ନୟାଗଡ଼ : ନୟାଗଡ଼ ସହରରେ କାର୍ଯ୍ୟ କରି ଆସୁଥିବା ନ୍ୟାସନାଲ ବୀମା ଶାଖା ଅପସାରଣ କରାଯିବା ନିଷ୍ପତ୍ତିକୁ ଲୋକେ ବିରୋଧ କରିଛନ୍ତି । ଦୀର୍ଘ ୩୫ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଉକ୍ତ ବୀମା କମ୍ପାନୀ ଶାଖା କାର୍ଯ୍ୟଳୟ ନୟାଗଡ଼ରେ କାର୍ଯ୍ୟ କରି ଆସୁଛି । ବାର୍ଷିକ ବ୍ୟବସାୟ ହାରରେ କ୍ରମଶଃ ଅଭିବୃଦ୍ଧି ସତ୍ୱେ ଶାଖା କାର୍ଯ୍ୟଳୟକୁ ନୟାଗଡ଼ରୁ ଅନ୍ୟତ୍ର ଉଠାଇ ନେବା ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଦେଖା ଦେଇଛି ।
ଜିଲ୍ଲା ତଥା ଆଖ ପାଖ ଜିଲ୍ଲାର ବୀମା ଉପଭୋକ୍ତା ଓ ଉକ୍ତ ବୀମା ସେବାର ସୁବିଧା ହାସଲ କରୁଥିବା ନାଗରୀକଙ୍କ ସୁବିଧା ପାଇଁ ନୟାଗଡ଼ରୁ ଶାଖାକୁ ଅପସାରଣ ନିଷ୍ପତ୍ତି ବାତିଲି କରିବାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଦାବି ହୋଇଛି । ଏନେଇ ମଙ୍ଗଳବାର ଦିନ ନୟାଗଡ଼ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବୀମା କମ୍ପାନୀ ଏଜେଣ୍ଟ ମିଳିତ ଭାବେ ପ୍ରଶାସନ ନିକଟରେ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।
ନୟାଗଡ଼ରେ ନ୍ୟାସନାଲ ଇନ୍ସୁ୍ୟରାନ୍ସ କମ୍ପାନୀ ଶାଖା ୧୯୮୭ ମସିହାରୁ କାର୍ଯ୍ୟ କରି ଆସୁଛି । ଫଳରେ ନୟାଗଡ଼ ଓ ଆଖ ପାଖ ଜିଲ୍ଲାର ଲୋକେ ସେମାନଙ୍କର ଯାନ ବାହନ ଆଦି ବୀମାକରଣ କାର୍ଯ୍ୟ ସହଜରେ କରି ପାରୁଛନ୍ତି । କାର୍ଯ୍ୟଳୟକୁ ଏଠାରୁ ଭୁବନେଶ୍ୱର ଉାଂଇ ନେବାକୁ କମ୍ପାନୀ ପକ୍ଷରୁ ନୋଟିସ୍ ଜାରୀ ହେବା ପରେ ଲୋକେ ତାହାକୁ ବିରୋଧ କରିଆସୁଛନ୍ତି । ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ନୟାଗଡ଼ରେ କଥିତ ବୀମା କମ୍ପାନୀ କାର୍ଯ୍ୟଳୟକୁ ଚାଲୁ ରଖିବା ଦିଗରେ ପଦକ୍ଷେପ ଗ୍ରହଣ ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଲୋକେ ଦାବି କରିଛନ୍ତି । ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନିମନ୍ତେ ପ୍ରଶାସନ ପକ୍ଷରୁ ଆଶ୍ୱାସନା ପ୍ରଦାନ କରା ଯାଇଥିବା ପ୍ରକାଶ ।
