ନୂଆପଡ଼ା – ୨୮/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପରେ ସୁନାପୁର ପଞ୍ଚାୟତର ଡ଼ାଙ୍ଗବାହାଲି ପଡା ଠାରେ ଜିଲ୍ଲାପାଳ ମଧୁସୁଦନ ଦାଶ ଉପସ୍ଥିତ ରହି ଯଶୋବନ୍ତ ମାଝୀ ଓ ତାଙ୍କ ଧର୍ମପତ୍ନୀ ତୁଲସେ ମାଝୀଙ୍କ ଶିଶୁ କନ୍ୟା ଧରିତ୍ରୀ ମାଝୀଙ୍କ ଘରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ ଜନାଦୃତ କରିବା ପାଇଁ ପହଞ୍ଚିଥିଲେ l ଜିଲ୍ଲାପାଳ ଙ୍କ ସହ ଡି ଏଫ ଓ ଅଜିଜ ଖାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ- ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବି ଡି ଓ ସୁଶାନ୍ତ କୁମାର ରଣା,ଡି ଏସ ଡବ୍ଲୁ ଓ ସଙ୍ଗୀତା ପାତ୍ର , ଏ ଡି ଏସ ଡବ୍ଲୁ ନମିତା ପାଢ଼ୀ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା,ସି ଡି ପି ଓ ଅର୍ଚ୍ଚନା ରାଉତ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ଗ୍ରାମବାସୀ ମୃଦଙ୍ଗ ବଜାଇ କୀର୍ତ୍ତନ କରି ଅତିଥି ମାନଙ୍କୁ ପାଛୋଟି ନେଇଥିଲେ l
ଜିଲ୍ଲାପାଳ ଶିଶୁ କନ୍ୟାକୁ ଉପହାର ଦେଇ କୋଳରେ ଧରି ଥିଲେ ଏଵଂ ଦୋଳିରେ ଝୁଲାଇ ଥିଲେ l କନ୍ୟାର ପିତା ମାତା ଓ ପରିବାର ସଦସ୍ୟ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଝିଅ ପାଇଁ ନିଜ ଘର ଅଗଣାରେ ପାଇ ଖୁସୀରେ ଆତ୍ମହରା ହୋଇ ଉଠିଥିଲେ ଏଵଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ l
l ଜିଲ୍ଲାପାଳ ଝିଅ ଆମର କନ୍ୟା ରତନ ଓ ଝିଅ ପାଇଁ ଗଛଟିଏ ବୋଲି ସ୍ଳୋଗାନ ଦେଇ ଝିଅର ପିତାମାତାଙ୍କ ଦ୍ଵାରା ବୃକ୍ଷ ରୋପଣ କରାଇ ଥିଲେ l ଝିଅକୁ ହୀନ ଦୃଷ୍ଟିରେ ନ ଦେଖି ଅମୂଲ୍ୟ ରତ୍ନ ଭାବରେ ଗ୍ରହଣ କରି ତାର ଲାଳନ ପାଳନ କରିବା ପାଇଁ ଜିଲ୍ଲାପାଳ ଶିଶୁ କନ୍ୟାର ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମଟି ସଫଳ ହେବାରେ ମହିଳା ପରିଦର୍ଷିକା ଅନୁସୁୟା ତାଣ୍ଡି ଓ ହିରାମଣି ମାଝୀ ତଥା ସୁନାପୂର ସେକ୍ଟରର ସମସ୍ତ ଅଙ୍ଗନୱାଡ଼ି କର୍ମୀ ସହଯୋଗ କରିଥିଲେ। ଝିଅର ଜନ୍ମରେ ପରିବାରର ସମସ୍ତେ ଗର୍ବ କରିବା ଓ ସମାଜରେ ତା ପାଇଁ ସୁନ୍ଦର ଭାବରେ ବଞ୍ଚିବାର ଗୋଟିଏ ସୁଯୋଗ ସୃଷ୍ଟି କରିବା ସହିତ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା କରିବା ପାଇଁ ଏହା ସମସ୍ତଙ୍କୁ ଉତ୍ସାହିତ କରୁଛି l