କଣିହାଁ,- କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପି ଲକଡାଉନ ଚାଲିଥିବାବେଳେ ଅନେକ ଲୋକ ପରିବାର ଚଳାଇବାକୁ ଆର୍ଥିକ ଦୃଷ୍ଟିରୁ ଅକ୍ଷମ ଅଛନ୍ତି । ଏପରି ସ୍ଥିତିରେ ଏନଟିପିସି,କଣିହାଁ ସହଯୋଗରେ ସ୍ଥାନୀୟ ଅଂଚଳରବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାସ୍କ ସିଲାଇ କରି ରୋଜଗାରକ୍ଷମ ହେଉଛନ୍ତି । ଏନଟିପିସି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମାସ୍କ ତିଆରି ପାଇଁ କଂଚା ମାଲ ଯୋଗାଇ ଦିଆଯାଇଛି । ମାସ୍କ ସିଲାଇ ପରେ ଏନଟିପିସି ସେମାନଙ୍କ ଠାରୁ ମାସ୍କ ଗ୍ରହଣ କରି ଗ୍ରାମାଂଚଳର ଜନସାଧାରଣ ଏବଂ ଶ୍ରମିକ ମାନଙ୍କୁ ବଂଟନ କରାଯାଉଛି । ଉକ୍ତ ମାସ୍କ ତିଆରି ଦ୍ୱାରା ଲୋକମାନେ ସହଜରେ ମାସ୍କ ପାଇବା ସହ ମହିଳାମାନେ ସମ୍ବେଦନଶୀଳ ହୋଇପାରୁଛନ୍ତି । ଏନଟିପିସି ସହଯୋଗରେ ମହାମାୟୀ ସ୍ୱୟଂ ସହାୟକ ଗୋଷ୍ଠୀର ପୁଷ୍ପଲତା ସାହୁ ନାମକ ଜଣେ ମହିଳା ୩ଶହ ମାସ୍କ ତିଆରି କରିବା ସହ ଏପରି ୪ଟି ଗୋଷ୍ଠୀର ମହିଳାମାନେ ୧୦ହଜାର ମାସ୍କ ତିଆରି କରିବାରେ ସକ୍ଷମ ହୋଇଛି । ଯାହାକୁ ପରେ ଏନଟିପିସି ସେମାନଙ୍କ ଠାରୁ ଗ୍ରହଣ କରି ବଂଟନ କରିଛି । ବର୍ତମାନ ସ୍ଥିତିରେ ମହିଳାମାନଙ୍କ ପୋଷାକ ସିଲାଇ ପ୍ରଭାବିତ ହୋଇଥିବାବେଳେ ଉକ୍ତ ମାସ୍କ ସିଲାଇ କରିବା ଦ୍ୱାରା ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ଭିମକାଣ୍ଡସ୍ଥ ମା’ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀର ଯଶ୍ୱସୀ ସାହୁ ନାମକ ମହିଳା ପ୍ରକାଶ କରିଛନ୍ତି । ଏନଟିପିସି ପକ୍ଷରୁ ମହିଳା ମାନଙ୍କୁ ସଶକ୍ତିକରଣ ଉଦେ୍ଦଶ୍ୟରେ ସିଏସଆର ଯୋଜନା ମାଧ୍ୟମରେ ଆଗ୍ରହୀ ମହିଳା ମାନଙ୍କୁ ସିଲାଇ ମେସିନ ମଧ୍ୟ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ଏନଟିପିସି ଶ୍ରମିକ, କର୍ମଚାରୀ,ତଥା ଆଖ ପାଖ ଗ୍ରାମରେ ୧୨ ହଜାର ମାସ୍କ ବଂଟନ କରିଥିବା ଏନଟିପିସି ସୁତ୍ରରୁ ପ୍ରକାଶ ।