ନୂଆପଡା – ୧୧/୧(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ କ୍ଲବ ପଡ଼ିଆ ସାଂସ୍କୃତିକ ରଙ୍ଗ ମଞ୍ଚ ଠାରେ ପାଞ୍ଚ ଦିନ ବ୍ୟାପି କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହେଇ ଯାଇଛି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ନୂଆପଡ଼ା ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଚାଷୀମାନଙ୍କୁ କୃଷି ର ବିକାଶ ଏବଂ କୃଷକ ମାନଙ୍କର ସମୃଦ୍ଧି ପାଇଁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ ଡ. ସୋନିଆ ଜୈନ୍ ଯୋଗ ଦେଇ ଚାଷୀ ହସିଲେ ଦେଶ ହସିବ କହି ଆମ ଦେଶ ର ଅର୍ଥନୀତି ରେ ଚାଷୀ ମାନଙ୍କର ମହତ୍ତ୍ଵ କୁ ବଖାଣିଥିଲେ । ଅନ୍ୟ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ, କୋମନା ମୂରଲୀଧର ଭୋଇ ଚାଷୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଆହ୍ଵାନ ଦେବା ସହିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡ଼ା ମହମ୍ମଦ ଆଦମ ଓ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ ସଭା ରେ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ତାଙ୍କର ସ୍ଵାଗତ ଅଭିଭାଷଣ ରେ ଚାଷୀ ମାନଙ୍କୁ ଜୈବିକ ପଦ୍ଧତି ରେ ଚାଷ କରିବା ସହ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ର ବହୁଳ ବ୍ୟବହାର କରିବା ପାଇଁ ବାର୍ତ୍ତା ପ୍ରଦାନ କରିବା ସହ କୃଷି ତଥା ଆନୁସାଙ୍ଗିକ ବିଭାଗ ର ବିଭିନ୍ନ ସରକାରୀ ଯୋଜନା ର ଲାଭ ଉଠାଇବାକୁ ଆହ୍ଵାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ, ଖଡ଼ିଆଳ ପ୍ରଦୀପ କୁମାର ବେଉରା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ ମଞ୍ଚାସିନ ଥିଲେ । ସହକାରୀ କୃଷି ଅଧିକାରୀ, ସିନାପାଲି ତପସ୍ଵିନୀ ମାଝୀ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆଜି ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ା ର କଣ୍ଠଶିଳ୍ପୀ ପ୍ରତାପ ସାହୁ ଓ ସୁଦୂର ଭବାନୀପାଟଣା ରୁ ଆସିଥିବା ଅଧ୍ୟାପିକା ଓ ସର୍ବ ଭାରତୀୟ ଆକାଶବାଣୀ କଣ୍ଠଶିଳ୍ପୀ ଲିପ୍ସା ମହାରଣା। ଏଠାରେ ସୂଚନା ଯୋଗ୍ୟ ଯେ, ଏହି କୃଷିଯନ୍ତ୍ରପାତି ମେଳାରେ ୫ ଦିନ ଭିତରେ ସମୁଦାୟ ୯ କୋଟି ୮୦ ଲକ୍ଷ ଟଙ୍କା ର କୃଷି ଯନ୍ତ୍ରପାତି ବୁକିଙ୍ଗ ହୋଇଥିବା ସୂଚନା ମିଳିଛି ।ନୂଆପଡ଼ା ବ୍ଲକ୍ ଝିଟକି ର ଚାଷୀ ସହତ ରାମ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ରେ ସମ୍ମାନିତ କରିବା ସହ ପନ୍ଦର ହଜାର ଟଙ୍କା ଚେକ ମାଧ୍ୟମ ରେ ପ୍ରଦାନ କରାଯାଉଥିଲା । ନୂଆପଡ଼ା ବ୍ଲକ ସାଇପଲା ର ମା ଚଣ୍ଡୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଜୈବିକ ଖତ ଓ କୀଟନାଶକ ପ୍ରସ୍ତୁତି ପାଇଁ ସମ୍ମାନିତ କରାଯାଇଥିଲା । ପ୍ରିୟଦର୍ଶିନୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିନାପାଲି ଙ୍କୁ ଛତୁଚାଷ, ଅନ୍ନପୂର୍ଣ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଛତା, କୋମନା ଙ୍କୁ ପନିପରିବା ଚାଷ, ଛତୁଚାଷ ଏବଂ ମା ତାରିଣୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, କୋମନା ଙ୍କୁ କୁକୁଡ଼ା ପାଳନ ପାଇଁ ପ୍ରାରମ୍ଭିକ ଅର୍ଥ ରାଶି ବାବଦକୁ ଦଶ ହଜାର ଟଙ୍କା ଲେଖାଏଁ ଚେକ ମାଧ୍ୟମ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ପାଞ୍ଚଦିନ ଧରି ଚାଲିଥିବା ଏହି କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ରେ ନୂଆପଡ଼ା କୃଷି ବିଭାଗ ର ସମସ୍ତ ଗୋଷ୍ଠୀ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ, ସତ୍ୟଭୂଷଣ ନାଗ, ସୁଧାଂଶୁ ମେହେର, ଦୁଃଖୀରାମ ଟୁଡୁ, ସମାପ୍ତିକା କର ଏବଂ ସମସ୍ତ ସହକାରୀ କୃଷି ଅଧିକାରୀ ଦୀପାଶ୍ରୀ ମଣ୍ଡଳ, ଆଶିଷ କୁମାର ମେହେର, ପୂର୍ଣ୍ଣଚନ୍ଦ୍ର ନାଏକ, ସଂଗୀତା ମେହେର, ସରୋଜ କୁମାର ମିର୍ଦ୍ଧା, ବର୍ଷା ଆଜାଦ୍ ଓ ଆଭାସ ନାଏକ ଙ୍କ ସହ ସହକାରୀ କୃଷି ଯନ୍ତ୍ରୀ ସନ୍ଦୀପ ଯୋଜୋ ପ୍ରମୁଖ ଉପସ୍ଥିତ ରହି ମେଳା ସାଫଲ୍ୟମଣ୍ଡିତ କରିବାରେ ସହଯୋଗ କରିଥିଲେ । ଆଜି ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ ଗୀତ ଓ ନୃତ୍ୟ ର ଆସର ରେ ନୂଆପଡ଼ା କମ୍ପି ଉଠିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ର ଶେଷ ରଜନୀ ରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଉପ-ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଯୋଗ ଦେଇ ସମସ୍ତ କଳାକାର ଯଥା କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ମାନଙ୍କୁ ଉତ୍ସାହିତ କରିବା ସହ ଆମର କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ମେଳା ରେ ଜିଲ୍ଲା ର କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ବି.ଟି.ଏମ୍ ଏବଂ ଏ.ଟି.ଏମ୍ ଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।