ନିମାପଡା,୫ା୧୦ାନିମାପଡା ବ୍ଲକ ଅରିଷଣ୍ଢ ପଂଚାୟତରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ଓ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରିଆସୁଥିବା ଜନୈକ ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ତହସଲ କାର୍ଯ୍ୟାଳୟ ସମ୍ମୁଖରେ ପଂଚାୟତ ବାସୀଙ୍କ ପକ୍ଷରୁ ଆଜି ଗଣଧାରଣା ଦିଆଯାଇଛି ।ଉକ୍ତ ପଂଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ଓ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଥିଲା ।
ତେବେ ରମେଶ କାଣ୍ଡି ନାମକ ଦଳିତ ବ୍ୟକ୍ତି ଉକ୍ତ ଜମି ଉପରେ ଗୃହ ନିର୍ମାଣ କରି ଜବରଦଖଲ କରି ରଖିବାରୁ ଉକ୍ତ ଦୁଇଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ଭବ ହୋଇପାରୁନଥିବା ପଂଚାୟତର ରାଜନେତା ଓ ବାସିନ୍ଦାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହାର କୈାଣସି ସୁଫଳ ମିଳୁନଥିବାରୁ ପଂଚାୟତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଜବରଦଖଲ ଉଚ୍ଛେଦ ପାଇଁ ଯିଏ ପ୍ରତିବାଦ କରୁଛି ରମେଶ ସେମାନଙ୍କ ନାଁରେ ଦଳିତ ଆଇନର ଦୁରୁପଯୋଗ କରି ମିଥ୍ୟା ଅଭିଯୋଗ ଆଣୁଛନ୍ତି ।
ପୁଲିସ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଦାନ ନକରି ମିଥ୍ୟା ମାମଲା ରୁଜୁ କରୁଥିବା ଧାରଣାକାରୀମାନେ ପ୍ରକାଶ କରିଛନ୍ତି ।ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଜବରଦଖଲକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ପୁଲିସ ରୁଜୁ କରିଥିବା ମିଥ୍ୟା ମୋକଦ୍ଦମାର ଉଚ୍ଚସ୍ତରୀୟ ତଦନ୍ତ ଆଦି ଦାବୀ କରି ପଂଚାୟତର ସରପଂଚ ଜୟନ୍ତ କୁମାର ପାଟସାହାଣୀ,ସମିତିସଭ୍ୟ ରାହୁଲ ନାୟକ,ନବଘନ ବଳ ପ୍ରମୁଖଙ୍କ ନେତୃତ୍ୱରେ ୫୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ ।ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହିତ ତହସିଲଦାର ସେମାନଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।