Odisha news

ନୟାଗଡ଼ : ଛକିଛି ପୋଲିସ୍ , ଦିନ ଦ୍ୱିପ୍ରହରେ ଡକାୟତି କରି ଛୁ ମାରିଲେ ଡକାୟତ ଦଳ

0

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ଓ ନିକଟସ୍ତ ଡମସାହି ଛକରେ ମଙ୍ଗଳବାର ଦିନ ଦୁଇ ଦୁଇ ସ୍ଥାନରେ ଡକାୟତି ହୋଇଛି । ତାହା ପୁଣି ଦିନ ୨ଟା ମଧ୍ୟରେ । ଡକାୟତ ଦଳ ନଗଦ ୧ଲକ୍ଷ ଟଙ୍କା ସହ ୫ଲକ୍ଷରୁ ଅଧିକ ମୂଲ୍ୟର ସୁନା ଓ ରୁପା ଗହଣା ଲୁଟି ନେବାରେ ସଫଳ ହୋଇଛନ୍ତି । ବାଇକ୍ ରେ ଆସି ଡକାୟତ ମାନେ ଗୋଡ଼ିପଡ଼ା ବଜାରରେ ବୋମା ଫୁଟାଇ ଏକ ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା ଲୁଟି ନେଲେ । ଫେରିବା ରାସ୍ତାରେ ଏକ ପେଟ୍ରୋଲ ପମ୍ପ୍ରୁ ମଧ୍ୟ ନଗଦ ଟଙ୍କା ଲୁଟି ନେଇଥିବା ପୋଲିସ୍ ରେ ଅଭିଯୋଗ ହୋଇଛି । ଡକାୟତ ଦଳକୁ ଧରିବା ପାଇଁ ପୋଲିସ୍ ଛେକି ରହିଥିଲେ ମଧ୍ୟ ଡକାୟତି ସାରି ଡକାୟତ ଦଳ ଛୁ ମାରିବାରେ ସଫଳ ହେବା ସାଧାରଣରେ ଚିନ୍ତାର କାରଣ ହୋଇଛି ।

ମଙ୍ଗଳବାର ବାର ଅପରାହ୍ନ ପ୍ରାୟ ୨ଟା ସମୟ ମଧ୍ୟରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଏବଂ ରଣପୁର ଥାନା ଡମସାହି ଛକର ଦୁଇଟି ସ୍ଥାନରେ ଡକାୟତି ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଦିନଦ୍ଦ୍ୱିପ୍ରହରରେ ଡକାୟତ ଦଳ ଏକ ବାଇକ୍ ରେ ଆସି ଗୋଡ଼ିପଡ଼ା ଫାଣ୍ଡି ନିକଟସ୍ଥ ବଜାରରେ ବୋମା ଫୁଟାଇଥିଲେ । ଘଟଣା ସଂପର୍କରେ କିଛି ବୁଝିବା ପୂର୍ବରୁ ଡକାୟତ ଦଳ ଫାଙ୍କା ଗୁଳି ଚଳାଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ । ପରେ ଛକର ଏକ ଜୁଏଲାରୀ ଦୋକାନରୁ ବନ୍ଧୁକ ମୁନରେ ଡକାୟତମାନେ ପାଖାପାଖି ୨୫୦ ଗ୍ରାମର ଓଜନର ସୁନା ଗହଣା ଓ ୫ କିଲୋ ଓଜନର ରୁପା ଲୁଟି ନେଇଥିବା ଜୁଏଲାରୀ ମାଲିକ ହରିହର ସାହୁଙ୍କ ଅଭିଯୋଗରୁ ଜଣାଯାଇଛି । ଜନଗହଳି ପୂର୍ଣ୍ଣ ଗୋଡ଼ିପଡ଼ା ବଜାର ଉପରେ ପୋଲିସ୍ ଫାଣ୍ଡି ରହିଥିଲେ ମଧ୍ୟ ଡକାୟତ ଦଳ ବେପରୁଆ ଭାବେ ଏଭଳି ଅପରାଧିକ କାର୍ଯ୍ୟ ଘଟାଇ ଫେରାର ହୋଇ ଯିବାରେ ସକ୍ଷମ ହୋଇଥିଲେ ।

ଡକାୟତ ଦଳ ଫେରିବା ରାସ୍ତାରେ ଡମସାହି ଛକ ନିକଟସ୍ଥ ଏକ ପୋଟ୍ରୋଲ ପମ୍ପ୍ ରେ ପସି କର୍ମଚାରୀଙ୍କୁ ମାରଣାସ୍ତର ଦେଖାଇ ପ୍ରାୟ ୧ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ୍ ବ୍ୟବସ୍ଥାକୁ ଡକାୟତ ଦଳ ଭୃକ୍ଷେପ ନ କରି ନିଦ୍ୱର୍ନ୍ଦ୍ୱରେ ଦୁଇ ଦୁଇଟି ସ୍ଥାନରେ ଡକାୟତି କରି ୫ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଲୁଟି ନେବା ଘଟଣା ଜନସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଡକାୟତି ସଂପର୍କରେ ଖବର ପାଇ ରଣପୁର ଥାନା, ଶରଣକୁଳ ଥାନା, ଗୋଡ଼ିପଡ଼ା ଫାଣ୍ଡି, ଓ ଦର୍ପନାରାୟଣପୁର ଫାଣ୍ଡି ପୋଲିସ୍ ସଜାଗ ରହିଥିଲା । ହେଲେ ଡକାୟତମାନେ ସଫଳତାର ସହ ଡକାୟତି କରି ଦୁଇ ଦୁଇଟି ଥାନାର ଦୁଇଟି ଫାଣ୍ଡି ଗୋଡ଼ିପଡ଼ା ଓ ଦର୍ପନାରାୟଣପୁର ଫାଣ୍ଡି ଦୁଆର ମୁଁହ ଦେଇ ଚମ୍ପଟ ମାରିବା ସମସ୍ତଙ୍କୁ ବିସ୍ମିତ କରିଛି । ଜିଲ୍ଲା ଅତିରିକ୍ତ ଏସ୍ ପି ବିଦୁ୍ୟତ୍ ରଂଜନ ପଣ୍ଡା, ଶରଣକୁଳ ଏସ୍ଡିପିଓ କିରଣ ହେମ୍ବ୍ରମ୍, ଥାନା ଅଧିକାରୀ ଜୟଦୀପ ମହାନ୍ତି ଏବଂ ରଣପୁର ଥାନା ପୋଲିସ୍ ଘଟଣାର ତଦନ୍ତ କରିଛନ୍ତି । ଏନେଇ ୨ଟି ମାମଲା ଋଜୁ ହୋଇଥିଲେ ମଧ୍ୟ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ସୁଧା ପୋଲିସ୍, ଡକାୟତ ଦଳ ସଂପର୍କରେ ଟେର ପାଇ ନଥିବା ଜଣାଯାଇଛି । ଓଡ଼ଗାଁରୁ ସୁବ୍ରତ ଓ ନୟାଗଡ଼ରୁ ନିଶିକାନ୍ତ ରଥ

Nalco
Leave A Reply