Odisha news

ବଡଚଣା : ଭୋଟ ଗଣତି ପୂର୍ବରୁ କିଏ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ହେବ ତା’କୁନେଇ ଡିଲ

0
ଚଣ୍ଡିଖୋଲ,୨୪/୨ :  ଯାଜପୁର ଜିଲ୍ଲାର ସବୁଠାରୁ ସ୍ପର୍ଶକାତର ବ୍ଳକଭାବେ ଜଣାସୁଣା ବଡଚଣା ବ୍ଳକରେ ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନର ପରବର୍ତ୍ତୀ ସ୍ଥିତିକୁ ନେଇ ଏବେ ପରିସ୍ଥିତି ସରଗରମ ହୋଇଛି! ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ହୋଇନଥିଲେ ମଧ୍ୟ କେତେକ ପ୍ରାର୍ଥୀ ନିଜକୁ ନିଜେ ବିଜୟୀବୋଲି ମନେକରି ସେ କିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ହାତେଇବେ ତାକୁନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି! ଏପରିକି ଏହି ପଦବୀକୁ ଯେନତେନ ପାଇବା ପାଇଁ ଦଳୀୟ ନେତାଙ୍କ ଠାରୁ ଆରମ୍ଭକରି ବିଜୟୀ ସମ୍ଭାବନା ଥିବା ସମିତି ସଭ୍ୟ/ସଭ୍ୟା ପ୍ରାର୍ଥୀଙ୍କ ସହ ବଡଧରଣର ଡିଲ ଆରମ୍ଭ କରୁଥିବା ଆଲୋଚନା ଯୋର ଧରିଛି! ବିଶେଷକରି ବିଜେଡିରେ ବିଧାୟକଙ୍କ ସମର୍ଥିତ ଚାରିଜଣ ଆଶାୟୀ ଅଧ୍ୟକ୍ଷ ପଦ ହାତେଇବା ପାଇଁ କଳ କୌଶଳ ଲଗାଇ ଚେଷ୍ଟା ଜାରୀରଖିଥିଲା ବେଳେ ଶାସକ ଦଳର ଆଉ ଏକ ଶକ୍ତିଶାଳୀ ତଥା ଅଦୃଶ୍ୟ ଶକ୍ତି ଏହି ପଦବୀକୁ ନିଜ ଅକ୍ତିଆରରେ ରଖି ନିଜର ରାଜନୈତିକ ଫାଇଦା ଉଠାଇବାକୁ ପାଗଭିଡିଛନ୍ତି! ଏଠାରେ ଉପରକୁ ଶାସକ ଦଳରେ ଦୁଇଗୋଷ୍ଠୀ ଥିବା ଜଣାପଡୁ ନଥିଲେ ବି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀକୁ ନିଜ ନିଜ ଅକ୍ତିଆରରେ ରଖିବାକୁ ନେଇ ଭିତରେ ଭିତରେ ଗୋଷ୍ଠି ବିବାଦ ଯେ, ଉଗ୍ର ତାହା ଜଳ ଜଳ ହୋଇ ଦେଖା ଯାଉଛି! ଏହି ମଉକାରେ ବିଜେପି ସମର୍ଥିତ ନିଜ ଅନୁଗତ ଦୁଇଜଣ ଆଶାୟୀଙ୍କୁ ଉକ୍ତ ପଦବୀରେ ବସାଇବା ପାଇଁ ନିର୍ବାଚନ ମଣ୍ଡଳୀର ଦଳୀୟ ନେତା ମନସ୍ତକରି ଗୋଟି ଚାଳନା କରୁଥିଲା ବେଳେ ସେହି ଦଳର ଆଉ ଗୋଟିଏ ଗୋଷ୍ଠୀ ସ୍ୱାମୀ ପଛେ ମରୁ କିନ୍ତୁ ସଉତୁଣୀ ରାଣ୍ଡ ହେଉ ନିତିକୁ ଆପଣେଇ ନିର୍ବାଚନ ମଣ୍ଡଳୀ ନେତାଙ୍କ ଗୋଟିଚାଳନାକୁ ଯେନତେନ ଭଣ୍ଡୁର କରିବାକୁ ଉଦ୍ୟମ ଆରମ୍ଭ କରୁଥିବା ଆଲୋଚନା ହେଉଛି! ଉଭୟ ଦଳର ଏପରି ଛକାପନଝା ସ୍ଥିତିକୁ ଦେଖି ଅଧ୍ୟକ୍ଷ ପଦ ହାତେଇବା ପାଇଁ କେତେକ ଆଶାୟୀ କିଛିବି ଅନୈତିକ ପନ୍ଥା ଆପଣେଇବା ପାଇଁ ଏବେଠାରୁ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ସହିତ ବଡ ଡିଲ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ଭୋଟ ଗଣତି ଓ ଫଳାଫଳ ଘୋଷଣା ପୂର୍ବରୁ ବିଜୟୀ ସମ୍ଭାବନା ଥିବା କିଛି ସମିତି ସଭ୍ୟ/ସଭ୍ୟା ପ୍ରାର୍ଥୀଙ୍କୁ ଅଗ୍ୟାନ୍ତବାସକୁ ନେଇଯିବା ନେଇ ଏଠାରେ ଚର୍ଚ୍ଚା ଯୋର ଧରିଛି!
Leave A Reply