Odisha news

ସମୁଦ୍ରରେ ଭାସି ଯାଉଥିବା ୩ ଜାହାଜ କର୍ମଚାରୀ ଉଦ୍ଧାର

0

ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମାଲ୍ଟା ଫ୍ଲାଗ୍ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ‘ଓସନ ସେଂଚୁରୀ’ ନାମକ ଜାହାଜ ଆଙ୍କରେଜ୍ରେ ଅପେକ୍ଷା କରିଥିଲା । ତେବେ କୌଣସି କାରଣୁ ଜାହାଜର ତିନି ଜଣ ବାଂଲାଦେଶୀ ନାବିକ ସମୁଦ୍ର ମଧ୍ୟକୁ ଖସି ପଡ଼ିଥିଲେ । ଲଘୁଚାପ ଯୋଗୁଁ ଅଶାନ୍ତ ଥିବା ସମୁଦ୍ରରେ ଏହି ତିନି ଜଣ ଯାକ ଭାସିଯାଇଥିଲେ । ଭାସିଯାଉଥିବା ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଇଲେକ୍ଟ୍ରିକାଲ, ଦୁଇ ଜଣ ସେକେଣ୍ଡ ଓ ଥାର୍ଡ ଇଂଜିନିୟର ଅଟନ୍ତି ।

ଏହି ଖବର ପ୍ରଚାର ହୋଇଯିବା ପରେ ପାରାଦୀପ ବନ୍ଦର ହାର୍ବର ମାଷ୍ଟର କ୍ୟାପଟେନ୍ ଅଲେଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ତୁରନ୍ତ ପଦକ୍ଷେପ ନେଇଥିଲା । ବନ୍ଦର ପାଟ୍ରୋଲିଂ କ୍ରାଫ୍ଟ, ଟଗ୍ ବୋଟ୍କୁ ସେଠାକୁ ପଠାଯାଇଥିଲା । ଆଜି ଅପରାହ୍ନରେ ଲଗାଣ ବର୍ଷା ବିତ୍ପାତ ଓ ସମୁଦ୍ର ଅଶାନ୍ତ ଥିବା ସତ୍ତ୍ୱେ ଉଦ୍ଧାରକାରୀ ଟିମ୍ ଭାସିଯାଉଥିବା ଏହି ନାବିକମାନଙ୍କୁ ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାରୁ ଛଡ଼ା ଯାଇଥିଲା । ବନ୍ଦର ଉପସଂରକ୍ଷକ କ୍ୟାପଟେନ୍ ଅତୁଲ୍ୟ କୁମାର ମହାପାତ୍ର, ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୁଃସାହାସିକ ପଦକ୍ଷେପର ପ୍ରଶଂସା କରିଛନ୍ତି । ଏହାକୁ ନେଇ ପାରାଦୀପରେ ଜୋରଦାର ଚର୍ଚ୍ଚା ହୋଇଛି ।

Leave A Reply