Odisha news

ମାରାଗୁଡା ଲୋକମହୋତ୍ସବରେ  ମୁଖ୍ୟମନ୍ତ୍ରୀ ପହଞ୍ଚି ନୂଆପଡା ବାସୀଙ୍କ ମନ ମୋହିଲେ

0
ନୂଆପଡା-୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାର ବାର୍ଷିକ କଳା ସଂସ୍କୃତିର ପର୍ବ  ମାରାଗୁଡା ଲୋକମହୋତ୍ସବର ଚତୁର୍ଥ ରଜନୀରେ ମୁଖ୍ୟ ଅତିଥୀ ଭାବରେ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ସ୍ଥାନୀୟ ମିନି ଷ୍ଟାଡିୟମରେ ମହା ସମାରୋହରେ ଏବେ ଚାଲିଛି ମାରାଗୁଡା ଲୋକମହୋତ୍ସବ ସହିତ ପଲ୍ଲୀଶ୍ରୀ ମେଳା ଓ ପୁସ୍ତକ ମେଳା।ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ବାହାରି ନୂଆପଡା ଗୋଟମା ଏୟାର ଷ୍ଟ୍ରିପରେ ସନ୍ଧ୍ୟା ସମୟରେ ପହଞ୍ଚି ଥିଲେ। ଏଠାରେ ବିଜେପି କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ ।ସେଠାରୁ ସଦର ମହକୁମାର ଗାୟତ୍ରୀ ମନ୍ଦିର ନିକଟକୁ ଆସିଲାପରେ ସେଠାରୁ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ଥିଲେ ।  ଘଣ୍ଟା, ଘଣ୍ଟ ,ଶଙ୍ଖ,ମୃଦଙ୍ଗ ,ଘୁମୁରା ଓ  ନୃତ୍ୟ ତାଳେ ତାଳେ ଶୋଭାଯାତ୍ରା କରି ମୁଖ୍ୟମନ୍ତ୍ରୀ ଉତ୍ସବ ପଡିଆ ମିନିଷ୍ଟାଡିୟମ ରେ ପହଞ୍ଚିଥିଲେ । ରାସ୍ତା ଉଭୟ ପାର୍ଶ୍ଵରେ ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ହର୍ଷଧ୍ଵନି ଦେଇ ସ୍ଵାଗତ  କରିଥିଲେ । ଶୋଭାଯାତ୍ରାରେ ସବୁ ବ୍ଲକ୍ ର ଶହ ଶହ କଳାକାର ଏବଂ ହଜାର ହଜାର ଜନ ସାଧାରଣ  ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ମିନିଷ୍ଟାଡିୟମରେ ପହଞ୍ଚିଲା ପରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହାପରେ  ଜିଲାପାଳଙ୍କ  ସଭାପତିତ୍ଵରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।ସମାରୋହରେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ  ମାଳବିକା ଦେବୀ , ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ନୂଆପଡା ଜିଲାପରିଷଦ ଅଧ୍ୟକ୍ଷା ଡଲୀ ମାଝୀ ପ୍ରମୁଖ  ମଞ୍ଚାସିନ ଥିଲାବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଲେଖକ ଦାଶ ବେନହୁର ବକ୍ତବ୍ୟ ରଖିଥିଲେ । ନୂଆପଡା ବାସୀଙ୍କ ତରଫରୁ ପୂର୍ବତନ ସାଂସଦ ବସନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମାରାଗୁଡ଼ା ସଭ୍ୟତା ଏବଂ ନୂଆପଡା ଜିଲ୍ଲାର ପ୍ରାକୃତିକ ପରିବେଶ ଓ ପର୍ଯ୍ୟଟନ ସ୍ଥଳି ମାନଙ୍କ ଉଚ୍ଚ ପ୍ରଶଂସା କରିଥିଲେ।ଓଡ଼ିଶା ରାଜ୍ୟ ଗଠନରେ ଏବଂ ସ୍ଵାଧୀନତା ସଂଗ୍ରାମରେ ନୂଆପଡା ଏବଂ ଖଡ଼ିଆଳ ଅଞ୍ଚଳର ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।  ରକ୍ତତୀର୍ଥ ସାଲିହାଗଡର  ସହିଦ ମାନଙ୍କୁ ମନେ ପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
 ଜିଲ୍ଲାକୁ ୯୯ % ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ପ୍ରଚେଷ୍ଟା  କରାଯିବ ବୋଲି ଘୋଷଣା କରିଥିଲେ । ଏହା ବ୍ୟତିତ ନୂଆପଡା ବରଗଡ ରେଳ ଲାଇନ କାର୍ଯ୍ୟ ଆଗେଇ ନେବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି କହିଥିଲେ  ।  ମୁଖ୍ୟମନ୍ତ୍ରୀ  ଜିଲ୍ଲାରେ ୨୧୮.୮୯ କୋଟି ଟଙ୍କାର ୩୭ ଟି ପ୍ରକଳ୍ପର ଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ୧୦୩,୪୯ କୋଟି ଟଙ୍କା ବ୍ୟୟରେ ୨୬ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଏହା ଛଡା ଜିଲାର ବିକାଶରେ ଅର୍ଥ କୌଣସି ବାଧକ  ସୃଷ୍ଟି କରିବ ନାହିଁ ବୋଲି କହିଥିଲେ|  ଜିଲ୍ଲା ଧାନ ତଥା ମାଣ୍ଡିଆ ଉତ୍ପାଦନ ଓ ବିକ୍ରି କ୍ଷେତ୍ରରେ ସଫଳ ହେଇଛି  ବୋଲି କହିବା ସହ ଓଡ଼ିଶାର ଚାଷୀ କୁଳଙ୍କୁ ଡବଲ ଇଞ୍ଜି ସରକାର ଧାନ ପ୍ରତି କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେଇ ସେମାନଙ୍କ ମେରୁଦଣ୍ଡକୁ ସୁଦୃଢ କରିପାରିଛି ବୋଲି କହିଥିଲେ । ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ନୂଆପଡାକୁ ପ୍ରଥମ ଆଗମନ ଥିଲା । ସାଂସଦ ମାଳବିକା ଦେବୀ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା   ଗସ୍ତ ପାଇଁ କୃତଜ୍ଞତା ଜଣାଇଥିଲେ ଓ ନୂଆପଡା ଜିଲ୍ଲାର ବିକାସ ପାଇଁ   ବିଭିନ୍ନ ଦାବୀ ରଖିଥିଲେ । ଶେଷରେ ନୂଆପଡା ଉପଜିଲାପାଳ ଯୋଗେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପାଗ ଭଲ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଆଗମନ ପାଇଁ ସମଗ୍ର ନୂଆପଡା ସହର ଲୋକାରଣ୍ୟ ହୋଇ ଯାଇଥିଲା ।
Leave A Reply