ନୁଆପଡ଼ା -୧୩/୫ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକ୍ ଅରେଡ଼ା ପଞ୍ଚାୟତ ଅମଲାପାଲି ଗାଁ ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହା ପୂର୍ବରୁ ଗାଁରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାl ଏଥିରେ ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖରୀଆର ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବିଡ଼ିଓ ନରସିଂହ ଗଡବା, ସ୍ଥାନୀୟ ସରପଞ୍ଚ ପ୍ରତିମା ପୁଞ୍ଜି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଗାଁରେ ଦୁଇ ଜଣ ନବଜାତକ ଶିଶୁ କନ୍ୟାଙ୍କୁ ଜିଲ୍ଲାପାଳ ଓ ଅତିଥି ମାନେ ଉପହାର ଦେଇ ସ୍ଵାଗତ କରିଥିଲେ। ଏହା ସହିତ ୪ ଜଣ ଗର୍ଭବତୀ ମାଆ ମାନଙ୍କୁ ବିଭିନ୍ନ ଫଳମୂଳ ଓ ପୌଷ୍ଟିକ ଆହାର ପ୍ରଦାନ କରି ଉତ୍ସାହିତ କରିଥିଲେ । ପ୍ରବାସୀ ଶ୍ରମିକ ସଚେତନତା ସଭାରେ ଅତିଥିମାନେ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଆର୍ ଟି ଓ ମାନ ସିଂ,ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ମହିଳା ଏଵଂ ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ। ବନଖଣ୍ଡ ଅଧିକାରୀ ବନ ବିଭାଗ ତରଫରୁ ଆରମ୍ଭ ହୋଇଥିବା ନୂତନ କାର୍ଯ୍ୟକ୍ରମ “ପକ୍ଷୀ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ସବୁ ଗାଁ ରେ ଆରମ୍ଭ କରି ପକ୍ଷୀ ମାନଙ୍କୁ ପିଇବା ପାଣି ତଥା ବସା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଅରେଡ଼ା ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ମୁକ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ। ବିଭିନ୍ନ ବିଭାଗ ଏଵଂ ଯୋଜନା ମାଧ୍ଯମରେ ସରକାର ଯୋଗାଇ ଦେଉଥିବା ସହାୟତା ତଥା ମନରେଗା ଯୋଜନାରେ କାମ କରି ଖୁସି ମନରେ ନିଜ ନିଜ ଗାଁରେ ରହିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଏହି ପଞ୍ଚାୟତର ଯେଉଁ ପରିବାର ମାନେ ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 300 ଦିନରୁ ଅଧିକ ଶ୍ରମ ଦାନ କରି ଲକ୍ଷପତି ହୋଇଛନ୍ତି ସେମାନଙ୍କ ଉଦାହରଣ ଜିଲ୍ଲାପାଳ ଅନ୍ୟ ଶ୍ରମିକ ମାନଙ୍କୁ ଦେଇଥିଲେ । ମା ଭଉଣୀ ମାନେ ଘରର ପୁରୁଷ ମାନଙ୍କୁ କୌଣସି ପରିସ୍ଥିତିରେ ବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ପ୍ରବର୍ତ୍ତାଇବା ପାଇଁ ଅନୁରୋଧ କରିଥିଲେ।ଶେଷରେ ସ୍ଥାନିୟ ସରପଂଚ ପ୍ରତିମା ପୁଞ୍ଜି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । କାଳ ବୈଶାଖୀ ବର୍ଷା ଓ ପବନ ସତ୍ତ୍ୱେ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ସଭାରେ ଅଂଶ ଗ୍ରହଣ କରିଥିଲେ। ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଅମଲାପାଲି ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ ଖରୀଆର ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ପ୍ରୋଗ୍ରାମ୍ ଅଫିସର୍ , ଖରୀଆର ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ।
