Odisha news

ଭାରତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନରେ ବିରୋଧୀ ଦଳ : ମରିୟମ କହିଲେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ

0

ଇସ୍‌ଲାମାବାଦ: ଭାରତର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କଲେ ପାକିସ୍ତାନରେ ବିରୋଧୀ ଦଳର ନେତ୍ରୀ ମରିୟମ ନୱାଜ। ଇମ୍ରାନଙ୍କ ପ୍ରଶଂସା ଶୁଣି ମରିୟମ କହିଛନ୍ତି ଯେ ଯଦି ସେ ପଡୋଶୀ ଦେଶକୁ ଏତେ ପସନ୍ଦ କରନ୍ତି ତେବେ ସେଠାକୁ ଯିବା ଉଚିତ। ପାକିସ୍ତାନ ଭାରତଠାରୁ ଆତ୍ମଗୌରବ ଶିଖିବା ଉଚିତ ବୋଲି ଇମ୍ରାନ କହିବା ପରେ ପାକିସ୍ତାନ ମୁସଲିମ ଲିଗ-ନୱାଜଙ୍କ (ପିଏମଏଲ-ଏନ) ଉପାଧ୍ୟକ୍ଷ ମରିୟମ ଏଭଳି ମନ୍ତବ୍ୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଖାନ ଶୁକ୍ରବାର ରାତିରେ ଦେଶକୁ ଦେଇଥିବା ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମ ପଡୋଶୀ ଦେଶ ଭାରତର ଆଭିମୁଖ୍ୟକୁ କୌଣସି ଦେଶ ପ୍ରଶ୍ନ କରିପାରିବ ନାହିଁ। ଭାରତ ନିଜ ସା‌ର୍ବଭୌମତ୍ବ ରକ୍ଷା କରିବାକୁ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ବିଦେଶ ନୀତି ଆପଣାଉଛି ତାହା ପ୍ରଶଂସନୀୟ। ନିଜ ଆତ୍ମଗୌରବ ରକ୍ଷା କରିବାକୁ ସବୁବେଳେ ଚେଷ୍ଟା କରି ଆସୁଛି। ତେଣୁ ପାକିସ୍ତାନ ଭାରତଠାରୁ ଆତ୍ମଗୌରବ ଶିଖିବା ଉଚିତ।

ଇମ୍ରାନଙ୍କ ମୁହଁରୁ ଭାରତର ଏଭଳି ପ୍ରଶଂସା ଶୁଣି ମରିୟମ କହିଛନ୍ତି ଯେ, ଇମ୍ରାନଙ୍କ ମୁଣ୍ଡ ଖରାପ ହୋଇଯାଇଛି। ଯଦି ଆପଣ ଭାରତକୁ ବହୁତ ପସନ୍ଦ କରନ୍ତି, ତାହେଲେ ପାକିସ୍ତାନ ଛାଡ଼ି ସେଠାକୁ ଚାଲିଯାଆନ୍ତୁ।

ତେବେ ଏହା ପ୍ରଥମ ଥର ନୁହେଁ, ବିରୋଧୀ ଦଳଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ ସପ୍ତାହରେ ମଧ୍ୟ ଭାରତର ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ।

Leave A Reply