ଭଦ୍ରକ : ଭଦ୍ରକ ଜିଲ୍ଲାରେ କୋଭିଡ୍ ୧୯ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ୨୩୧ଟି ଟିଏମ୍ସି(ଟେମ୍ପରାରୀ ମେଡିକାଲ ସେଣ୍ଟର), ୧୦ଟି ସିସିସ(କୋଭିଡ କେୟାର ସେଣ୍ଟର) ଓ ଗୋଟିଏ ସିସିଏଚ୍(କୋଭିଡ୍ କେୟାର ହସ୍ପିଟାଲ)ରହିଛି । ତେବେ ଏପରିସ୍ଥଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟ ପରିସରରେ ଆସୋଲେସନ ସେଣ୍ଟର ଖୋଲାଯିବାକୁ ଆରମ୍ଭରୁ ଅନେକ ବିରୋଧ କରି ଆସୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଭଦ୍ରକର ଯୁବ ସାମାଜିକ କର୍ମୀ ଅଭିନାଷ ଜେନା ଟ୍ୱିଟ୍ କରି ଏହାର ପ୍ରତିବାଦ କରିଥିଲେ ।
ଶ୍ରୀ ଜେନାଙ୍କ ଯୁକ୍ତି ଥିଲା, ଆମ ଜିଲ୍ଲାରେ ୧୨୦ଶଯ୍ୟାର କୋଭିଡ୍ କେୟାର ହସ୍ପିଟାଲ ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ଟିଏମସି ଓ ସିସିସି ରହିଛି । ତେଣୁ ଜିଲ୍ଲା ହସ୍ପିଟାଲରେ କାହିଁକି କରୋନା ସଂଦିUକୁ ରଖାଯାଉଛି (?)ବୋଲି ସେ ପ୍ରଶ୍ନ କରିବା ସହ ଏହା ମେଡିକାଲ କର୍ମଚାରୀ, ରୋଗୀ ଓ ସମ୍ପର୍କୀୟମାନଙ୍କ ପାଇଁ ବିପଦ ବୋଲି ଗତ ଗୁନ୍ ୮ତାରିଖରେ ଟ୍ୱିଟ୍ କରିଥିଲେ । ତେବେ ପ୍ରଶାସନ ଏଦିଗରେ କିଛି ପଦକ୍ଷେପ ନେଲାନି କି ପ୍ରତିକ୍ରିୟା ବି ବ୍ୟକ୍ତ କଲାନି । ଫଳରେ ଗୋଟିଏ ପରେ ଗୋଟିଏ ଏପରିକି ୬ଜଣ କରୋନା ପଜିଟିଭ୍ ଆକ୍ରାନ୍ତ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା ଆସୋଲେସନ ସେଣ୍ଟରରୁ ଚିହ୍ନଟ ହେଲେ । ପରିସ୍ଥିତି ଏପରି ହେଲା, ଗତ ୨୦ତାରିଖରେ ଜିଲ୍ଲା ମୁଖ୍ୟ ଚିକିସିାଳୟର ମେଡିସିନ୍ ଷ୍ଟୋରରେ କାର୍ଯ୍ୟରତ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯଦିଓ ପ୍ରଶାସନ ଏଥିନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନି, ତେବେ ଏକଥା ଦାଣ୍ଡରେ ପଡି ହାଟରେ ଗଡିଲାଣି ।
ଆଉ ସହରାଞ୍ଚଳରେ କରୋନା ଆତଙ୍କରେ ଲୋକେ ଆତଙ୍କିତ ହେଲେଣି । ଆକ୍ରାନ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ଜଣଙ୍କର କୌଣସି କରୋନା ଲକ୍ଷ୍ୟଣ ନଥିଲା ବେଳେ ତାଙ୍କ ସ୍ୱାବ ଟେଷ୍ଟରୁ ପଜେଟିଭ୍ ବାହାରିଛି । ସ୍ୱାସ୍ଥ୍ୟ କର୍ମଚାରୀ ଜଣଙ୍କ ରଜ ଛୁଟିରେ ୩ଦିନ ଗାଁକୁ ଯାଇଥିଲେ ଓ ଗାଁରୁ ଫେରି ସେ ତାଙ୍କ ନିଜ ଆଡୁ ନିଜର ସ୍ୱାବ ପରୀକ୍ଷା ଗତ ୧୭ ତାରିଖରେ କରାଇଥିଲେ । ସ୍ୱାବ୍ ପରୀକ୍ଷା ରିପୋର୍ଟରୁ ତାଙ୍କର ପଜେଟିଭ୍ ଥିବା ଆଜି ଜଣାପଡିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣା ପରେ ହସ୍ପିଟାଲରେ ସାନିଟାଇଜିଂ କରାଯାଇଛି । ତେବେ ଭୟରେ ରୋଗୀ, ରୋଗୀଙ୍କ ସମ୍ପକୀୟମାନେ ପ୍ରମାଦ ଗଣୁଥିବା ବେଳେ କାର୍ଯ୍ୟରତ ଡାକ୍ତରଖାନା କର୍ମଚାରୀମାନେ ଏବେ କରୋନା ଭୟରେ ଭୟଭୀତ । ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସବୁ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଗଲେ ଏହି ସଂଖ୍ୟା ବଢିବ ବୋଲି ଆଶଂକା ପ୍ରକାଶ ପାଇଛି ।
ସାଧାରଣ ରୋଗୀମାନେ ଏବେ ଜିଲ୍ଲା ହସ୍ପିଟାଲକୁ ଯିବାକୁ ଉଚିତ ମଣୁନାହାନ୍ତି । ଆସୋଲେସନ ସେଣ୍ଟର ଖୋଲିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ସୁରକ୍ଷା ପାଇଁ ସିଡିଏମଓଙ୍କ ଦପ୍ତର ଓ ଅନ୍ୟ ଓ୍ୱାର୍ଡ ସମ୍ମୁଖରେ ବାଉଁଶରେ ବ୍ୟାରିକେଟ କରିଛନ୍ତି ସତ । ହେଲେ ସାଧାରଣ ରୋଗୀ ଓ ସେମାନଙ୍କ ସମ୍ପକୀୟଙ୍କ କଥାକୁ ଗୁରୁତ୍ୱ ଦେଇନଥିବା କଥା ଅଭିଯୋଗ କରିଛନ୍ତି ଆଇନଜୀବୀ ଶିବପ୍ରସାଦ ମହାନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସିାଳୟର ପ୍ରବେଶ ପଥ ଓ ପ୍ରସ୍ଥାନ ଗୋଟିଏ ରାସ୍ତାରେ । ପୁଣି କରୋନା ପାଇଁ ଖୋଲାଯାଇଥିବା ଆସୋଲେସନ ଓ୍ୱାର୍ଡକୁ ଯିବା ରାସ୍ତା, ସିଡି ବି ଗୋଟିଏ । ତେଣୁ ସହଜରେ ସଂକ୍ରମଣ ହେବା ନିଶ୍ଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପ୍ରଶାସନ ଉପରୋକ୍ତ ସମସ୍ୟା ଗୁଡିକ ପ୍ରତି କିଛି ସତର୍କତାମୂଳକ ପଦକ୍ଷେପ ହାତକୁ ନେବାର ଥିଲା ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଏବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ୧୯୭ରେ ପହଞ୍ଚିଛି । ଆଉ ଜିଲ୍ଲା ହସ୍ପିଟାଲର ଜଣେ କର୍ମଚାରୀ ଆକ୍ରାନ୍ତ ହେବା ପରେ ଏବେ ରୋଗୀ, ରୋଗୀ ସମ୍ପର୍କୀୟ ଓ ମେଡିକାଲ କର୍ମଚାରୀମାନଙ୍କ ମଧ୍ୟରେ ଅସମ୍ଭବ ଭୟ ସଂଚାର ହୋଇଛି, ଏକଥା ଆଦୌ ଅମୂଳକ ନୁହେଁ ବୋଲି ଆଲୋଚନା ହେଉଛି ।