ନୂଆପଡା-୧୬/୭- ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) : ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ତୋଳାଳୀ,ଶ୍ରମିକ ଓ ସିଜିନାଲ ଷ୍ଟାଫ ପ୍ରଦର୍ଶନ ପୂର୍ବକ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସତର ଦଫା ଦାବିପତ୍ର ଜିଲ୍ଳାପାଳ ଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁଶାନ୍ତ ରଣା ଙ୍କ ଜରିଆରେ ପ୍ରଦାନ କରିଛନ୍ତି।କୋବିଡ଼ ମହାମାରୀ ର ଅଭାବ ଓ ଅନାଟନ ସମୟରେ ଜିଲ୍ଲାର ଚାଳିଶ ହଜାର କେନ୍ଦୁପତ୍ର ତୋଳାଳୀ ଅଢେଇ ମାସରୁ ଉର୍ଦ୍ଧ୍ଵ ହେବ ତାଙ୍କ ପ୍ରାପ୍ୟ ନ ପାଇବା ଘୋର ବିଡ଼ମ୍ବନା ର ବିଷୟ ଅଟେ।ଠିକ ସେହିପରି ସିଜିନାଲ ଷ୍ଟାଫ ୨୦୧୯ର ବର୍ଦ୍ଧିତ ବକେୟା ଦରମା,ଇ. ପି.ଏଫ . ଲାଗୁ ହୋଇଥିଲେ ମଧ୍ୟ ଲାଗୁ ନ କରିବା,ବୁସ କଟିଂ,ଫଡ଼ି ଘର ମରାମତି,ପତ୍ର ସୁଖା ରଖା ରେ ବ୍ୟାପକ ଦୁର୍ନୀତି ର ତଦନ୍ତ କରିବା,ନିଯୁକ୍ତି ପ୍ରମୋସନ ରେ ବିଭାଗୀୟ ମନମାନି ଓ ଦୁର୍ନୀତି କୁ ବନ୍ଦ କରିବା,ସାମାଜିକ କଲ୍ୟାଣ ଯୋଜନାରେ ସାମିଲ ହେବା ପାଇଁ କୋଡିଏ ଚଟା(୪ହଜାର କେରୀ) ବଦଳରେ ଅଧା ଚଟା ବା ୫୦୦ କେରୀ ରେ ଲାଗୁ କରିବା ଇତ୍ୟାଦି ପ୍ରମୁଖ ଦାବି କୁ ନେଇ ଆଜି ଆନ୍ଦୋଳନାତ୍ମକ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କର ଯାଇଥିଲା।ଆସନ୍ତା ଜୁଲାଇ ଦଶ ତାରିଖ ସୁଦ୍ଧା ସମସ୍ତ ପ୍ରାପ୍ୟ ଦିଆଯିବ ବୋଲି ଡି.ଏଫ.ଓ. ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରତ ଆନ୍ଦୋଳନକାରୀ ଙ୍କୁ ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରି ନ ଥିବାରୁ ଶ୍ରମିକ, ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ମଧ୍ୟରେ ଘୋର ଅଶାନ୍ତି ଓ ଅସନ୍ତୋଷ ବ୍ୟାପି ଯାଇଛି। ଯଦି ଆଗାମୀ ଦଶ ଦିନ ମଧ୍ୟରେ ସଂଘର ନ୍ୟାର୍ଯ୍ୟ ଦାବି କୁ ପୁରଣ କରା ନ ଯାଏ ତେବେ ଆବଶ୍ୟକ ପଡ଼ିଲେ ସାରା ଡିଭିଜନ ରେ ସମ୍ପୂର୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବାବୁଲାଲ ପଟେଲ,ଈଶ୍ୱର ଶବର,ଭକ୍ତ ଧରୁଆ,ଶ୍ରୀକାନ୍ତ ପୁରୋହିତ,ଡୋରେଶ୍ୱର ପଟେଲ ,ମୁନ୍ନା ହରିଜନ,ଖାମ ସିଂହ ମାଝୀ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
Comments are closed.