Odisha news

ଗୋପରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ସାଙ୍ଗରୋଧ ରେ ପରିବାରର ୯ ସଦସ୍ୟ

0

ଗୋପ : ଗୋପରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ବିଧିବଦ୍ଧ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା ହୋଇଛି । ଗୋପ ବ୍ଲକ୍ ଅଧିନ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ୬୦ ବର୍ଷର ଜୈନିକ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଏହି ପଞ୍ଚାୟତର କେତେକ ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବାବେଳେ ସଂପୃକ୍ତ ଗ୍ରାମକୁ ଯାତାୟତ କରିବାରେ ପ୍ରତିବନ୍ଧକ ଲଗାଯାଇଛି ।

ଯେପରି କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରୁ ବାହାରୁ ନଆସନ୍ତି ଓ ବାହାରର କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳକୁ ପ୍ରବେଶ ନକରନ୍ତି ଏହା ଉପରେ ତୀକ୍ଷ୍ନ ନଜର ରଖାଯାଇଥିବାବେଳେ କରୋନାରେ ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କ ପରିବାରର ୯ ଜଣ ସଦସ୍ୟଙ୍କୁ ପଞ୍ଚାୟତ କ୍ୱାରେନ୍ଟାଇନ୍ କେନ୍ଦ୍ରରେ ସଂଗରୋଧ ଭାବେ ରଖାଯାଇଥିବା ସରପଞ୍ଚ ବନରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗୋପ ବ୍ଲକ୍ ଅଧିନ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ଆଳିଚର ଗାଁରେ ବୃଦ୍ଧ ଜଣଙ୍କ ଏକ ତେଜରାତି ଦୋକାନ କରିଥିବାବେଳେ ଚୋକଡ଼ ବ୍ୟବସାୟ କରିଆସୁଥିଲେ ।

ଗତ ଗୁରୁବାର ଦିନ ବୃଦ୍ଧ ଜଣଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସ୍ଥାନୀୟ ନିମାପଡ଼ା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ବୃଦ୍ଧ ଜଣଙ୍କ ଏମ୍ସରେ ଚିକିତ୍ସ୍ୟlଧିନ ଅବସ୍ଥାରେ ମୃତୁ୍ୟବରଣ କରିଥିଲେ । ମାତ୍ର ମୃତ୍ୟୁ ପରେ ଶବ ବ୍ୟବଚ୍ଚେଦ କରାଯିବା ସହ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଏଥିରେ ସେ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା । ଏ ନେଇ ଗ୍ରାମରେ ସୂଚନା ପହଞ୍ଚବା ପରେ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳି ଯାଇଥିବାବେଳେ କୌଣସି ବାହାର ଟ୍ରାଭେଲ୍ ହିଷ୍ଟ୍ରି ନଥାଇ ବୃଦ୍ଧ ଜଣଙ୍କ କିଭଳି କୋରନା ଆକ୍ରାନ୍ତ ହେଲେ ତାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ତେବେ ଏନେଇ ଜିଲା ପ୍ରଶାସନ ପକ୍ଷରୁ ଆଦେଶ ସଂଖ୍ୟା ୪୩୮୫ରେ ଶନିବାର ରାତି ୭ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଣ୍ଢରା ଇଚ୍ଛାପୁର ଗାଁ ରାସ୍ତା ଠାରୁ ଅଣ୍ଢରା ବଡ଼ମଠ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବାବେଳେ ଅଣ୍ଢରା ବଡ଼ ମଠ ଛକଠାରୁ ଅଣ୍ଢରା ଇଚ୍ଛାପୁର ଗାଁ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଏକ ସ୍କେଚ୍ ଜାରି କରାଯାଇଛି । ସଂପୃକ୍ତ ବୃଦ୍ଧଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂପର୍କରେ ଜିଲା ପ୍ରଶାସନ ପକ୍ଷରୁ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତରେ ପ୍ରଥମ କରୋନା ମୃତୁ୍ୟ ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ସଂପୃକ୍ତ ପଞ୍ଚାୟତରେ ଅଗ୍ନିସମ ବିଭାଗର ଏକ ଟିମ୍ ପହଞ୍ଚô ବିଭିନ୍ନ ଗାଁଗୁଡ଼ିକ ସାନିଟାଇଜର କରିଛନ୍ତି । ତେବେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ଅଞ୍ଚଳ ଗୁଡ଼ିକ ଉପରେ ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ, ତହସିଲଦାର ପୃଥିରାଜ ମଣ୍ଡଳ ତୀକ୍ଷ୍ନ ନଜର ରଖିଛନ୍ତି । ସେହିପରି ଅଣ୍ଢରା ଇଚ୍ଛାପୁର ସରପଞ୍ଚ ବନରଞ୍ଜନ ପଟ୍ଟନାୟକ ନିଷିଦ୍ଧାଞ୍ଚଳର ଯେପରି କୌଣସି ବ୍ୟକ୍ତି ବାହାରକୁ ନଆସନ୍ତି କିମ୍ବା ନିଷିଦ୍ଧାଞ୍ଚଳକୁ କୌଣସି ବ୍ୟକ୍ତି ଅବାଧ ପ୍ରବେଶ ନକରନ୍ତି ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା କହିଛନ୍ତି ।

Govt
Leave A Reply