରଥା ବିଷୟରେ ନଜାଣି ସେମାନଙ୍କୁ ଆଧୁନିକତାର ମାପ କାଠିରେ ତଉଲିବା ଭୁଲ ବୋଲି କହିଛନ୍ତି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ । ମହାମାରୀ କରୋନା ପାଇଁ ଚଳିତ ବର୍ଷ ଭର୍ଚୁଆଲ ମାଧ୍ୟମରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହାକୁ ଉଦ୍ଘାଟନ କରି ଡ. ରାୟ ଆଦିବାସୀ ସଂସ୍କୃତି କନ୍ଧମାଳର ଆଦିରୂପ ଉପରେ ଆଲୋଚନା କରିଥିଲେ । ନିଜର ଅଧ୍ୟାପିକା ଜୀବନରେ ସେ ମାଲକାନଗିରିର ବଣ୍ଡା ଜନଜାତି ଉପରେ ଗବେଷଣା କରୁଥିବା ବେଳର ଅନୁଭୁତି ସେ ଉପସ୍ଥାପନ କରିଥିଲେ । ମହୋତ୍ସବର ଦ୍ୱିତୀୟ ଅଧିବେଶନରେ କନ୍ଧମାଳ ଏକ ଉପଲବ୍ଧି: ଅତୀତ, ବର୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କନ୍ଧମାଲର ପୂର୍ବତନ ଜିଲ୍ଲାପାଳ ଡ. ଅରବିନ୍ଦ ବେହେରା ଯୋଗଦେଇ କୁଇ ଭାଷା, ସଂସ୍କୃତି ଓ ସାହିତ୍ୟର ଉନ୍ନତି ହେଲେ ଯାଇ କନ୍ଧମାଳର ଉନ୍ନତି ହେବ ବୋଲି ମତପ୍ରକାଶ କରିଥିବା ବେଳେ ଓରମାସର ମୁଖ୍ୟ ତଥା କନ୍ଧମାଳ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ କନ୍ଧମାଳ ଅଦା ଓ ହଳଦିକୁ ନେଇ ଜିଲ୍ଲାରେ ପ୍ରକ୍ରୀୟାକରଣ ଶିଳ୍ପ ପ୍ରତିଷ୍ଠା ହୋଇପାରିଲେ କନ୍ଧମାଳବାସୀଙ୍କ ଆର୍ଥିକ ସ୍ଥିତ ଉନ୍ନତ ହୋଇପାରିବ ବୋଲି କହିଥିଲେ ।
ଅନ୍ୟ ତମ ଆଲୋଚକ ଭାବେ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକ ଯୋଗଦେଇ ପୂର୍ବଦିନ ଅପେକ୍ଷା ଆଦିବାସୀମାନେ ସେମାନହ୍କ ଅଧିକାର ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି ବୋଲି ମତପ୍ରକାଶ କରିଥିଲେ । ଏହି ଅଧିବାଶେନକୁ କବି କେଦାର ମିଶ୍ର ପରିଚାଳନା କରିଥିଲେ । ଏହା ପରେ ତୃତୀୟ ଅଧିବେଶନରେ ଓଡିଶାର ସାହିତ୍ୟ: କନ୍ଧମାଳ ଦେଇଛି କେତେ, ପାଇଛି କେତେ ଓ ଶେଷ ଅଧିବେଶନରେ ସାହିତ୍ୟର ମର୍ମ: ପ୍ରକୃତି ଓ ସଂସ୍କୃତିର ସମ୍ମିଶ୍ରଣ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚକ ଓଡିଶା ଓ କନ୍ଧମାଳ ବହୁ ପ୍ରତିଷ୍ଠିତ ସାହିତ୍ୟିକ ଓ ଆଲୋଚକ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟିକୁ କଳିଙ୍ଗ ସାହିତ୍ୟ ମହୋତ୍ସବ ତଥା କନ୍ଧମାଳ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ନିଦେ୍ର୍ଦଶକ ରଶ୍ମି ରଞ୍ଜନ ପରିଡା ପରିଚାଳନା କରିଥିବା ବେଳେ ସିତାଂଶୁ ମହାପାତ୍ର, ଦେବାଶିଷ ସାମନ୍ତରାୟ ପ୍ରମୁଖ ସହେଯାଗ କରିଥିଲେ ।