ବେଲଗୁଣ୍ଠା : ଖୋଲିଲା ବାଲାଟ୍ ବାକ୍ସ , ସନ୍ଧ୍ୟା ସୁଦ୍ଧା 47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସମେତ ଚାରି ପଂଚାୟତରେ ବିଜେଡ଼ି ଆଗୁଆ ଦୁଇଟିରେ ବିଜେପି
ବେଲଗୁଣ୍ଠା, 26/07, ଆଜି ରାଜ୍ୟରେ ଖୋଲିଛି ଭୋଟ ପେଡ଼ି I ସାରା ରାଜ୍ୟରେ ଗଣତିର ପ୍ରଥମ ଦିନ ଯାଇଛି ବିଜେଡ଼ି ସପକ୍ଷରେ I ସେହିପରି ଆଜି ବେଲଗୁଣ୍ଠା ବ୍ଳକ୍ ର 47 ନମ୍ବର୍ ଜିଲ୍ଲାପରିଷଦ ସମେତ ଏହି ଜୋନ୍ ଅନ୍ତର୍ଗତ ବଡ଼ବୋର୍ସିଂ, , ବେଣୀପଲ୍ଲୀ,ଗୋବରା, ନେଟଙ୍ଗା ପଂଚାୟତ ,ବଡ଼ପଡ଼ା ଓ ଇଙ୍ଗିନାଠି ସରପଞ୍ଚ,ସମିତିସଭ୍ୟ ଏବଂ ୱାର୍ଡ଼୍ ସଭ୍ୟଙ୍କ ପାଇଁ ଗଣତି ଚାଲିଛି I ଆଜି ସକାଳ 6 ଘଣ୍ଟା ତିରିଶ ମିନିଟ ସମୟରେ ବେଲଗୁଣ୍ଠା ନିର୍ବାଚନ ଅଧିକାରୀ ତଥା ବିଡିଓ ଶଶି ଭୂଷଣ ମହାପାତ୍ର ସମସ୍ତ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଭିତରକୁ ଛାଡ଼ିଥିଲେ I ପରେ ଭିଡ଼ିଓ ସୁଟିଂ ସହ ସମସ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ ଖୋଲାଯାଇଥିଲା I ସକାଳ ଆଠଟା ବେଳେ ଗଣତି ଆରମ୍ଭ ହୋଇଥିଲା I ଏହି ଗଣତିରେ ସନ୍ଧ୍ୟା ସାତଟା ସୁଦ୍ଧା ବିଜେଡ଼ି 47 ନମ୍ବର୍ ଜୋନ୍ ଜିଲ୍ଳା ପରିଷଦ ସମେତ ପାଞ୍ଚଟି ପଂଚାୟତରେ ବିଜେଡ଼ି ଆଗୁଆ ଥିବା ଜଣାପଡ଼ିଛି I
ସୂଚନା ପ୍ରକାରେ ସନ୍ଧ୍ୟା ସାତଟା ସୁଦ୍ଧା ଏହି ଜୋନ୍ ରେ ଜିଲ୍ଲାପରିଷଦ ସଭ୍ୟା ଭାବେ ପ୍ରତିଦ୍ଵନ୍ଦ୍ୱିତା କରୁ୍ଥିବା ବିଜେଡି଼ ପ୍ରାର୍ଥିନୀ ପୂର୍ଣ୍ଣବାସୀ ନାୟକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱି ବିଜେପି ପ୍ରାର୍ଥିନୀ ଗାୟତ୍ରୀ ରାଉତଙ୍କ ଠାରୁ 3790 ଖଣ୍ଡ ଅଧିକା ଭୋଟ ପାଇ ଆଗୁଆ ଅଛନ୍ତି I ସେହିପରି କଂଗ୍ରେସ୍ ପ୍ରାର୍ଥୀ ବାସନ୍ତୀ ପଣ୍ଡା ଏବଂ ବି.ଏସ୍.ପି. ପ୍ରାର୍ଥୀ ମିନତୀ ନାଇକ କେଉଁଠି ମଧ୍ୟ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟକ ଭୋଟ ପାଇବାରେ ସକ୍ଷମ ହୋଇନାହାନ୍ତି I ପ୍ରଥମ କରି ବେଣୀପଲ୍ଲୀ ପଂଚାୟତର ସମସ୍ତ 12 ୱାର୍ଡ୍ ର ଗଣତି ସରିଥିବା ବେଳେ ସରପଞ୍ଚ ପ୍ରାର୍ଥୀ ଦୁର୍ଗାମାଧବ ନାୟକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି କଲ୍ୟାଣୀ ବିଶ୍ୱାଳଙ୍କ ଠାରୁ 397 ଭୋଟ ଅଧିକା ପାଇ ବିଜୟୀ ହୋଇଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀନୀ ମମତା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ଗୀତାଞ୍ଜଳି ନାୟକଙ୍କ ଠାରୁ 350 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି I ଦୁର୍ଗାମାଧବ 1200 ଭୋଟ ପାଇଥିବା ବେଳେ କଲ୍ୟାଣୀ ବିଶ୍ୱାଳ 803 ଖଣ୍ଡ ଭୋଟ ପାଇଛନ୍ତି I ମମତା ମହାନ୍ତି 1165 ଭୋଟ ପାଇଥିବା ବେଳେ ଗୀତାଞ୍ଜଳି ନାୟକ 815 ଭୋଟ ପାଇଛନ୍ତି I
ସେହିପରି ବଡ଼ବୋର୍ସିଂ ପଂଚାୟତରେ 23 ୱାର୍ଡ୍ ମଧ୍ୟରୁ 12 ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଏସ୍ ରାମେଶ୍ୱର ପାତ୍ର ପାତ୍ର ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱି ବିଘ୍ନ ରାଜ୍ ସ୍ଵାଇଁଙ୍କ ଠାରୁ 470 ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ସମିତିସଭ୍ୟା ପ୍ରାର୍ଥିନୀ ମମତା ଭୋଳ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ମନୁ ସ୍ଵାଇଁଙ୍କ ଠାରୁ 460 ଖଣ୍ଡ ଅଧିକ ଭୋଟ ପାଇ ଆଗୁଆ ଅଛନ୍ତି I ଗୋବରା ପଂଚାୟତର 16 ଟି ୱାର୍ଡ ମଧ୍ୟରୁ 11 ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସୁପ୍ରଭା ନାୟକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ନିରାକାର ନାୟକଙ୍କ ଠାରୁ ତିନିଶହ ଚାଳିଶି ଭୋଟରେ ଆଗୁଆ ଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ବିଭୂପାଦ ଜେନା ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱି ସାନୁଜ ସ୍ଵାଇଁଙ୍କ ଠାରୁ 155 ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି I ଇଙ୍ଗିନାଠି ପଂଚାୟତର 16 ରାଉଣ୍ଡ୍ ମଧ୍ୟରୁ 12 ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ସରପଞ୍ଚ ପ୍ରାର୍ଥୀ ତ୍ରିନାଥ ଗୋଛାୟତ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ଶୁକଦେବ ସ୍ଵାଇଁଙ୍କ ଠାରୁ 87 ଭୋଟରେ ଆଗୁଆ ଥିବା ବେଳେ ସମିତିସଭ୍ୟା ପ୍ରାର୍ଥୀନୀ ସୁମତି କୁମାରୀ ପରିଡ଼ା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ବିନ୍ଦୁ ଜେନାଙ୍କ ଠାରୁ 82 ଭୋଟ ଅଧିକା ପାଇ ଆଗୁଆ ଅଛନ୍ତି I
ନେଟଙ୍ଗା ପଂଚାୟତର 12 ଟି ୱାର୍ଡ୍ ମଧ୍ୟରୁ 8 ରାଉଣ୍ଡ୍ ଗଣତି ଶେଷ ସୁଦ୍ଧା ସରପଞ୍ଚ ପ୍ରାର୍ଥୀନୀ ସୁପ୍ରଭା ଗୌଡ଼ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ସରୋଜିନୀ ଲେଙ୍କାଙ୍କ ଠାରୁ 700 ଭୋଟ ରେ ଆଗୁଆ ଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ରାଜୀବ୍ ଲୋଚନ ନାଇକ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ଅମୂଲ୍ୟ ନାଇକଙ୍କ ଠାରୁ 680 ଭୋଟରେ ଆଗୁଆ ଅଛନ୍ତି I ବଡ଼ପଡ଼ା ପଞ୍ଚାୟତର 14 ୱାର୍ଡ୍ ମଧ୍ୟରୁ 8 ରାଉଣ୍ଡ ସୁଦ୍ଧା ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ସାହୁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ଗୀତାଞ୍ଜଳି ସାହୁଙ୍କ ଠାରୁ 390 ଭୋଟରେ ଆଗୁଆ ଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ପୀତବାସ ସାହୁ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ୱି ଶରତ୍ ସ୍ଵାଇଁଙ୍କ ଠାରୁ 350 ଖଣ୍ଡ ଭୋଟ ରେ ଆଗୁଆ ରହିଛନ୍ତି I ଗଣତି ଶେଷ ହେବା ବେଳକୁ ରାତି 12 ଟା ବାଜିବ ବୋଲି ଜଣାପଡ଼ିଛି I ଗୋଟିଏ ଗୋଟିଏ ବୁଥ୍ ଗଣତି ପାଇଁ ପାଖାପାଖି ଘଣ୍ଟାଏ ରୁ ଦେଢ଼ ଘଣ୍ଟା ଲାଗୁଥିବାରୁ ଗଣତି ବିଳମ୍ବ ହେଉଥିବା ଜଣାପଡିଛି I ଆଜିର ଏହି ଗଣତି ସମୟରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ଳାଟୁନ୍ ଫୋର୍ସ ମୁତୟନ ହେବା ସହ ଭଞ୍ଜନଗର ଆଡିସନାଲ୍ ଏସ୍.ପି ବିଜୟ ମଲ୍ଲିକ, ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନସ ମହାପାତ୍ର ଘଟଣା ସ୍ଥଳରେ ଉପସ୍ଥିତ ରହି ଗଣତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି I ନିର୍ବାଚନ ଅଧିକାରୀ ତଥା ବେଲଗୁଣ୍ଠା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ଶୃଙ୍ଖଳିତ ଭାବେ ଭୋଟ ଗଣତିରେ ସହଯୋଗ କରୁଛନ୍ତି I ବେଲଗୁଣ୍ଠା ତହସିଲଦାର ଦାୟିତ୍ୱ ରେ ଥିବା ଧରଣୀ ଧର୍ ବେହେରା ଏବଂ ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ଅଛନ୍ତି I ବର୍ତ୍ତମାନ ସୁଦ୍ଧା ଗଣତି ଶାନ୍ତି ଶୃଙ୍ଖଳା ରେ ଚାଲିଛି I