ଫୁଲବାଣୀ ( ସନ୍ତୋଷ ମିଶ୍ର ) :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସେହି ଅଂଚଳର ପେନାଗିରୀ ଛକ ନିକଟରୁ ଗୁରୁବାର ଦିନ ଗୋଟିଏ ଟାଟା ଇଣ୍ଡିଗୋ କାର ଭିତରୁ ଦୁଇଟି ବସ୍ତାରେ ୫୦ କିଗ୍ରା ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି । ସୁଚନା ଅନୁସାରେ ଆଜି ଫିରିଙ୍ଗିଆ ଥାନା ପୋଲିସ କୌଣସି ସୁତ୍ରରୁ ଏହି ଗଞ୍ଜେଇ ଚାଲାଣ ହେବାକୁ ଥିବା ଖବର ପାଇ ସେଠାରେ ଗାଡି ସବୁ ତଲାସି କରୁଥିବା ବେଳେ ସେଠାରେ ଗୋଟିଏ ଧଳା ରଙ୍ଗର ଇଣ୍ଡିଗୋ କାର (ଓଆର-୦୨ବିଟି-୧୭୨୬)ଆସିଥିଲା ।

ସେହି ଗାଡିକୁ ତଲାସି କରିବାପରେ ପୋଲିସ ସେଥିରୁ ଏହି ଗଞ୍ଜେଇ ପାଇଥିଲା । ସେହି ଗଞ୍ଜେଇ ବୋଝେଇ କାରକୁ ଏସକଟରେ ନେଇ ଆସୁଥିବା ଏକ ଟିଭିଏସ ଆପାଚେ (ଓଡି-୨୫-ଏଚ ୮୫୮୩)ନମ୍ବର ଥିବା ଏକ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଏହି ସଂକ୍ରାନ୍ତରେ ଏକ ମାମଲା ୭୩/୨୦୨୦ ରୁଜ୍ଜୁକରି ଚାଲାଣର ଅଭିଯୁକ୍ତ ନୟାଗଡ ଜିଲ୍ଲା ଇଟାମାଟି ଅଂଚଳର ଦିଲ୍ଲିପ କୁମାର ସାହୁ(୪୧),ଦେବାଶିସ ସାହୁ(୨୬),ପ୍ରତାପ ବେହେରା(୨୫) ଏବଂ ଫିରିଙ୍ଗିଆ ଥାନା ଅଂଚଳର ବଣ୍ଡଗୁଡା ଅଂଚଳର ଆଲୋକ ନାୟକଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ସେମାନେ ଏହି ଗଞ୍ଜେଇକୁ ନୟାଗଡ ଜିଲ୍ଲାକୁ ଚାଲାଣ କରୁଥିଲେ ବୋଲି ପୋଲିସ ଆଗରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here