ନୂଆପଡା -୩/୪(ସୁରେନ୍ଦ୍ର ତିୱାରୀ) : ମାରାଗୁଡା ଲୋକମହୋତ୍ସବ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, ନୂଆପଡାଙ୍କ ପକ୍ଷରୁ ସ୍ଥାନୀୟ ନେସନାଲ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ତୃତୀୟ ଦିବସରେ “ମାରାଗୁଡା ଅଞ୍ଚଳର ଐତିହ୍ୟ ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ” ବିଷୟରେ ବୌଦ୍ଧିକ ଚର୍ଚ୍ଚା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଐତିହାସିକ, ଗବେଷକ ସୁସାହିତ୍ୟକ ଡକ୍ଟର ଫଣିନ୍ଦମ ସିଂ ଦେଓ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ଅତିଥି ଭାବରେ କବି ଗାଳ୍ପିକ ସ୍ତମ୍ଭକାର, ସୁଲେଖକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଓ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗଦେଇଥିଲେ। ବିଷୟ ବିଶେଷଜ୍ଞ ଭାବରେ ଅବସର ପ୍ରାପ୍ତ ଅଧ୍ୟାପକ ଲୋହିତାକ୍ଷ ଯୋଶୀ, ନାଟ୍ୟକାର, ନିର୍ଦ୍ଦେଶକ, ଗବେଷକ ଜିତେନ୍ଦ୍ର ପଟ୍ଟନାୟକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୂଆପଡ଼ା ହେମସାଗର ମହାନନ୍ଦ ଅଂଶ ଗ୍ରହଣ କରି ମାରାଗୁଡ଼ା ସଭ୍ୟତା ଏକ ଉନ୍ନତ ବିକଶିତ ସୁସଙ୍ଗଠିତ ସୁସଂସ୍କୃତ ସଭ୍ୟତା ଥିଲା ବୋଲି ମତବ୍ୟକ୍ତ କରିଥିଲେ। ନୂଆପଡ଼ାର ପ୍ରାଚୀନ ଐତିହ୍ୟର ସଂରକ୍ଷଣ ଓ ବିକାଶର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତି ମତ ପ୍ରକାଶ ପାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସୁରଜିତ ସିଂ ମହରଥା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। ନେସନାଲ ମହାବିଦ୍ୟାଳୟ ନୂଆପଡ଼ାର ଅଧ୍ୟକ୍ଷ ହିତେଶ କୁମାର ସାହୁ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।