ନୀଳଗିରି-୧୪/୦୫ : ପଂଚଲିଙ୍ଗେଶ୍ୱର ବନମହୋତ୍ସବ କମିଟି ପକ୍ଷରୁ ପଂଚଲିଙ୍ଗେଶ୍ୱର ବନମହୋତ୍ସବ ଶନିବାର ଦିନ ସନ୍ଧ୍ୟାରେ ଉଦ୍ଘାଟିତ ହୋଇଅଛି । ଉଦ୍ଘାଟକ ଭାବେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ମଂଚାସୀନ ରହି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଂଚଲିଙ୍ଗେଶ୍ୱର ଠାରେ ଏଭଳି ବନମହୋତ୍ସବ ପାଳନକୁ ଭୂୟସୀ ପ୍ରଶଂସା କରିବା ସହ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ପ୍ରଥମ ସନ୍ଧ୍ୟା ତଥା ଉଦ୍ଘାଟନ ସନ୍ଧ୍ୟାରେ ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା ମଂଚାସୀନ ରହି ମହୋତ୍ସବ ହିଁ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଏକତାର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସନ୍ତୋଷ ଖଟୁଆ ମଂଚାସୀନ ରହି ବନମହୋତ୍ସବ ବିଷୟରେ ଆଲୋକପାତ କରିବା ସହ ପଂଚଲିଙ୍ଗେଶ୍ୱର ଶୈବପୀଠର ଉତ୍ତରୋତ୍ତର କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀ, ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ, ଶ୍ୟାମସୁନ୍ଦରପୁର ପଂଚାୟତ ସରପଂଚ ପୁରସ୍ତମ ସେଠୀ, ବର୍ଷିୟାନ କମୁ୍ୟନିଷ୍ଟ ନେତା କୈଳାସ ପଣ୍ଡା, ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝି, ଏନ.ଏ.ସି. ଅଧ୍ୟକ୍ଷା ଅମ୍ବିକା ଦାସ, ବାଉଁଶବଣିଆ ସରପଂଚ, ବାଉଁଶବଣିଆ ସମିତିସଭ୍ୟ, ସୀମନ ଦାସ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି, ମଂଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବନମହୋତ୍ସବ କମିଟିର ସଭାପତି ତଥା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ଅଶେଷ କୁମାର ସ, ସାମ୍ବାଦିକ ବିଶ୍ୱମ୍ବର ଦାଶ, ସୁକାନ୍ତ କୁମାର ଦାଶ, ଭବାନୀଶଙ୍କର ପ୍ରଧାନ, ପରିବେଶବିତ ମନୋରଜଂନ ଦାସ, ବିଶିଷ୍ଟ ପଥର ଶିଳ୍ପୀ ଦିବ୍ୟଜ୍ୟୋତି ବେହେରାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମରେ କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।