ପାରାଦୀପ- ପାରାଦୀପ ଶିଳ୍ପାଞ୍ଚଳର ଅଗ୍ରଣୀ ଶ୍ରମିକ ସଂଗଠନ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ମଇ ୧ ତାରିଖ ସୋମବାର ଦିନ ପ୍ରାତଃ ସମୟରେ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରାଯାଇଥିଲା। ପରେ ପରେ ଅଠର ବାଙ୍କୀ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ବାଲିଝରା ସ୍ଥିତ ସନ୍ତୋସି ଜରାଶ୍ରମ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ଯୋଗାଣ କରାଯାଇଥିଲା। ପୂର୍ବାହ୍ନରେ ଜିରୋ ପଏଣ୍ଟ ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଶ୍ରମିକ ସଂଘ ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ମେଟ୍ରୋ ଟିଭି ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ସାମନ୍ତରାୟ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ମାନବିକ ଅଧିକାର କମିଶନ ସଦସ୍ୟ ଶ୍ରୀ ମନୋଜ କୁମାର ଜେନା ,ସମ୍ମାନିତ ଅତିଥି ଭାବରେ ପରିଦର୍ଶକ ସମ୍ପାଦକ ବାବା ଲାଲାତେନ୍ଦୁ କେଶରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ ,ଗଣଅଧିକାର ସମ୍ପାଦକ ଚିତ୍ତ ସ୍ୱାଇଁ ,ସମାଜସେବୀ ବିକ୍ରମ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ନିମନ୍ତ୍ରିତ ଅତିଥି ମାନେ ବିଶ୍ୱ ଶ୍ରମିକ ଦିବସ ପାଳନର ତାପ୍ତର୍ଯ୍ୟ ଏବଂ ପାରାଦୀପରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଶୋଷଣ କଷଣ ଏବଂ ଏହାର ପ୍ରତିକାର ନିମନ୍ତେ ଶ୍ରମିକ ସଂଘର ଆବଶ୍ୟକତା ସମ୍ପର୍କରେ ମୂଲ୍ୟବାନ ମତାମତ ଦେଇଥିଲେ।
ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସ୍ମରଣ କରି କହିଲେ ଯେ ,ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ପାରାଦୀପ ବନ୍ଦର ପ୍ରତିଷ୍ଠା ହେଲା ଏବଂ କାଳକ୍ରମେ ବନ୍ଦର ଭିତ୍ତିକ କଳ କାରଖାନା ପ୍ରତିଷ୍ଠା ହେବାରୁ ପାରାଦୀପ ଆଜି କର୍ମ ନିଯୁକ୍ତି ଓ ଆତ୍ମ ନିଯୁକ୍ତିର ଏକ ଶ୍ରେଷ୍ଠ ସ୍ଥାନ ପାଲଟି ଯାଇଛି।ସେହିପରି ତାଙ୍କର ସୁପୁତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ସ୍ଥାନୀୟ ଯୁବକ ଯୁବତୀ ମାନେ ଏଠାରେ ନିଜକୁ ରୋଜଗାରକ୍ଷମ କରି ପାରୁଛନ୍ତି। ତେଣୁ ସ୍ବର୍ଗତ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଯୋଗୁ ପାରାଦୀପ ଆଜି ଶିଳ୍ପାଞ୍ଚଳରେ ପରିଣତ ହୋଇଛି। ଏହି ଅବସରରେ ଅସହାୟ ଗରିବ ଶ୍ରମିକ ଓ କୃଷକ ତଥା ବୟସ୍କ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ମାସିକ ଭତ୍ତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ଏହି ସଭାରେ ଶ୍ରମିକ କୃଷକଙ୍କ ସମେତ ସମାଜସେବୀ ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଶ୍ରୀ ନିରଞ୍ଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।